‘ରାଫେଲ ଆସୁ, ପାକିସ୍ତାନ ସୀମା ନିକଟକୁ ଆସିବାକୁ ସାହସ କରିବନି’

0

ଚଣ୍ଡିଗଡ଼: ରାଫେଲ ଯୁଦ୍ଧ ବିମାନ ଥରେ କେବଳ ଭାରତୀୟ ବାୟୁସେନାରେ ସାମିଲ ହେଉ, ପାକିସ୍ତାନ କେବେ ନିୟନ୍ତ୍ରଣ ରେଖା(ଏଲଓସି) କିମ୍ବା ସୀମା ନିକଟକୁ ଆସିବାକୁ ସାହସ କରିବ ନାହିଁ। ସୋମବାର ଏଭଳି ଚେତାବନୀ ଦେଇଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ବି.ଏସ. ଧାନୱା। ଏକ ଖବର ସରବରାହ ସଂସ୍ଥାକୁ ଧାନୱା ସୂଚନା ଦେଇ କହିଛନ୍ତି, ଭାରତୀୟ ଉପମହାଦେଶରେ ଯୁଦ୍ଧ ବିମାନ କ୍ଷେତ୍ରରେ ରାଫେଲ ସବୁଠାରୁ ଶ୍ରେଷ୍ଠ ଯୁଦ୍ଧ ବିମାନ ହେବ। ଏହାର ବାୟୁସେନାରେ ସାମିଲ ହେବା ପରେ ଆମର ପ୍ରତିରକ୍ଷା କ୍ଷେତ୍ରରେ ବହୁଗଣରେ ଶକ୍ତିଶାଳୀ ହେବ ଏବଂ ପାକିସ୍ତାନ କେବେ ନିୟନ୍ତ୍ରଣ ରେଖା ପାଖକୁ ଆସିବ ନାହିଁ।

ଫେବୃୟାରୀ ୨୬ରେ ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନର ଏପ-୧୬ ଯୁଦ୍ଧ ବିମାନ ଭାରତୀୟ ଆକାଶ ସୀମା ଉଲ୍ଲଂଘନ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ସେତେବେଳେ କୁହାଯାଉଥିଲା ଯେ, ଯଦି ଭାରତ ପାଖରେ ରାଫେଲ ଥାଆନ୍ତା, ତେବେ ପାକିସ୍ତାନୀ ଯୁଦ୍ଧ ବିମାନକୁ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଦେଇ ନ ଥାନ୍ତା। ରାଫେଲ ୧୫୦ କିମି ଦୂରରୁ ଶତ୍ରୁପକ୍ଷର ବିମାନ ଖସାଇବାର କ୍ଷମତା ରଖିଛି।

ଧାନୱା ଆହୁରି କହିଛନ୍ତି, ଆଗାମୀ ସେପ୍ଟେମ୍ବରରେ ରାଫେଲ ଭାରତକୁ ମିଳିବ। ଏହା ପରେ ଆମର ଶକ୍ତି ଭୀଷଣ ଭାବରେ ବୃଦ୍ଧି ପାଇବ। ଏହା ସହ ପ୍ରତିରକ୍ଷା କ୍ଷେତ୍ରରେ ଆମର ଦକ୍ଷତା ଚୀନ ଏବଂ ପାକିସ୍ତାନ ତୁଳନାରେ ଉନ୍ନତ ହେବ।

Leave A Reply