ମୁମ୍ବଇ: ଜାତୀୟ ପୁରସ୍କାର ପ୍ରାପ୍ତ ଲୋକପ୍ରିୟ ଚଳଚ୍ଚିତ୍ର ‘ବଧାଇ ହୋ’କୁ ରବିବାର ଦୁଇ ବର୍ଷ ପୂର୍ତି ହୋଇଛି। ଏହି ଅବସରରେ ଫିଲ୍ମର ସିକ୍ୱେଲକୁ ନେଇ ସାମାଜିକ ଗଣମାଧ୍ୟମରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୂମି ପେଡନେକର ନିଜ ଇନ୍ଷ୍ଟାଗ୍ରାମରେ ‘ବଧାଇ ହୋ’ର ସିକ୍ୱେଲ ‘ବଧାଇ ଦୋ’ ବିଷୟରେ ସମ୍ୟକ୍ ସୂଚନା ଦେଇଛନ୍ତି। ଏଥିରେ ଉଭୟ କଳାକାର ନାୟକ ଓ ନାୟିକା ଭାବେ ନଜର ଆସିବେ। ରାଜକୁମାର ଭୂମିଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏହାସହିତ ସୂଚନା ଦେଇଛନ୍ତି ଯେ, ଚଳଚ୍ଚିତ୍ରର ଶୁଟିଂ ଆସନ୍ତା ବର୍ଷ ଜାନୁଆରୀ ମାସରୁ ଆରମ୍ଭ ହେବ।
ନିର୍ଦ୍ଦେଶକ ହର୍ଷବର୍ଦ୍ଧନ କୁଲ୍କର୍ଣ୍ଣି ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଏଥିରେ ରାଜକୁମାର ରାଓ ଜଣେ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଥିବା ବେଳେ ଭୂମି ପିଟି ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିବେ।



