ନୂଆଦିଲ୍ଲୀ : ସୋମବାର ଠାରୁ ଖୋଲୁଛି ଦେଶର ଐତିହ୍ୟସ୍ଥଳ। ମହାମାରୀ କରୋନା ପାଇଁ ଲକ୍ ଡାଉନ ହେବାର ପ୍ରାୟ ଶହେ ଦିନ ପରେ ଦେଶର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ତତ୍ତ୍ୱାବଧାନରେ ଥିବା ଦେଶର ୮୨୦ଟି ଐତିହ୍ୟ କୀର୍ତ୍ତିରାଜି ଖୋଲିବାକୁ ଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦେଶରେ ପୂଜାପାଠ ହେଉଥିବା ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ଖୋଲିବ ନାହିଁ । କେବଳ ଐତିହ୍ୟ କୀର୍ତ୍ତିରାଜି ଯେଉଁଠାରେ ପୂଜାପାଠ ହେଉନଥିବ ସେହିଗୁଡିକ ଖୋଲା ଯିବ । କରୋନା କଟକଣା ମାନି ପର୍ଯ୍ୟଟକମାନେ ଏହି ସବୁ ଐତିହ୍ୟ କୀର୍ତ୍ତିରାଜି ପୁଣି ଥରେ ବୁଲି ଦେଖି ପାରିବେ । ତେବେ ଯେଉଁସବୁ ପର୍ୟ୍ୟଟନ ସ୍ଥଳୀ କଣ୍ଟେନମେଣ୍ଟ ଜୋନ୍ ଭିତରେ ଆସୁ ନଥିବ ସେସବୁ ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲାଯାଉଛି ।
ପର୍ଯ୍ୟଟକ ମାନଙ୍କ ପାଇଁ କଣ ରହିଛି କଟକଣା
୧. ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳନ , ପ୍ରବେଶରେ ଥର୍ମାଲ ସ୍କ୍ରିନିଂ କରାଯିବ
୨. ମାସ୍କ ଓ ଗ୍ଲୋବସ ପିନ୍ଧିବେ ଓ ସାନିଟାଇଜର୍ ବ୍ୟବହାର କରିବେ
୩. ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
୪. ପ୍ରବେଶ ପୂର୍ବରୁ ପର୍ଯ୍ୟଟକଙ୍କ ଆରୋଗ୍ୟ ସେତୁ ଷ୍ଟାଟର୍ସ ଯାଞ୍ଚ ହେବ
୫. ଏଏସଆଇ ପକ୍ଷରୁ ପର୍ଯ୍ୟଟକଙ୍କ ଫୋନ୍ ନମ୍ୱର ଏବଂ ଠିକଣା ରଖାଯିବ
୬. ଇ-ଟିକେଟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ
୭. ସାମାଜିକ ଦୂରତାକୁ କଡ଼ାକଡ଼ି ମାନିବେ ପର୍ଯ୍ୟଟକ
୮. ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଯାଏ ବୁଲାବାଲି କରିବେ ପର୍ଯ୍ୟଟକ
୯. କୌଣସି ରେଲିଂ, କାନ୍ଥ, ଫଟୋଗ୍ରାଫ, ମୂର୍ତ୍ତି ଆଦିରେ ହାତ ଲଗାଇବେ ନାହିଁ
୧୦. ପାର୍କି ଅଞ୍ଚଳରେ ବି ଇ-ଟିକେଟ ବ୍ୟବସ୍ଥା କରାଯିବ
୧୧. ଡିଜିଟାଲ୍ ପେମେଣ୍ଟ ବାଧ୍ୟତାମୂଳକ
ତେବେ ଆଗ୍ରାରେ ୫୫ଟି ନୂଆ କୋଭିଡ -୧୯ ମାମଲା ଚିହ୍ନଟ ହେବା ପରେ ତାଜମହଲ ଏବଂ ଫତେହପୁର ସିକ୍ରି ଆଜି ଖୋଲିବ ନାହିଁ। ବର୍ତ୍ତମାନ, ଆଗ୍ରାରେ ୭୧ କଣ୍ଟେନମେଣ୍ଟ ଜୋନ୍ ଅଛି ।କୋଭିଡ୍ ସଂକ୍ରମଣ ବଢୁଥିବାରୁ କିଛି ପର୍ଯ୍ୟଟନସ୍ଥଳୀ ଖୋଲିବା ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ। ସେହିପରି ନିଜାମୁଦ୍ଦିନ ଦରଘା ଖୋଲିବ ନାହିଁ।
ଅନ୍ୟପଟେ ଓଡିଶାର ଖୋର୍ଦ୍ଧା ଓ ପୁରୀ ଜିଲାରେ ଥିବା ଐତିହ୍ୟସ୍ଥଳ ବର୍ତ୍ତମାନ ପରିସ୍ଥିତିରେ ନଖୋଲିବା ପାଇଁ ଉଭୟ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧାରେ ଖଣ୍ଡଗିରି ଓ ଉଦୟଗିରି ସମେତ ୯ଟି ଐତିହ୍ୟସ୍ଥଳ ବର୍ତ୍ତମାନ ନ ଖୋଲିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏସବୁ ଐତିହ୍ୟ କୀର୍ତ୍ତିରାଜୀ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସ୍ଆଇ) ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲାପାଳ ସିତାଂଶୁ କୁମାର ରାଉତ ଚିଠି ଲେଖିଛନ୍ତି। ସେହିପରି ପୁରୀ ଓ କୋଣାର୍କ ମଧ୍ୟ ବର୍ତ୍ତମାନ ନ ଖୋଲିବା ପାଇଁ ପୁରୀ ଜିଲାପାଳ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସ୍ଆଇ) ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ମଧ୍ୟ ଚିଠି ଲେଖିଛନ୍ତି।



