www.samajalive.in
Sunday, December 7, 2025
26.1 C
Bhubaneswar

୪୧ ଲକ୍ଷ ହିତାଧିକାରୀଙ୍କୁ ମାସିକ ପୁଷ୍ଟିସାଧନ ପାଇଁ ଶୁଖିଲା ଖାଦ୍ୟ

ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ‘ଓଡ଼ିଶା ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆଙ୍କୁ ସୁବ୍ୟବସ୍ଥିତ ଭାବେ ଆଣିବା ପାଇଁ ବରିଷ୍ଠ ଆଇଏଏସ୍‌ ଅଫିସରମାନଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପଞ୍ଜୀକୃତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା, ଖାଇବା ଓ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ। ’
ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ରହିବା ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ଅନୁମୋଦନ କରାଯାଇଛି। ଖାଦ୍ୟ ବାବଦକୁ ଦୈନିକ ବୟସ୍କମାନଙ୍କ ପାଇଁ ୧୨୦ ଟଙ୍କା ଏବଂ ୧୪ ବର୍ଷରୁ କମ୍‌ ପିଲାମାନଙ୍କ ପାଇଁ ୧୦୦ ଟଙ୍କା ବ୍ୟବସ୍ଥା ରହିଛି। ବ୍ୟକ୍ତିଗତ ନିତ୍ୟ ବ୍ୟବହାର୍ଯ୍ୟ କିଟ୍‌ ବାବଦକୁ ୩୦୦ ଟଙ୍କା ବ୍ୟବସ୍ଥା ରହିଛି। ପ୍ରତ୍ୟେକ କେନ୍ଦ୍ରର ସଫେଇ, ସ୍ୱଚ୍ଛତା ଏବଂ ସୁରକ୍ଷା ପାଇଁ ଦୈନିକ ସର୍ବାଧିକ ୨୦୦୦ ଟଙ୍କା ଖର୍ଚ୍ଚ କରାଯାଇପାରିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏ ସଂପର୍କରେ ଆବଶ୍ୟକୀୟ ମାର୍ଗଦର୍ଶିକା ଜାରି କରାଯାଇଛି। ପୌରାଞ୍ଚଳରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ମଧ୍ୟ ଏହା ଲାଗୁ ହେବ।
କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ୧୬.୦୭ ଲକ୍ଷ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସଂପୃକ୍ତ ଶ୍ରମିକଙ୍କ ଗ୍ରାମରେ/ଘରେ ଜିଲ୍ଲା/ବ୍ଲକ୍‌ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏହି ସହାୟତା ପ୍ରଦାନ କରାଯାଉଛି। ଏଯାବତ୍‌ ୨୪୧ କୋଟି ଟଙ୍କା ପ୍ରଦାନ କରାଯାଇଛି।
ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ୭ ଲକ୍ଷ ଗର୍ଭବତୀ ଓ ପ୍ରସୂତି, ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କୁ ମିଶାଇ ୪୧ ଲକ୍ଷ ହିତାଧିକାରୀଙ୍କୁ ମାସିକ ପୁଷ୍ଟିସାଧନ ପାଇଁ ଶୁଖିଲା ଖାଦ୍ୟ ବାବଦକୁ ଛତୁଆ, ଲଡ଼ୁ ଓ ଅଣ୍ଡା ଇତ୍ୟାଦି ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଘରେ ପହଞ୍ଚାଇ ଦିଆଯାଉଛି। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧,୭୨,୯୩୧ ଶଯ୍ୟାବିଶିଷ୍ଟ ମୋଟ ୭୧୨୫ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି।
ଆଜି ରାଜ୍ୟର ୫୫୪୩ ଗ୍ରାମ ପଞ୍ଚାୟତରେ ୩,୬୧,୪୮୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୪ ଟି ପୌରାଞ୍ଚଳରେ ୪୧,୦୧୬ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories