ଆଠଗଡ଼: ଆଠଗଡ଼ ବ୍ଲକର ୧ନଂ ଜିଲ୍ଲାପରିଷଦ ଜୋନରେ ୩ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଥିବାବେଳେ ଏବେ ସବୁ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପ୍ରଚାର ଦୌଡରେ ସର୍ବାଗ୍ରେ ରହିଛନ୍ତି ଶାସକ ଦଳୀୟ ପ୍ରାର୍ଥୀ। ଆଠଗଡ଼ ବ୍ଲକର ୧ନଂ ଜିଲ୍ଲା ପରିଷଦ ଜୋନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏହି ଜୋନ ଅଧିନରେ ମୋଟ ୧୦ଟି ପଞ୍ଚାୟତର ୩୫୯୫୮ଭୋଟର ଆସନ୍ତା ୨୨ତାରିଖରେ ୪ର୍ଥ ପର୍ଯ୍ୟାୟରେ ନିଜ ମତଦାନ ସାବ୍ୟସ୍ତ କରିବେ। ଆଉ ମାତ୍ର ୯-୧୦ଦିନ ପ୍ରଚାର ଲାଗି ସମୟ ଥିବାବେଳେ ଏବେ ପ୍ରଚାର କାର୍ଯ୍ୟରେ ସବୁଦଳର ପ୍ରାର୍ଥୀ ଜୋରସୋରରେ ଲାଗି ପଡ଼ିଛନ୍ତି।
ବିଶେଷ କରି ଶାସକ ବିଜେଡି ଦଳର ପ୍ରାର୍ଥୀନୀ ଶାନ୍ତିଲତା ବେହେରା(ଅଶାନ୍ତି) ପ୍ରଥମ ପର୍ଯ୍ୟାୟରେ ୧୦ଟି ଯାକ ପଞ୍ଚାୟତରେ ଘରକୁ ଘର ବୁଲି ନିଜ ପାଇଁ ପ୍ରଚାର ଶେଷ କରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତ ଅଧିନ ଗ୍ରାମଗୁଡିକରେ ଥିବା ବିଭିନ୍ନ କମିଟି ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧରି ସଭା ସମିତି ମାଧ୍ୟମରେ ପ୍ରଚାର ଚଳାଇଛନ୍ତି। ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶକ୍ରମେ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡ଼ା, ଜିଲ୍ଲା ବିଜେଡି ଉପସଭାପତି ନୃସିଂହ ମହାପାତ୍ର ପ୍ରମୁଖଙ୍କ ସମେତ ପଞ୍ଚାୟତସ୍ତରୀୟ ନେତା ଓ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଭାବେ ବିଜେଡି ଦଳର ସମର୍ଥନ ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ସାଥିରେ ନେଇ ଶାନ୍ତିଲତା ପ୍ରଚାର ଚଳାଇଛନ୍ତି।
ଗୁରୁବାର ସମସରପୁର, ଜେନାପଦା, ଇଚ୍ଛାପୁର, ବଡଭୂଇଁ ଓ ଖୁଣ୍ଟକଟା ପଞ୍ଚାୟତରେ ଏବଂ ଶୁକ୍ରବାର ଜୋରନ୍ଦା, ତରଡିଙ୍ଗ, ଦୋରଡ ଓ ସଠିଲୋ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶ୍ରୀମତୀ ବେହେରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମ କମିଟି ମାନଙ୍କ ସହିତ ସଭାକରି ନିଜ ପାଇଁ ସମର୍ଥନ ଭିକ୍ଷା କରିଥିଲେ। ମହିଳା ବିଜେଡି ନେତ୍ରୀ ପ୍ରତିମା ମହାନ୍ତି, ସୁମିତ୍ରା ଖଟୁଆ, ମେରିୟମ ଜେନାଙ୍କ ସମେତ ଆଠଗଡ଼ ସହରର କେତେକ ମହିଳା ବିଜେଡି ନେତ୍ରୀ ଶାନ୍ତିଲତାଙ୍କ ସହିତ ପ୍ରଚାର କାର୍ଯ୍ୟରେ ସହଯୋଗ କରୁଥିବା ଦେଖାଯାଇଛି। ସୂଚନାଥାଉକି ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଏହି ୧ନଂ ଜୋନରେ ଶାନ୍ତିଲତା ବିଜେଡି ପ୍ରାର୍ଥୀନୀ ଭାବେ ଜିଲ୍ଲାପରିଷଦ ଆସନ ଅଳଙ୍କୃତ କରିଥିଲେ। ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀନୀ ସନ୍ତୋଷିନୀ ଜେନା ଓ କଂଗ୍ରେସ ପ୍ରାର୍ଥୀନୀ ମନମୋହିନୀ ଧଳଙ୍କ ସହିତ ଶାନ୍ତିଲତାଙ୍କର ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି।



