ଆଠଗଡ : କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ଦୁର୍ଗାପୂଜା ଓ ଦଶହରା ଫିକା ପଡିଯାଇଥିବାବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦେବୀପୀଠ ଗୁଡିକରେ ଯଥାବିଧି ପୂଜାନୀତି କରାଯାଉଛି। ସେହିପରି ପୂଜାମଣ୍ଡପ ଗୁଡିକରେ ପୂର୍ବପରି ସାଜସଜ୍ଜା ନଥିବାବେଳେ କେବଳ ପରମ୍ପରାକୁ ବଜାୟ ରଖିବାକୁ ବିନାଭକ୍ତଙ୍କ ଉପସ୍ଥିତିରେ କେବଳ ପୂଜାନୀତି ସମ୍ପନ୍ନ କରାଯାଉଛି। ଆଠଗଡର ଦକ୍ଷିଣଚଣ୍ଡୀ, ମା’ ବାଉତୀ ଓ ଉତ୍ତରାଚଣ୍ଡୀ ଆଦି ଦେବୀପୀଠରେ ଶୁକ୍ରବାର ଭକ୍ତଙ୍କ ଅନୁପସ୍ଥିତିରେ କୋଭିଡ କଟକଣା ଅନୁପାଳନ ପୂର୍ବକ ମହାଷ୍ଟମୀରେ ପାରମ୍ପରିକ ପୂଜାନୀତି ସମ୍ପନ୍ନ ହୋଇଛି।
ପ୍ରତ୍ୟୁଷରେ ଦ୍ୱାରଫିଟା, ମଙ୍ଗଳ ଆଳତୀ, ରୋଷହୋମ, ସ୍ନାନ ପରେ ତଡପ ଲାଗି ବାଳଭୋଗ, ଚଣ୍ଡୀପାଠ, ମହାସ୍ନାନ ଉପାରନ୍ତେ ଦେବୀଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା। ଅପରାହ୍ନରେ ଦ୍ୱିପ୍ରହର ଭୋଗ, ହୋମ, ତର୍ପଣ, ମାର୍ଜନ ଓ ଭୈରବ ପୂଜାନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ୧୦୮କାଠିରେ ସନ୍ଧ୍ୟା ଆଳତୀ, ରାତ୍ରି ଧୂପ ଲାଗି, ପଶ୍ୱାଙ୍ଗ ହୋମ ଓ ବଳିଧୂପ ପରେ ମା’ଙ୍କୁ ସରସ୍ୱତୀ ବେଶ ଓ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ରାତ୍ରିରେ ଯଜ୍ଞ ପୂର୍ଣ୍ଣାହୁତି ସହ ମହାଷ୍ଟମୀର ସମସ୍ତ ନୀତି ସମ୍ପନ୍ନ ହୋଇଥିଲା। କନ୍ତୋଲସ୍ଥିତ ଦକ୍ଷିଣଚଣ୍ଡୀ ମନ୍ଦିରରେ ମୁଖ୍ୟ ପୂଜକ ସୁଶାନ୍ତ କୁମାର ମିଶ୍ର, ସେବକ ହୃଷିକେଶ ମହାପାତ୍ର ଓ ମହେଶ୍ୱର ମହାପାତ୍ର ଏବଂ ମା’ ବାଉତୀଙ୍କ ମନ୍ଦିରରେ ରୁଦ୍ରନାରାୟଣ ପଣ୍ଡା ଓ ସ୍ୱାଗତ କୁମାର ପଣ୍ଡା ନିଷ୍ଠାର ସମସ୍ତ ପୂଜାନୀତି ସମ୍ପନ୍ନ କରିଥିଲେ। ସେହିପରି ସମସ୍ତ ଦୁର୍ଗାପୂଜା ମଣ୍ଡପରେ ଶୁକ୍ରବାର ମହାସପ୍ତମୀର ପୂଜାନୀତି ସମ୍ପନ୍ନ ହୋଇଛି।



