କାର୍‌ ଦୁର୍ଘଟଣାରୁ ବର୍ତ୍ତିଲେ ଆଝାରୁଦ୍ଦିନ୍

କୋଟା (ରାଜସ୍ଥାନ): ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ କାର୍ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଆଝାରୁଦ୍ଦିନଙ୍କ ଶରୀରରେ ଆଘାତ ଲାଗିନାହିଁ। ଆଝାରୁଦ୍ଦିନ୍ ତାଙ୍କ ପରିବାର ସହ ଛୁଟିକାଟିବା ପାଇଁ ରାଜସ୍ଥାନର ପ୍ରସିଦ୍ଧ ରାନ୍ଥାମ୍ବୋର ଜାତୀୟ ଉଦ୍ୟାନକୁ ଯାଉଥିଲେ। ସୱାଇମାଧୋପୁର ନିକଟସ୍ଥ ସୁରୱାଲରେ ଆଝାରୁଦ୍ଦିନ ବସିଥିବା କାର୍‌ର ପଛ ଚକ ଫାଟି ଯାଇଥିଲା। ଫଳରେ କାର୍‌ଟି ବିପରୀତ ଦିଗକୁ ଓଲଟି ଯାଇଥିଲା। ଦ୍ରୁତଗତିରେ ଯାଉଥିବାରୁ କାର୍‌ଟି ଏକାଧିକ ଥର ଓଲଟି ରାସ୍ତା କଡ଼ରେ ଥିବା ଏକ ଢାବାରେ ପଶି ଯାଇଥିଲା। ଫଳରେ ଉକ୍ତ ଢାବାରେ କାମ କରୁଥିବା ଜଣେ ଯୁବକ ଆହତ ହୋଇଛନ୍ତି। କାର୍‌ର ଡ୍ରାଇଭର ମଧ୍ୟ ଅଳ୍ପ ଆହତ ହୋଇଛନ୍ତି। ଆଝାରୁଦ୍ଦିନ ଆଗରେ ବସିଥିଲେ। ଦୁର୍ଘଟଣା ଯୋଗୁଁ କାର୍‌ର ଆଗ ସିଟ୍‌ର ଏୟାରବ୍ୟାଗ୍ ଖୋଲିଯିବାରୁ ଆଝାରଙ୍କ ଶରୀରରେ କୌଣସି କ୍ଷତି ହୋଇନାହିଁ। କାର୍‌ର ସମ୍ମୁଖ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଉ ଏକ ଭଡ଼ା କାର୍‌ରେ ଆଝାରୁଦ୍ଦିନ ଓ ତାଙ୍କ ପରିବାର ସଦସ୍ୟ ରାନ୍ଥାମ୍ବୋର ଯାଇଥିଲେ। ଗତ ସପ୍ତାହରେ ହାଇଦରାବାଦ କ୍ରିକେଟ୍‌ ଆସୋସିଏସନ୍‌ର ସଭାପତି ଭାବେ ଆଝାରୁଦ୍ଦିନ ବିସିସିଆଇର ଏଜିଏମ୍‌ରେ ଯୋଗ ଦେଇଥିଲେ। ପୂର୍ବଦିନ ସେ ବିସିସିଆଇ ସଦସ୍ୟଙ୍କର ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ଆଝାରୁଦ୍ଦିନ ୯୯ଟି ଟେଷ୍ଟ ଓ ୩୩୪ଟି ଦିନିକିଆ ମ୍ୟାଚ୍‌ ଖେଳି ଯଥାକ୍ରମେ ୬୨୧୫ ଓ ୯୩୭୮ ରନ୍ ସ୍କୋର୍ କରିଛନ୍ତି। ଆଝାର ୧୯୮୯ରୁ ୧୯୯୯ ପର୍ଯ୍ୟନ୍ତ ଭାରତର ଅଧିନାୟକ ଥିଲେ। ୩ଟି ବିଶ୍ବକପ୍‌ରେ ଆଝାରୁଦ୍ଦିନ ଭାରତୀୟ ଦଳର ଅଧିନାୟକ ଥିଲେ।

Comments are closed.