କରୋନା ପାଇଁ ଲକ୍ଡାଉନ୍ କଟକଣା ଯୋଗୁଁ ରାଜ୍ୟବାସୀ ସ୍ବାସ୍ଥ୍ୟ ସୁରକ୍ଷିତ ହୋଇଥିଲେ ହେଁ ଅନ୍ୟାନ୍ୟ କେତେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ‘ସମାଜ’ ପକ୍ଷରୁ ପ୍ରୟାସ କରାଯାଇଛି। ଏଥିପାଇଁ ପ୍ରଦତ୍ତ ହ୍ବାଟ୍ସ ଆପ୍ ନମ୍ବର – ୯୭୭୬୨୨୩୦୨୪ରେ ହସ୍ତଗତ ହୋଇଥିବା ଲୋକଙ୍କ ସମସ୍ୟା ଏହି ସ୍ତମ୍ଭରେ ଉପସ୍ଥାପିତ।
ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଉ
କରୋନା ତାଲାବନ୍ଦ ସମୟରେ ପେଟ୍ରୋଲ ପମ୍ପରେ ନିୟୋଜିତ କର୍ମଚାରୀମାନେ ଦୈନିକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ସରକାର ସ୍ୱତନ୍ତ୍ର ଟିମ୍ ଦ୍ୱାରା ବିଭିନ୍ନ ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କ ସ୍ୱାବ ନମୁନା ପରୀକ୍ଷା କରାଇବାର ବ୍ୟବସ୍ଥା କଲେ ଭଲ ହୁଅନ୍ତା। ଏଥିସହ ସେମାନଙ୍କ ପରିବାର ପାଇଁ ଚାଉଳ, ଗହମ ଓ ଡାଲି ଆଦି ସହାୟତା ପ୍ରଦାନ କରନ୍ତୁ।
ସବିର ଅଧିକାରୀ, ଅଲ୍ ଓଡ଼ିଶା ପେଟ୍ରୋଲ ଡିଜେଲ ୱାର୍କରସ୍ ୟୁନିୟନ, ଖଣ୍ଡଗିରି, ଭୁବନେଶ୍ୱର
ଯୁକ୍ତ ଦୁଇ ଜୀବବିଜ୍ଞାନ ପରୀକ୍ଷା ତାରିଖ ଘୋଷଣା ହେଉ
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଜୀବବିଜ୍ଞାନକୁ ବାଦ ଦେଲେ ଅନ୍ୟସବୁ ବିଷୟର ପରୀକ୍ଷା ଶେଷ ହୋଇଛି। ଏହି ଗୋଟିଏ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଚିନ୍ତିତ ରହୁଛନ୍ତି। ଏହାବାଦ ନିଟ୍, ଜେଇଇ ମେନ୍, ଓଜେଇଇ, ଓୟୁଏଟି ଓ ଆଇସିଏଆର୍ ଭଳି ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ତେଣୁ ଉଚ୍ଚ ଶିକ୍ଷା ବିଭାଗ ତୁରନ୍ତ ପରୀକ୍ଷା ତାରିଖ ଘୋଷଣା କରନ୍ତୁ।
ପ୍ରତ୍ୟୁଷ ପଣ୍ଡା, ଛାତ୍ର, ଏଫ୍ଏମ୍ କଲେଜ, ବାଲେଶ୍ୱର
ପ୍ରତି ଗାଁରେ ପହଞ୍ଚୁ ଭ୍ରାମ୍ୟମାଣ ବ୍ୟାଙ୍କ ସେବା
ଗ୍ରାମାଞ୍ଚଳରେ ଲୋକଙ୍କ ଅଭାବ ଅସୁବିଧାକୁ ସରକାର ଧ୍ୟାନ ଦେବା ଜରୁରୀ। ମନୁଷ୍ୟର ପ୍ରତ୍ୟେକ ସମୟରେ ଟଙ୍କାର ଆବଶ୍ୟକତା ରହିଛି। ସହର ଭଳି ସବୁ ଗ୍ରାମରେ ବ୍ୟାଙ୍କ ସେବା ଲୋକଙ୍କ ନିକଟତର ହୋଇପାରିନାହିଁ। ଗ୍ରାମାଞ୍ଚଳ ଲୋକଙ୍କ ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗ୍ରାମ ବା ପଞ୍ଚାୟତରେ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ପହଞ୍ଚାଇବାକୁ ଅନୁରୋଧ।
ତୁଷାର ରଞ୍ଜନ ନାଥ, ମହାପଦା, ଢେଙ୍କାନାଳ
