ଆନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ଦିବସରେ ସଚେତନତା

ଆଠଗଡ଼: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ରାଜନଗର ପଞ୍ଚାୟତ ଅନ୍ତର୍ଗତ ବନଖଣ୍ଡି ଗ୍ରାମରେ ଶନିବାର ଆନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପରାମର୍ଶକ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏଥିରେ ସଂଯୋଜନା କରି ଅସ୍ପଷ୍ଟ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ସ୍ପଷ୍ଟ ଉଚ୍ଚାରଣ କରିପାରୁନଥିବା ଅଥବା ଖନେଇ କଥା କହୁଥିବା ଲୋକଙ୍କୁ ଥଟ୍ଟା ପରିହାସ ନକରିବା ଏବଂ ସେମାନଙ୍କୁ ହୀନ ଦୃଷ୍ଟିରେ ନଦେଖିବା ଲାଗି ପରାମର୍ଶ ଦେଇଥିଲେ। ୨-୫ବର୍ଷ ମଧ୍ୟରେ ପ୍ରାୟ ୫ପ୍ରତିଶତ ଶିଶୁ ଖନେଇ କରି କଥା କୁହନ୍ତି। ଏଥିରେ ସୁଧାର ଅଣାନଗଲେ କେତେକଙ୍କ କ୍ଷେତ୍ରରେ ତାହା ଆଜୀବନ ରହିଯାଏ। ଝିଅଙ୍କ ତୁଳନାରେ ପୁଅମାନେ ବେଶୀ ଖନା ହେବାର ଆଶଙ୍କା ରହିଛି। ଏହା ଏକ ସ୍ନାୟୁଗତ ବିକାର ଓ ଜିନଦୋଷରୁ ମଧ୍ୟ ହୋଇଥାଏ। ଶିଶୁ ଏକୁଟିଆ ଅଧିକ ସମୟ ରହୁଥିଲେ। ଏହି ସମସ୍ୟାର ଶିକାର ହୋଇପାରେ ବୋଲି ଶ୍ରୀ ଅସଲମ ମତବ୍ୟକ୍ତ କରିଥିଲେ। ମେଘା ସେକ୍ଟରର ୮ଗୋଟି ପଞ୍ଚାୟତର ୪୮ଗୋଟି ଗ୍ରାମରେ ଏକ ସର୍ଭେ କରାଯାଇ ୪ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ପରାମର୍ଶ ଓ ଚିକିତ୍ସା ସେବା ପାଇଁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟକର୍ମୀ ନମିତା ଲେଙ୍କା, ଅଙ୍ଗନବାଡି କର୍ମୀ ମଧୁସ୍ମିତା ପ୍ରଧାନ ଓ ଆଶାକର୍ମୀ ଉର୍ବଶୀ ପରିଡ଼ାଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.