୧୦ ବେଳକୁ ଆଉ ଏକ ଲଘୁଚାପ
ଭୁବନେଶ୍ୱର : ଗଭୀର ଅବପାତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିଥିବା ବେଳେ ଆସନ୍ତା ୧୦ ତାରିଖ ବେଳକୁ ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଆକଳନ କରିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୧ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଯଦି ଲଘୁଚାପ ରୂପ ନିଏ, ତେବେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଅଗଷ୍ଟ ଓ ସେପ୍ଟେମ୍ବରରେ ନିଅଣ୍ଟିଆ ବର୍ଷା ହୋଇପାରେ। ମୌସୁମୀ ଋତୁର ଦ୍ବିତୀୟାର୍ଦ୍ଧ ସମ୍ପର୍କରେ ଦେଶରେ ଅଗଷ୍ଟ ଓ ସେେପ୍ଟମ୍ବରରେ ବର୍ଷା ପରିମାଣ ପାଖାପାଖି ସ୍ବାଭାବିକ ରହିବ। ଆକଳନ ଅନୁସାରେ ପୂର୍ବ-କେନ୍ଦ୍ରୀୟ ଭାରତ, ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ବର୍ଷା ପରିମାଣ ସ୍ବାଭାବିକ କିମ୍ବା ଏହାଠାରୁ ଅଧିକ ରହିବ। ହିମାଳୟ ପାଦଦେଶର କିଛି ଅଞ୍ଚଳ, ପୂର୍ବ ମଧ୍ୟ ଭାରତ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର କେତେକାଂଶରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷିପାରେ। ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତର ପଶ୍ଚିମାଞ୍ଚଳରେ ସ୍ବାଭାବିକଠାରୁ କମ୍ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି। ଅଗଷ୍ଟ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ସ୍ବାଭାବିକରୁ ନିଅଣ୍ଟିଆ ବର୍ଷା ହେବାକୁ ଥିବାବେଳେ ତୃତୀୟ ଓ ଚତୁର୍ଥ ସପ୍ତାହରେ ସ୍ବାଭାବିକ କିମ୍ବା ସ୍ବାଭାବିକରୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଶ୍ରୀ ପଶୁପାଳକ କହିଛନ୍ତି।
Comments are closed.