ଅଣୁ ଶିଳ୍ପ ଉପରେ ଦୃଷ୍ଟି ପଡ଼ୁ
ଫେବ୍ରିକେସନ ଶିଳ୍ପ ଜଡ଼ିତ ୱେଲ୍ଡର ଏବଂ ଷ୍ଟିଲ୍ ଆଲମିରାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଫର୍ଣ୍ଣିଚର ତିଆରି କରୁଥିବା ମିସ୍ତ୍ରୀ ଓ ମାଲିକମାନଙ୍କର କରୋନା ତାଲାବନ୍ଦ ପାଇଁ ବହୁ କ୍ଷତି ହେଲାଣି। ବିଦ୍ୟୁତ୍ ଦେୟ, ବ୍ୟାଙ୍କ ଋଣ ଓ ଘରଭଡ଼ା ଆଦି ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଲାଣି। ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଅଣୁଶିଳ୍ପର ପୁନରୁଦ୍ଧାର ହୋଇ କାର୍ୟ୍ୟକ୍ଷମ ହୋଇପାରିବ।
ଭବାନୀ ପ୍ରସାଦ ଓଝା, କେନ୍ଦ୍ରାପଡ଼ା
ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ତାଲା ବନ୍ଦ ଯୋଗୁଁ ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀ ବହୁ ଭାବେ ପ୍ରଭାବିତ ହୋଇଛନ୍ତି। ମୁଖ୍ୟତଃ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ଗତି କରୁଛି। ପାଠପଢ଼ା, ପ୍ରବେଶିକା ପରୀକ୍ଷା ପ୍ରସ୍ତୁତିର ସ୍ୱାଭାବିକ ଧାରା ବ୍ୟାହତ ହୋଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଉଚିତ ପଦକ୍ଷେପ ମାଧ୍ୟମରେ ଏହାର ମୁକାବିଲା କରିବାକୁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରନ୍ତୁ।
ବ୍ରଜଭୂଷଣ ସାହୁ, ଛାତ୍ର, ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, କଟକ
ଦୁର୍ଦ୍ଦଶାରେ ଘରୋଇ ବସ୍ କର୍ମଚାରୀ
ତାଲାବନ୍ଦ ସମୟରେ ଘରୋଇ ବସ୍ କର୍ମଚାରୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପଇସା ଅଭାବରୁ ସେମାନଙ୍କ ଘର ଚଳାଇବା କଷ୍ଟକର ହୋଇପଡ଼ିଛି। ଏଣୁ ରାଜ୍ୟ ସରକାରଙ୍କୁ ନିବେଦନ ଦିଲ୍ଲୀ ସରକାରଙ୍କ ପରି ଏଠି ମଧ୍ୟ ଘରୋଇ ବସ୍ କର୍ମଚାରୀଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କଲେ ସେମାନେ ଦୁର୍ଦ୍ଦିନରୁ ରକ୍ଷା ପାଇପାରନ୍ତେ।
ଗଗନ ପରିଡ଼ା, ସାଧାରଣ ସମ୍ପାଦକ, କଟକ ଘରୋଇ ମୋଟର କର୍ମଚାରୀ ସଂଘ, ବାଦାମବାଡ଼ି
ଅପ୍ରେଲରେ ପାଠ୍ୟ ପୁସ୍ତକ ଯୋଗାଣ ସରୁ
