ଚିତ୍ରରେ ଓଡିଶାର କଳା ଓ ସଂସ୍କୃତିର ବିଭବ

କୋଲକାତା ଠାରେ ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡିଶାର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ମିଳିତ ସହଯୋଗରେ କୋଲକାତା ସ୍ଥିତ ଆଇ.ସି.ସି.ଆର. ଅବନୀନ୍ଦ୍ରନାଥ ଟାଗୋର ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଛି ଓଡ଼ିଶାର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ। ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ପର୍ୟ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରି ଏହି ପ୍ରଦର୍ଶନୀ ଦ୍ୱାରା ଓଡ଼ିଶା ଓ କଲିକତାର ଆଧୁନିକ ଶିଳ୍ପୀମାନଙ୍କ ଭାବର ଆଦାନ ପ୍ରଦାନ ଆହୁରି ବଳିଷ୍ଠ ହେବ ବୋଲି ମତ ପ୍ରକାଶ କରିଥିଲେ।

prayash

ଏହି ପ୍ରଦର୍ଶନୀରେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇଥିଲେ। ଆଇସିସିଆର କ୍ଷେତ୍ର ନିର୍ଦ୍ଦେଶିକା ମିନାକ୍ଷୀ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ ପ୍ରମୁଖ ଯୋଗଦେଇ ଶିଳ୍ପୀମାନଙ୍କ ସୃଜନଶୀଳ ଚିତ୍ରକଳାର ଭୁୟସୀ ପ୍ରଶଂସା କରିଥିଲେ। ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀମାନଙ୍କଠାରୁ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ସଂଗୃହିତ ୪୦ଟି ଚିତ୍ର ସ୍ଥାନ ପାଇଛି ।

ଉତ୍ସବ ଅବସରରେ ଶିଳ୍ପୀମାନଙ୍କ ଚିତ୍ରକଳାକୁ ନେଇ ଏକ ରଙ୍ଗିନ କ୍ୟାଟେଲଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ପ୍ରଦର୍ଶିତ ହୋଇଥିବା ଚିତ୍ର ଗୁଡିକରେ ଶ୍ରୀଜଗନ୍ନାଥ ଓ ରଥଯାତ୍ରା, ନାରୀ ସ୍ୱାଧୀନତା, ଓଡ଼ିଶାର ସୁପ୍ରସିଦ୍ଧ ଧନୁଯାତ୍ରା, ଆଦିବାସୀ ସଂସ୍କୃତି ଓ କଳା, ଓଡ଼ିଶାର ଗ୍ରାମ୍ୟ ଜୀବନର ଦୃଶ୍ୟ ସହିତ ଅନେକ ସୃଜନଶୀଳ ଚିତ୍ରକଳା ସ୍ଥାନ ପାଇଛି। ଏହି ପ୍ରଦର୍ଶନୀ ନଭେମ୍ବର ୬ ତାରିଖ ପର୍ୟ୍ୟନ୍ତ ଚାଲିବ। ଉଦଘାଟନୀ ଉତ୍ସବ ଓ ପ୍ରଦର୍ଶନୀକୁ ଓଡିଶା ଲଳିତ କଳା ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ସଂଚାଳନ କରିଥିଲେ। ପ୍ରଦର୍ଶନୀ ଅବସରେ କୋଲକାତାର ଅନେକ ବରିଷ୍ଠ ଓ ଯୁବଶିଳ୍ପୀ ତଥା କଳାପ୍ରେମୀ ଓ କଳା ସମୀକ୍ଷକ ଯୋଗ ଦେଇ ଓଡ଼ିଶାର ସମସାମୟିକ ଚିତ୍ରକଳାର ଭୂୟଶୀ ପ୍ରଶଂସା କରିଥିଲେ।

kalyan agarbati

Comments are closed.