ବାଜପେୟୀଙ୍କ ସ୍ମୃତିରେ ସର୍ବଧର୍ମ ପ୍ରାର୍ଥନା

0

ନୂଆଦିଲ୍ଲୀ : ଦିବଂଗତ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କେବେହେଲେ କୌଣସି ଚାପ ଆଗରେ ମୁଣ୍ଡ ନୁଆଁଇ ନଥିଲେ କି ଅନେକ ବାଧାବିଘ୍ନ ସତ୍ତ୍ବେ ନିଜର ଆଶା ତୁଟାଇ ଦେଇ ନଥିଲେ। ସୋମବାର ବାଜପେୟୀଙ୍କ ସ୍ମୃତିରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ମୋଦୀ କହିଥିଲେ ଅନେକ ବିଦେଶୀ ରାଷ୍ଟ୍ର କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ ଘେରିବାକୁ ଉଦ୍ୟମ କରୁଥିବାବେଳେ ବାଜପେୟୀ ଏହି ସ୍ୱରକୁ ପରିବର୍ତ୍ତନ କରିଦେଇଥିଲେ। ୧୯୯୬ରେ ବାଜପେୟୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିବାବେଳେ କୌଣସି ଦଳ ସମର୍ଥନ ଦେବାକୁ ଆଗ୍ରହ ପ୍ରକାଶ କରି ନଥିଲେ। ଏହାସତ୍ତ୍ବେ ସେ ନିଜର ଆଶା ତୁଟାଇ ଦେଇ ନଥିଲେ। ପରବର୍ତ୍ତୀ ସମୟରେ ୨୩ଟି ଦଳ ବିଜେପିକୁ ସମର୍ଥନ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ ଓ ବାଜପେୟୀ ଏହି ସମର୍ଥନକୁ ଆଧାର କରି ୫ବର୍ଷ ସରକାର ଚଳାଇଥିଲେ। ବାଜପେୟୀଙ୍କ ସରକାର ଅମଳରେ ଝାଡଖଣ୍ଡ, ଛତିଶଗଡ ଓ ଉତ୍ତରାଖଣ୍ଡ ରାଜ୍ୟ ଗଠନ ହୋଇଥିବାବେଳେ ଏଥିରେ କୌଣସି ପ୍ରକାର ତିକ୍ତତା ଦେଖିବାକୁ ମିଳି ନାହିଁ। ବିଭାଜନ ଭଳି ଜଟିଳ ପ୍ରକ୍ରିୟାକୁ ସେ ଶାନ୍ତିପୂର୍ଣ୍ଣ ଭାବେ ତୁଲାଇଥିଲେ। ତାଙ୍କ ଦ୍ୱାରା ଭାରତ ଆଜି ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହୋଇପାରିଛି ବୋଲି ମୋଦୀ କହିଛନ୍ତି। ସ୍ମୃତି ସଭାରେ ବାଜପେୟୀଙ୍କ ପରମ ବନ୍ଧୁ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡୱାଣୀ ମଧ୍ୟ ତାଙ୍କର ସ୍ମୃତି ଚାରଣ କରିଥିଲେ। ଆଡୱାଣୀ ଓ ବାଜପେୟୀ ମଧ୍ୟରେ ୬୫ ବର୍ଷର ବନ୍ଧୁତା ଥିଲା। ଉଭୟ ଏକାଠି ରହି ସଂଘ ଓ ସଂଗଠନ ପାଇଁ କାମ କରୁଥିଲେ। ଆଡୱାଣୀ କହିଥିଲେ ଯେ ‘ଏମିତି ଗୋଟିଏ ବଡ ସଭାରେ ମୋତେ କହିବାକୁ ପଡିବ ଯେତେବେଳେ ମୋ ପାଖରେ ବାଜପେୟୀ ନଥିବେ; ତାହା କେବେ ମୁଁ ଭାବି ନ ଥିଲି।’ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ସମସ୍ତଙ୍କୁ ସାଥୀରେ ନେଇ କିପରି ଚଳିବାକୁ ହୁଏ ତାହା ଅଟଳଜୀଙ୍କୁ ଜଣାଥିଲା। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ ଯେ ମୃତ୍ୟୁ ପରେ ମଧ୍ୟ ବାଜପେୟୀ ଆମ ସମସ୍ତକୁ ଗୋଟିଏ ସ୍ଥାନରେ ଏକାଠି କରିପାରିଛନ୍ତି। ଏହା ହିଁ ତାଙ୍କର ମହାନତା।
ଏହି ସ୍ମୃତି ସଭାରେ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ନେତା ଯୋଗ ଦେଇଥିଲେ। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଫାରୁକ ଅବଦୁଲ୍ଲା, ତୃଣମୂଳ କଂଗ୍ରେସ ନେତା ଡେରେକ ଓବ୍ରାଏନ, ଯୋଗଗୁରୁ ରାମଦେବ, ବାଜପେୟୀଙ୍କ ଝିଅ ନମିତା ଭଟ୍ଟାଚାର୍ଯ୍ୟ, ଜ୍ୱାଇଁ ରଞ୍ଜନ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଅଗଷ୍ଟ ୧୬ରେ ବାଜପେୟୀଙ୍କର ପରଲୋକ ହୋଇଥିଲା। ତାଙ୍କ ଉଦ୍ଦେଶ୍ୟରେ ଦେଶରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି।

Leave A Reply