ଇସଲାମାବାଦ: ପାକିସ୍ତାନର କରାଚୀଠାରେ ଥିବା ଭାରତୀୟ ଦୂତାବାସକୁ କେତେଜଣ ଅଜଣା ବ୍ୟକ୍ତି ଜବରଦଖଲ କରିବାକୁ ଉଦ୍ୟମ କରିଛନ୍ତି। ଭାରତ ପକ୍ଷରୁ ପାକିସ୍ତାନ ନିକଟରେ ଏହାର ପ୍ରତିବାଦ କରାଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଉପ ଉଚ୍ଚାୟୁକ୍ତ ହାଇଦର ଶାହଙ୍କୁ ସମନ ଜାରି କରାଯାଇଥିଲା। ଉକ୍ତ ଦୂତାବାସଟି ଅନେକ ଦିନ ଧରି ବନ୍ଦ ରହିଥିବାବେଳେ ତାହାକୁ କୌଣସି ବ୍ୟକ୍ତି ଯେପରି ଅନଧିକାର ଭାବେ ନିଜ ଅକ୍ତିଆରକୁ ନେଇ ନ ପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ଭାରତ ପକ୍ଷରୁ ପାକ୍ ଉପ ଉଚ୍ଚାୟୁକ୍ତଙ୍କୁ କୁହାଯାଇଛି।
ମିଳିଥିବା ସୂଚନା ମୁତାବକ, ଗତ ବୁଧବାର ରାତିରେ କେତେଜଣ ଅଜଣା ବ୍ୟକ୍ତି ଦୂତାବାସ ପରିସରରେ ମୁତୟନ ଥିବା ଘରୋଇ ସୁରକ୍ଷା କର୍ମୀଙ୍କୁ ଧମକାଇ ଭିତରେ ପ୍ରବେଶ କରିବା ସହିତ ତାହାକୁ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ। ଘଟଣା ପରେ ଏକ କୂଟନୈତିକ ଚିଠିରେ ଭାରତ ପକ୍ଷରୁ କୁହାଯାଇଛି ଯେ, ବୁଧବାର ରାତିରେ ଘଟିଥିବା ଏହି ଘଟଣା ଅତି ସମ୍ବେଦନଶୀଳ। ବନ୍ଦ ରହିଥିବା ଦୂତାବାସକୁ ଅନଧିକାର ଭାବେ ଅକ୍ତିଆର କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଦୂତାବାସ ପରିସରରୁ ବାହାର କରିବା ଉଚିତ। ସୂଚନାଯୋଗ୍ୟ, ଏହି ଦୂତାବାସକୁ ୧୯୯୪ରେ ବନ୍ଦ କରିଦିଆଯାଇଥିଲା।



