କଲମପୁର : ଅସରାଏ ବର୍ଷା ହେଲେ ଦୟନୀୟ ହେଉଛି କଲମପୁର ମୁଖ୍ୟ ବଜାରର ସ୍ଥିତି । ଜଳ ନିଷ୍କାସନ ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ଦିନ ଦିନ ଧରି ପାଣି ଜମି ରହୁଛି । ଯାହା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ପାଣି ନାଳି ପୋତି ହେବାରେ ଲାଗିଛି । ଯେଉଁଥିପାଇଁ ସେହି ମଇଳା ପାଣିରେ ମଶା, ମାଛି ବଂଶ ବିସ୍ତାର କରି ଚାଲିଛି । ରାଜ୍ୟରେ ଡେଙ୍ଗୁ ବ୍ୟାପୁଥିବା ବେଳେ କଲମପୁର ଅଂଚଳରେ ମଧ୍ୟ ମାସକ ମଧ୍ୟରେ ୪ରୁ ଅଧିକ ଡେଙ୍ଗୁ ସଂକ୍ରମିତଙ୍କ ଚିହ୍ନଟ ହେଇ ସାରିଛନ୍ତି। ଯାହା ଚିନ୍ତା ଜନକ । କଲମପୁର ମୁଖ୍ୟ ବଜାରର ଯେ କୌଣସି ଦୋକାନକୁ ଯିବାକୁ ହେଲେ ପାଣି କାଦୁଅ ଡେଇଁ ଯିବାକୁ ହେଉଛି। କେବଳ ଜନ ସାଧାରଣ ନୁହେଁ ମୁଖ୍ୟ ବଜାରରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ କାଦୁଅ ଜମି ରହିଥିବାରୁ କୋମଳମତି ଛାତ୍ରଛାତ୍ରୀ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ଅନେକ ସମୟରେ କାଦୁଅରେ ପଡି ଛାତ୍ର ଛାତ୍ରୀ ଘରକୁ ଫେରି ଯାଉଛନ୍ତି । ପୁଣି କିଛି ଛାତ୍ର ଛାତ୍ରୀ ଅପରିସ୍କାର ପୋଷାକରେ ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି । ଏଭଳି ଚିତ୍ର ଏହି ରାସ୍ତା ଦେଇ ବ୍ଲକ କାର୍ଯ୍ୟାଳୟକୁ ଯାଉଥିବା ବ୍ଲକ ସମେତ ଜିଲ୍ଲା ଓ ରାଜ୍ୟସ୍ତରର ଅଧିକାରୀଙ୍କ ଦୃଷ୍ଟି ଗୋଚର ନ ହେବା ପରିତାପର ବିଷୟ।

ତେଣୁ ଏହାର ସ୍ଥାୟୀ ସମାଧାନ ଦାବି ନେଇ ଶନିବାର ହାରାମାଲ ପଞ୍ଚାୟତର ପୂର୍ବତନ ସରପଂଚ ସଞ୍ଜୀବ କୁମାର ଠାକୁର, ଜଗନ୍ନାଥ ନାଏକ, ସୁନିଲ କୁମାର ବେହେରା, ସଞ୍ଜୟ କୁମାର ସାହୁ, ଦଧିବାହାନ ପ୍ରଧାନ, ସୌଭାଗ୍ୟ ନାଏକ ପ୍ରମୁଖ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କୁ ସାକ୍ଷାତ କରି ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି । ଏନେଇ ବିଡିଓ ଶ୍ରୀ ମାଣ୍ଡାଙ୍ଗିଙ୍କ ସହ ଯୋଗାଯୋଗ କରାଯାଇଥିଲା ସେ ନିଜେ ମୁଖ୍ୟ ବଜାରର ଅବସ୍ଥା ହୃଦୟଙ୍ଗମ କରିଥିବା ସ୍ୱୀକାର କରିଛନ୍ତି । ଏହାସହ ତୁରନ୍ତ ଏହାର ସ୍ଥାୟୀ ସମାଧାନ ପାଇଁ ବ୍ୟୟ ଅଟକଳ ପ୍ରସ୍ତୁତ ହେଇ ସାରିଥିବା ବେଳେ ସରକାରଙ୍କ ଅନୁଦାନ ଆସିଲେ କାର୍ଯ୍ୟ ଆରମ୍ଭ ହେବାର ସୁଚନା ଦେଇଛନ୍ତି। ଏହାସହ ବର୍ତ୍ତମାନ ସାମୟିକ ଭାବେ ସମାଧାନ ପାଇଁ କିଛି ପଥର ଗୁଣ୍ଡ ଦେଇ ସମତୁଲ କରିବା ପାଇଁ ସ୍ଥାନୀୟ ସରପଂଚଙ୍କୁ ପରାମର୍ଶ ଦେଇଥିବା ସୁଚନା ଦେଇଛନ୍ତି ।



