ବିଧାନସଭା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ୱର : ଚଳିତମାସ ୪ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଚଦଶ ବିଧାନସଭାର ତ୍ରୟୋଦଶ ତଥା ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ଆଜି ଅପରାହ୍ନରେ ବାଚସ୍ପତି ଗୃହକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଏହି ଅଧିବେଶନରେ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ୧୨,୭୯୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ ପାରିତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ହଟ୍ଟଗୋଳ କରିବା ଯୋଗୁଁ ଅଧିବେଶନ କାଳରେ ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲିପାରିନଥିଲା।
ପ୍ରଥମ ଦିନ ଶୋକପ୍ରସ୍ତାବକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ହୋଇଥିଲେ। ଆରମ୍ଭରୁ ସରଗରମ ହୋଇଥିଲା ବିଧାନସଭା। ତେଲ ଦର ବୃଦ୍ଧି, ଚାରା, ଓମଫେଡ ଓ ସମବାୟ ଦୁର୍ନୀତି ଏବଂ ଶିକ୍ଷକ ସମସ୍ୟା ଆଦି ପ୍ରସଙ୍ଗକୁୁ ନେଇ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଚିଲିକାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣ ଏବଂ ତାଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ଓଡ଼ିଶା ବିରୋଧୀ ମନ୍ତବ୍ୟକୁ ନେଇ ଗୃହରେ ଝଡ଼ ସୃଷ୍ଟି ହୋଇଥିଲା। ଅଭିଜିତଙ୍କ ବିରୋଧରେ ଆସିଥିବା ସ୍ୱାଧିକାର ଭଙ୍ଗ ନୋଟିସ ଉପରେ ଆଲୋଚନା କରାଯାଇ ଏହାର ଅନୁଧ୍ୟାନ ପାଇଁ କମିଟି ଗଠନ କରାଯାଇଛି।
ଉଦ୍ଯାପନୀ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ କାର୍ଯ୍ୟରେ ସହଯୋଗ ପାଇଁ ସମସ୍ତ ସଦସ୍ୟ, ବିରୋଧୀ ଦଳ, ସରକାରୀ କର୍ମଚାରୀ, ବିଧାନସଭା ସଚିବାଳୟର କର୍ମଚାରୀ, ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ, ସମ୍ବାଦ ପରିବେଷଣ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେଇଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଏବଂ ଶେଷରେ ବାଚସ୍ପତି ପ୍ରଦୀପକୁମାର ଅମାତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଗୃହର ମଧ୍ୟଭାଗକୁ ଯାଇ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କ ସହ କରମର୍ଦ୍ଦନ କରିଥିଲେ।
୧୧ଟି କାର୍ଯ୍ୟ ଦିବସ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ୧୨ଟି ବିଧେୟକ ପାରିତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ନିକଟରୁ ଫେରିଥିବା ଗୋଟିଏ ବିଧେୟକ ଉପରେ ପୁନର୍ବିଚାର କରାଯାଇ ଗୃହର ଅନୁମୋଦନ ଦିଆଯାଇଛି। ଅଧିବେଶନ କାଳରେ ପାଞ୍ଚଟି ମୁଲତବୀ ପ୍ରସ୍ତାବ ଉପରେ ନୋଟିସ ଗ୍ରହଣ କରାଯାଇଥିଲା ଏବଂ ତିନିଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ୧୦୪୯ଟି ତାରକା ଚିହ୍ନିତ ପ୍ରଶ୍ନ ଉପରେ ନୋଟିସ ଗ୍ରହଣ କରାଯାଇଥିବା ସମୟରେ ୫ଟି ତାରକା ଚିହ୍ନିତ ପ୍ରଶ୍ନର ମୌଖିକ ଉତ୍ତର ପ୍ରଦାନ କରାଯାଇଛି।
୧୭୧୪ଟି ଅଣତାରକା ଚିହ୍ନିତ ପ୍ରଶ୍ନର ନୋଟିସ ଗ୍ରହଣ କରାଯାଇଥିବା ବେଳେ ୨୧୩୪ଟିର ଉତ୍ତର ଉପସ୍ଥାପିତ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସମେତ ୯ଜଣଙ୍କ ବିୟୋଗରେ ଶୋକପ୍ରସ୍ତାବ ଆସିଥିଲା।
ଅଧିବେଶନରେ ଅତିରିକ୍ତ ବଜେଟ ଉପରେ ଦୁଇଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିବା ବେଳେ ୧୧୩ଟି କାଗଜ ଏବଂ ୧୮ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଛି। ୩ଟି ସରକାରୀ ସଙ୍କଳ୍ପ ପାରିତ ହୋଇଛି। ଚାରିଟି କମିଟି ରିପୋର୍ଟ ପ୍ରଦାନ କରାଯାଇଛି। ଏହି ଅଧିବେଶନର ଶେଷ ଦିନ ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଛି।
ପାରିତ ବିଧେୟକ:
ମୌସୁମୀ ଅଧିବେଶନରେ ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା(ଦ୍ୱିତୀୟ ସଂଶୋଧନ) ବିଧେୟକ, ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ(ସଂଶୋଧନ) ବିଧେୟକ, ଓଡ଼ିଶା ପୌର (ସଂଶୋଧନ) ବିଧେୟକ, ଓଡ଼ିଶା ପୌର ନିଗମ(ସଂଶୋଧନ) ବିଧେୟକ, ଓଡ଼ିଶା ସରକାରୀ ଭାଷା (ଦ୍ୱିତୀୟ ସଂଶୋଧନ) ବିଧେୟକ, ଓଡ଼ିଶା ସମବାୟ ସମିତି(ସଂଶୋଧନ) ବିଧେୟକ, ଓଡ଼ିଶା ମୂଲ୍ୟଯୁକ୍ତ କର(ସଂଶୋଧନ) ବିଧେୟକ, ଓଡ଼ିଶା ଦ୍ରବ୍ୟ ଓ ସେବାକର (ସଂଶୋଧନ) ବିଧେୟକ, ବିହାର ଓଡ଼ିଶା ତୀର୍ଥ ସ୍ଥାନ(ଓଡ଼ିଶା ନିରସନ) ବିଧେୟକ, ଓଡ଼ିଶା ହିନ୍ଦୁ ଦେବୋତ୍ତର(ସଂଶୋଧନ) ବିଧେୟକ, ଗାନ୍ଧୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଧେୟକ, ଓଡ଼ିଶା ବିନିଯୋଗ(ସଂଖ୍ୟା୨) ବିଧେୟକ ପାରିତ ହୋଇଛି। ସେହିପରି ରାଷ୍ଟ୍ରପତିଙ୍କ ନିକଟରୁ ଫେରିଥିବା ଓଡ଼ିଶା ଭୂତଳ ଜଳ(ନିୟନ୍ତ୍ରଣ, ବିକାଶ ଓ ପରିଚାଳନା) ବିଧେୟକ-୨୦୧୧ରେ ଆବଶ୍ୟକ ସଂଶୋଧନ କରାଯାଇଛି।
ସଙ୍କଳ୍ପ:
ବିଧାନ ପରିଷଦ ଗଠନ, ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା, ସମ୍ବିଧାନର ମୁଖବନ୍ଧରେ ଅହିଂସା ନୀତି ସ୍ଥାନିତ କରାଯିବା ନେଇ ସଙ୍କଳ୍ପ ପାରିତ ହୋଇଛି।