ବାଲେଶ୍ୱର ବାହାନଗାରେ ଭୟଙ୍କର ହୃଦୟ ବିଦାରକ ରେଳ ଦୁର୍ଘଟଣା – ତିନି ଗଡା ଖାଇ ଓଲଟିଛି ରେଳବଗି!
ଭୁବନେଶ୍ୱର – ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି । ବେଙ୍ଗାଲୁର-ହାଓ୍ୱଡା ଟ୍ରେନ ସହ କରମଣ୍ଡଳ ଟ୍ରେନ ଧକ୍କା ହୋଇଥିଲା, ଫଳରେ ୫ଟି ବଗି ସମ୍ପୂର୍ଣ୍ଣ ଓଲଟି ପଡିଥିବା ପ୍ରାଥମିକ ସୂଚନା ମିଳିଥିଲା । ସ୍ଥାନୀୟ ଲୋକ ପ୍ରଥମେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ୧୦ ଜଣ ଆହତଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରୀ ଦଳକୁ ରାଜ୍ୟ ସରକାର ଘଟଣାସ୍ଥଳକୁ ପଠାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ୍ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ, ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ଓ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳ ଅଭିମୁଖେ ଗସ୍ତ କରିଥିବା ସୂଚନା ମିଳିଛି ।
ଟ୍ରେନର ବଗି ତଳେ ଅନେକ ଯାତ୍ରୀ ଏବେବି ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ଘଟଣାସ୍ଥଳକୁ ଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାତିର ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହୋଇଥିବା ସୂଚନା ମିଳିଛି ।
ଯାତ୍ରୀମାନଙ୍କ ପାଇଁ ବାଲେଶ୍ୱରରେ କଣ୍ଟ୍ରୋଲରୁମ ନମ୍ବର ସ୍ଥାପନ କରାଯାଇଛି । ୬୭୮୨୨୬୨୨୮୬ (ମୋବାଇଲ ଫୋନ୍ ନମ୍ବର) ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷର ନମ୍ୱର ହେଲା ୦୬୭୪- ୨୫୩୪୧୭୭। ଜରୁରୀକାଳୀନ ସୂଚନା ପାଇଁ ଏହି ନମ୍ବର ସହ ଯୋଗାଯୋଗ କରିପାରିବେ । ଯାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକରୁ ୫ଟି ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ।
Comments are closed.