ଅତାବିରା: ରବି ଧାନ କିଣାବିକା, ମଣ୍ଡି ବ୍ୟବସ୍ଥା ଆଦି ପାଇଁ ଘଡିକୁ ଘଡି ବଦଳି ଚାଲୁଛି ସରକାରୀ ନୀତି ନିୟମ କିନ୍ତୁ କାହା ନିର୍ଦ୍ଦେଶରେ ଓ କେଉଁ ସ୍ୱାର୍ଥରେ ଏହି ନିୟମ ପରିବର୍ତ୍ତନ ହେଉଛି ତାହା କେହି ଜାଣି ପାରୁନାହାନ୍ତି। ହେଲେ ଏ ସବୁରେ ଘାଣ୍ଟି ଚକଟି ହେଉଛି ନିରୀହ ଚାଷୀ, ଆଉ ଶେଷରେ ଅନ୍ୟ କିଛି ଉପାୟ ନ ପାଇ ଆତ୍ମହତ୍ୟା କରିବା ତା ପାଇଁ ଶ୍ରେୟସ୍କର ହୋଇପଡ଼ୁଛି। ତେଣୁ ଧାନ କ୍ରୟରେ ଚାଲୁଥିବା ରାଜନୀତି ପ୍ରତ୍ୟକ୍ଷ ଭାବରେ ହେଉ ବା ପରୋକ୍ଷ ଭାବରେ କିପରି ଚାଷୀଙ୍କୁ ତଳି ତଳାନ୍ତ କରୁଛି ସେ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ପକ୍ଷରୁ ଏକ ସ୍ବତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ହାରଧାନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଅଞ୍ଚଳର ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ରହିଥିଲେ।
ସାଧାରଣତଃ ମଇ ୧ ତାରିଖରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟ କ୍ରମେ ଧାନ କ୍ରୟ ପାଇଁ ମଣ୍ଡି ଖୋଲିଥାଏ ଓ ସେହି ଅନୁସାରେ ଚାଷୀ କେଉଁ ପର୍ଯ୍ୟାୟରେ ଧାନ ବିକ୍ରୟ କରିପାରିବେ, ସେହି ପର୍ଯ୍ୟାୟ ଅନୁସାରେ ତାଙ୍କୁ ଟୋକନ୍ ପ୍ରଦାନ କରାଯାଇଥାଏ ଯାହା ସରକାର ନିୟମ ଉଲ୍ଲେଖ କରିଛନ୍ତି। ଚଳିତ ରବି ଧାନ କ୍ରୟ ପାଇଁ ମଇ ୧ରୁ ମଣ୍ଡି ଖୋଲିବ ବୋଲି ନିୟମ ଧାର୍ଯ୍ୟ ରହିଥିବା ବେଳେ କାହା ନିର୍ଦ୍ଦେଶରେ ପୁଣି ତାହା ମଇ ୧୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି ସଂଗଠନ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ମଇ ୧ ରୁ ୧୫ ଭିତରେ ଧାନ ବିକିବା ପାଇଁ ଯେଉଁ ଚାଷୀଙ୍କୁ ଟୋକନ ଦିଆଯାଇଥିଲା, ସେ କେମିତି ଧାନ ବିକ୍ରୟ କରିପାରିବ, ତାର ଟୋକନ ଆପଣା ଛାଏଁ ବାତିଲ ହୋଇଯିବ। ଚାଷୀ ଧାନ ବିକ୍ରି କରି ନ ପାରି ଯଦି କ୍ଷତିର ସମ୍ମୁଖିନ ହୁଏ ତେବେ ଏଥିପାଇଁ ଦାୟୀ କିଏ ହେବ ବୋଲି ସଂଗଠନ ପ୍ରଶ୍ନ କରିଛି।
ଏହି ବୈଠକରେ ସଂଗଠନର ସମ୍ପାଦକ ଲୋକେଶ୍ୱର୍ ପ୍ରଧାନ, ଉପଦେଷ୍ଟା ବୃଷାଭାନୁ ସାହୁ, ଆଜୀବନ ସଭ୍ୟ ବସନ୍ତ ବାରିକ୍, ଭିକାରୀ ବାରିକ୍, ପଲଉ ମାଝୀ, ହୃଷି ପ୍ରଧାନ, ପଞ୍ଚାନନ ପ୍ରଧାନ, ଗଣେଶ ମାଝୀ, ଶ୍ରୀପତି ବାରିକ୍, ଉପେନ୍ଦ୍ର ବେହେରାଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।