ସରକାରୀ ନିୟମ ଅନୁସାରେ ଅପ୍ରେଲ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୁଏ। ଗୋଟିଏ ମାସ ଶିକ୍ଷାଦାନ ପରେ ଗ୍ରୀଷ୍ମଛୁଟି ଦିଆଯାଏ। ତାଲାବନ୍ଦ ଯୋଗୁଁ ସମଗ୍ର ରାଜ୍ୟର ଶୈକ୍ଷିକ ପ୍ରକ୍ରିୟା ପଛେଇ ଯାଇଛି। ସରକାର ଅପ୍ରେଲ ମାସ ମଧ୍ୟରେ ସମସ୍ତ ବିଦ୍ୟାଳୟକୁ ପାଠ୍ୟପୁସ୍ତକ ଯୋଗାଣ ଶେଷ କରିବା ସହ ସମସ୍ତ ଆନୁସଙ୍ଗିକ ପ୍ରକ୍ରିୟା ସମାପ୍ତ କଲେ ଛାତ୍ରଛାତ୍ରୀଙ୍କର ଭଲ ହୁଅନ୍ତା।
ଗୌରହରି ପ୍ରହରାଜ, ସଂସ୍କୃତ ଶିକ୍ଷକ, ରୂପସା, ବାଲେଶ୍ୱର
କରୋନା ସହାୟତାର ବଞ୍ଚିତ ନିର୍ମାଣ ଶ୍ରମିକ
ଆମ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ନିର୍ମାଣ ଶ୍ରମିକମାନେ କାମଧନ୍ଦା ନପାଇ ହାତଗୋଡ଼ ବାନ୍ଧି ଘରେ ବସିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୧୫୦୦ ଟଙ୍କା ସହାୟତା ପାଇବାରୁ ଅଧିକାଂଶ ଶ୍ରମିକ ବଞ୍ଚିତ ହୋଇଛନ୍ତି। କେବଳ ହାତଗଣତି ଶ୍ରମିକ ସହାୟତା ରାଶି ପାଇଛନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ଯୋଗ୍ୟ ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ।
ପର୍ଶୁରାମ ଓଝା, ମହୁଲପାଳ, ଭୁବନ, ଢେଙ୍କାନାଳ
ଯୁକ୍ତ ଦୁଇ ବିଦ୍ୟାର୍ଥୀଙ୍କ ପାଠପଢ଼ା ବ୍ୟବସ୍ଥା ହେଉ
ଚଳିତ ବର୍ଷ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଶ୍ରେଣୀକୁ ଉନ୍ନୀତ ହୋଇ କାଉନ୍ସିଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ନିମନ୍ତେ ମୋ ଭଳି ବହୁ ବିଦ୍ୟାର୍ଥୀ ନାନା ଆଶଙ୍କା ମଧ୍ୟରେ ଅଛନ୍ତି। ଏବେ ଆମେ କୋଚିଂ ପଢ଼ିବାକୁ ଯାଇପାରୁନାହୁଁ। ଘର ଭିତରେ ପାଠପଢ଼ିବା ନିମନ୍ତେ ସରକାର କିଛି ବ୍ୟବସ୍ଥା କରନ୍ତୁ।
ଚିନ୍ମୟୀ ସ୍ୱାଇଁ, ଗଦାଧରପୁର, ତିଗିରିଆ, କଟକ
କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବାକୁ ଅନୁମତି ଦିଆଯାଉ
କରୋନା ଯୋଦ୍ଧା ଭାବେ ପୁଲିସ, ମେଡିକାଲ କର୍ମଚାରୀ ତଥା ଆମ୍ବୁଲାନ୍ସ ଡ୍ରାଇଭର ଆଦି ଅହରହ କାର୍ୟ୍ୟ ସମ୍ପାଦନ କରୁଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଥିବା ସହୃଦୟ ବ୍ୟକ୍ତିଙ୍କୁ ପ୍ରଶାସନିକ ଅଧିକାରୀମାନେ ଅଟକାଇ ଦେଉଛନ୍ତି। ସେମାନେ କହୁଛନ୍ତି ଖାଦ୍ୟ ଆମକୁ ଦିଅ ପହଞ୍ଚାଇ ଦେବୁ। ଉକ୍ତ ଖାଦ୍ୟ ଠିକଣା ଜାଗାରେ ପହଞ୍ଚି ପାରୁନଥିବା ଜଣାଯାଉଛି। ଏ ଦିଗରେ ଉପରିସ୍ତ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ।
ଏଲ୍ରାଜ ହିମାଳୟ, ଏମ୍ବିଏ ଛାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ



