ଭୁବନେଶ୍ବର: ପାରାମାଉଣ୍ଟ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୧୬ ବର୍ଷରୁ କମ୍ ଅରବିନ୍ଦ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏଥିରେ ପାରାମାଉଣ୍ଟ ଷ୍ଟ୍ରାଇକର୍ସ ବିଜେତା ଓ ଗ୍ରୀନ୍ସ କ୍ରିକେଟ ଏକାଡେମୀ ଉପବିଜେତା ହୋଇଛନ୍ତି। ବୁଧବାର ଫାଇନାଲ ମ୍ୟାଚରେ ପାରାମାଉଣ୍ଟ ଷ୍ଟ୍ରାଇକର୍ସ ୧୬୩ ରନରେ ଗ୍ରୀନ୍ସ କ୍ରିକେଟ ଏକାଡେମୀକୁ ପରାସ୍ତ କରିଛି। ପାରାମାଉଣ୍ଟ ଷ୍ଟ୍ରାଇକର୍ସ ପ୍ରଥମେ ବ୍ୟାଟିଂକରି ୫୦ ଓଭରରେ ୫ ୱିକେଟରେ ୨୭୮ରନ କରିଥିଲା। ବିଦ୍ୟାଧର ବେହେରା ୭୦, ଏମ କୌଶିକ ୩୮, ରୁଦ୍ର ପ୍ରସାଦ ୧୭ ଓ କୁମାର ଆର୍ଯ୍ୟନ ୧୦ରନ କରି ଆଉଟ୍ ହୋଇଥିବାବେଳେ ଏସ୍ ସ୍ବାଗତ ୧୧୬ରନ କରି ଅପରାଜିତ ରହିଥିଲେ। ଗ୍ରୀନ୍ସ ପକ୍ଷରୁ ଦୀପକ ଯାଦବ ୨ଟି, ଆୟୁଷ ଚାନ୍ଦ, ସୁମିତ ମିଶ୍ର ଓ ଶାଶ୍ବତ ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଜବାବରେ ଗ୍ରୀନ୍ସ କ୍ରିକେଟ ଏକାଡେମୀ ୩୫.୨ ଓଭରରେ ୧୧୫ ରନ କରି ଅଲ୍ଆଉଟ୍ ହୋଇଲା। ଆୟୁଷ ଚାନ୍ଦ ୫୬, ଆଦର୍ଶ ବନ୍ତା ୨୩, ସାର୍ଥକ ଏସ୍ ପ୍ରକାଶ ୧୨ରନ କରିଥିଲେ। ପାରାମାଉଣ୍ଟ ଷ୍ଟ୍ରାଇକର୍ସ ପକ୍ଷରୁ ପ୍ରତ୍ୟୁଷ କୁମାର ସାହୁ ୪ଟି, ବିଦ୍ୟାଧର ବେହେରା ୩ଟି, ସୟଦ ଟି ଅହମ୍ମଦ ୨ଟି ଓ ସେକ୍ ନାକ୍ୟୁବ୍ ସବିର ଗୋଟିଏ ୱିକେଟ ନେଇଥିଲେ।
ଫାଇନାଲ ମ୍ୟାଚକୁ ପୂର୍ବତନ ରଣଜୀ କ୍ରିକେଟର ରଶ୍ମିରଞ୍ଜନ ପରିଡା ଶୁଭାରମ୍ଭ କରିଥିଲେ। ଅତିଥି ଭାବେ ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ, କର୍ପୋରେଟର କେ. ଶାନ୍ତି, ଅଜିତ କୁମାର ବେହେରା, ଅମରେଶ ଜେନା, ସନ୍ତୋଷ ସିଂହ, ଭୁବନେଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ବିଜେଇଏମ୍ ସ୍କୁଲ ଅଧ୍ୟକ୍ଷ ରଘୁନାଥ ମିଶ୍ର, ବିଜେବି ନଗର ଆବାସିକ ସଂଘ ସଭାପତି ଶ୍ରୀପତି ମିଶ୍ର ପ୍ରମୁଖ ବିଜେତା ପାରାମାଉଣ୍ଟ ଷ୍ଟ୍ରାଇକର୍ସକୁ ଟ୍ରଫି ସହ ୧୫ ହଜାର ଓ ଉପବିଜେତା ଗ୍ରୀନ୍ସ କ୍ରିକେଟ ଏକାଡେମୀକୁ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ସ୍ବାଗତ ମିଶ୍ର ମ୍ୟାନ ଅଫ ଦି ଫାଇନାଲ ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ସୟଦ୍ ତୁଫୈଲ ଅହମ୍ମଦ ଶ୍ରେଷ୍ଠ ଫିଲଡର, ପ୍ରତ୍ୟୁଷ ପ୍ରକାଶ ସାହୁ ଶ୍ରେଷ୍ଠ ବୋଲର ଓ ଆୟୁଷ ଚାନ୍ଦ ମ୍ୟାନ ଅଫ ଦି ସିରିଜ୍ ହୋଇଥିଲେ। ଫାଇନାଲ ମ୍ୟାଚକୁ ପ୍ରଦୀପ ଜେନା ଓ ସୁଶାନ୍ତ ଦାସ ପରିଚାଳନା କରିଥିବା ବେଳେ କ୍ଲବର ସଭାପତି ପ୍ରତାପ ଜେନା, ସମ୍ପାଦକ ଅଶୋକ ପାତ୍ର, ଉପସଭାପତି ଅମର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।



