ମୁମ୍ବଇ: ଆଣ୍ଟିଲିଆ ବାହାରେ ଠାବ ହୋଇଥିବା ବିସ୍ଫୋରକ ଭର୍ତ୍ତି ଗାଡ଼ିର ମାଲିକ ମନସୁଖ ହିରେନ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ଏଟିଏସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୁମ୍ବଇ ପୁଲିସରୁ ନିଲମ୍ବିତ କନଷ୍ଟେବଳ ବିନାୟକ ସିନ୍ଦେ ଏବଂ ଅନ୍ୟ ଜଣେ ବୁକି ନରେଶ ଧାରେ। ମନସୁଖଙ୍କ ମୃତ୍ୟୁ ପଛରେ ଏହି ଦୁଇଜଣଙ୍କ ହାତ ଥିବା ପୁଲିସ ସନ୍ଦେହ କରିଛି।
ଅନ୍ୟପଟେ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାରେ ମୁମ୍ବଇ ପୁଲିସରୁ ନିଲମ୍ବିତ ହୋଇଥିବା କର୍ମଚାରୀ ବିନାୟକ ସିନ୍ଦେ ଏବଂ ନରେଶ ଧାରେଙ୍କୁ ମହାରାଷ୍ଟ୍ର ଏଟିଏସ ଗିରଫ କରିଛି। ଉଲ୍ଲେଖ ଯେ, ମନସୁଖଙ୍କ ସ୍କର୍ପିଓକୁ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରେ ରଖାଯାଇଥିଲା, ଯେଉଁଥିରେ ବିସ୍ଫୋରକ ଭର୍ତ୍ତି ହୋଇଥିଲା।
ମୁମ୍ବଇରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରେ ଜିଲାଟିନ ଭର୍ତ୍ତି ସ୍କର୍ପିଓ ମିଳିବାର କିଛି ଦିନ ପରେ ମନସୁଖଙ୍କ ମୃତ୍ୟୁ ଘଟିଥିଲା। ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଗୃହ ମନ୍ତ୍ରଣାଳୟ ମନସୁଖ ହିରେନଙ୍କ ମୃତ୍ୟୁର ତଦନ୍ତ ଏନଆଇଏକୁ ଦେଇଛି। ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍ (ଏଟିଏସ) ବର୍ତ୍ତମାନ ସୁଦ୍ଧା ଏହି ମାମଲାର ତଦନ୍ତ କରୁଥିଲା। ଗତ ୫ ତାରିଖରେ ମୁମ୍ବଇର ଏକ ନଦୀକୂଳରୁ ହିରେନଙ୍କ ମୃତଦେହ ମିଳିଥିଲା। ପ୍ରାରମ୍ଭରୁ ଏହା ଏକ ଆତ୍ମହତ୍ୟା ବୋଲି ମୁମ୍ବଇ ପୁଲିସ ଅନୁମାନ କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହିରେନଙ୍କ ସ୍ତ୍ରୀ ନିଜ ସ୍ବାମୀଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ ସଚିନ ବାଜେଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। ଏହା ପରେ ତଦନ୍ତକୁ ତ୍ଵରାନ୍ବିତ କରାଯାଇଥିଲା, ଯାହାର ଫଳସ୍ବରୂପ ଆଜି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।



