ବଡ଼ସାହି : ଜିଲାରେ ବାଲି ଓ ମୋରମ ଚାଲାଣ ନେଇ ବିଜେପି ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟରେ ତୋମ୍ବିତୋଫାନ କରାଯାଉଥିବା ବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଏହାର ବିଶେଷ କିଛି ପ୍ରଭାବ ଦେଖିବାକୁ ମିଳିନାହିଁ। ବଡ଼ସାହି ନିର୍ବାଚନମଣ୍ଡଳୀରେ ବିଜେପିର ବିଧାୟକ ପ୍ରତିନିଧିତ୍ୱ କରୁଥିଲେ ହେଁ ସରକାରୀ ବାବୁମାନେ ତାଙ୍କ ଦଳର ଅଭିଯୋଗକୁ ଏଠାରେ ଫୁ କରୁଥିବା ଆଲୋଚନା ଜୋର ଧରିଛି। ଶନିବାର ବଡ଼ସାହି ତହସିଲଦାର ମମତାଜ ମହାରଣା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ବଡ଼ସାହି ପୁଲିସ ଜିମାରେ ଦେଇଛନ୍ତି।
ବାଲି ଟ୍ରାକ୍ଟରଟି ବୁଢ଼ାବଳଙ୍ଗ ନଦୀର କୁଳିଅଣା ଘାଟରୁ ବୋଝେଇ କରି ବେଲପାଳ ଅଭିମୁଖେ ଯାଉଥିଲା। କୁଳିଅଣା ଘାଟ ନିଲାମ ଘାଟ ହୋଇ ନଥିଲେ ହେଁ ସେଠାରେ ବର୍ତ୍ତମାନ ଦିନରାତି ନଦୀ ଶଯ୍ୟାରେ ଜେସିବି ସାହାଯ୍ୟରେ ଜଣେ ବ୍ୟକ୍ତି ବାଲି ଉତ୍ତୋଳନ କରି ଟ୍ରାକ୍ଟର ଯୋଗେ ୭ କିମି ଦୂର ବେଲପାଳରେ ଜମା କରୁଛି। ସେଠାରୁ ଭାରୀଯାନ ସହାୟତାରେ ବେତନଟୀ ଦେଇ ବାହାରକୁ ଚାଲାଣ କରୁଛନ୍ତି। ଏ ସମସ୍ତ ସ୍ଥାନ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଆସୁଛି। ଦୁଇ ଜଣ ତହସିଲଦାର, ୩ଟି ଥାନାର ଆଇଆଇସି, ଜଣେ ଏସଡ଼ିପିଓ ଥିଲେ ହେଁ ତାଲାବନ୍ଦ ଓ ରାତ୍ରିକାଳୀନ କର୍ଫ୍ୟୁ ସମୟରେ ପ୍ରମୁଖ ରାସ୍ତାରେ ଭାରୀଯାନ ଚଳାଚଳ କାହାରିକୁ ଅଛଫା ନାହିଁ। ବଡ଼ସାହି ତହସିଲଦାର ଟ୍ରାକ୍ଟରକୁ ଜବତ କରିଥିଲେ ହେଁ ବାଲି ଉତ୍ତୋଳନ ସ୍ଥାନକୁ ଯାଇ ନଥିଲେ। ଏନେଇ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ରିସିଭ କରି ନଥିଲେ। ବଡ଼ସାହି-ବେତନଟୀ ରାସ୍ତା କ୍ଷମତା ଠାରୁ ଅଧିକ ଭାରୀଯାନ ଚଳାଚଳ ପାଇଁ ବେଲପାଳ ସେତୁ ବିପଦରେ ରହିଛି।
ସେହିପରି ଶଗଡ଼ଭଙ୍ଗା ପୋଲ ବିପଦ ସଙ୍କୁଳ ଘୋଷିତ ହୋଇଥିଲେ ମଧ୍ୟ ୭ ଟନରୁ ଅଧିକ ଭାରୀଯାନ ଦୈନିକ ଯାତାୟତ କରୁଛି। ଲିଜ ବାଲି ଖାଦାନରୁ ଉତ୍ତୋଳନ ପାଇଁ ବର୍ଷକୁ ଧାର୍ଯ୍ୟ ବାଲି ପରିମାଣ ଏହି ଯାତାୟତ ଭାରୀଯାନ ହିସାବକୁ ନେଲେ ମାତ୍ର ଦୁଇ ଦିନରେ ପୂରଣ ହେଉଛି। ଚାଲାଣ ପାଇଁ ଉଦ୍ଦିଷ୍ଟ ପରମିଟ ତହସିଲ କାର୍ଯ୍ୟାଳୟର କେତେକ ଅସାଧୁ କର୍ମଚାରୀଙ୍କ ସଲାସୁତରାରେ ଠକେଇ ଚାଲିଛି। ରାଜସ୍ୱ, ପୁଲିସ୍ ଅବା ପରିବହନ ବିଭାଗ ପକ୍ଷରୁ ଚଳିତ ବର୍ଷ ଦିନେ ହେଲେ ଏନେଇ ନା ଧରପଗଡ଼ କିଛି କରାଯାଉନି। ଲିଜଧାରୀ ମାନେ ପୂର୍ବରୁ ରାଜନେତା, ଥାନାଧିକାରୀ, ସରକାରୀ କର୍ମଚାରୀ ଓ ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରିଥିବା ଏକାଧିକ ମାମଲା ରହିଛି। ଏଣୁ ବିଜେପି ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ ସତ୍ତେ୍ୱ ତାଙ୍କ ବିଧାୟକଙ୍କ ନିର୍ବାଚନ ମଣ୍ଡଳୀରେ ବେଆଇନ ଭାବେ ଲଘୁ ଖଣିଜ ସମ୍ପଦ ଲୁଟ ପୂର୍ବବତ ଚାଲୁ ରହିବା ପଛରେ ସରକାରୀ ବାବୁଙ୍କ ଭୂମିକା ସନ୍ଦେହ ଘେରକୁ ଆସୁଛି।



