ଆଠଗଡ: ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଜଣେ ପ୍ରବକ୍ତା ଭଗବାନ ବିଷ୍ଣୁ ଓ ମହର୍ଷି ନାରଦଙ୍କ ବାବଦରେ ଅପଶବ୍ଦ ବ୍ୟବହାର କରିଥିବାରୁ ବୈଦିକ ବ୍ରାହ୍ମଣ ପରିଷଦ ଆଠଗଡ ଶାଖା ପକ୍ଷରୁ ଏ ନେଇ ତାଙ୍କ ବିରୋଧରେ ଆଠଗଡ ଥାନାରେ ଏତଲା ଦେଇଥିବା ଜଣାପଡିଛି। ଗତ ୨୧ ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ଚାନେଲରେ ପ୍ରବକ୍ତା ଚାରଣ ରାମଦାସ ଭଗବାନ ବିଷ୍ଣୁ ଓ ଦେବର୍ଷି ନାରଦଙ୍କ ସଂପର୍କରେ ଅପଶବ୍ଦ ବ୍ୟବହାର କରିବା ଦ୍ୱାରା ଅଗଣିତ ଲୋକଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ଦର୍ଶାଇ ଏ ପ୍ରକାର ଦୁର୍ବଚନ ଏକ ସାମାଜିକ ଅପରାଧ ବୋଲି ବିବେଚନା କରି ସଂପୃକ୍ତ ପ୍ରବକ୍ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବୈଦିକ ବ୍ରାହ୍ମଣ ପରିଷଦ ପକ୍ଷରୁ ଦାବି କରାଯାଇଛି।
ଜିଲ୍ଲା ଉପାଧ୍ୟକ୍ଷ ଦେବୀପ୍ରସାଦ ଶତପଥୀ ଓ ଯୁଗ୍ମ ସଭାପତି ବିଭୂପ୍ରସାଦ ଦାଶଙ୍କ ନେତୃତ୍ୱରେ ବିଭୂତି କୁମାର ନନ୍ଦ, ସ୍ୱାଗତ କୁମାର ପଣ୍ଡା, ରସାନ୍ତ କୁମାର ଦାଶ ପ୍ରମୁଖ ଆଠଗଡ ଥାନା ଆଇଆଇସିଙ୍କୁ ଭେଟି ଚାରଣ ରାମଦାସଙ୍କ ବିରୋଧରେ ଏତଲା ପ୍ରଦାନ କରିଥିଲେ।



