ହାତୀ ମୃତ୍ୟୁ ଘଟଣା, ଆଉ ତିନି ଅଭିଯୁକ୍ତ ଗିରଫ
ତଥ୍ୟ ଲୁଚାଇବାକୁ ଉଦ୍ୟମ କରି ସନ୍ଦେହ ଘେରରେ ବୌଦ୍ଧ ବିନବିଭାଗ
ବୌଦ୍ଧ : ବୌଦ୍ଧ ବନଖଣ୍ଡର ବୌଦ୍ଧ ରେଞ୍ଜର ବଘିଆପଡା ସେକସନରେ ଭୁର୍କପଡା ଓ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଗତ ମଇ ମାସରେ ଦୁଇଟି ଦନ୍ତା ହାତୀଙ୍କ ମୃତ୍ୟୁ ଶୀକାରୀଙ୍କ ଦ୍ୱାରା କରାଯାଇଥିବାବେଳେ ଏହି ଘଟଣାରେ କିନ୍ତୁ ବୌଦ୍ଧ ବନ ବିଭାଗ ତଥ୍ୟ ଲୁଚାଇ ଜନସାଧାରଣଙ୍କ ସନ୍ଦେହଘେରକୁ ଆସିଥିବା ଜଣାଯାଇଛି। ହାତୀ ମୃତ୍ୟୁ ତଦନ୍ତକୁ ତୁରନ୍ତ ସାରିବାକୁ ତରବରିଆ ଭାବରେ ବନ ବିଭାଗ ପକ୍ଷରୁ ବିଶେଷ ପ୍ରମାଣ ନଥାଇ ମଧ୍ୟ ଜଣେ ଜଣେ ଲୋକକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ଲାଗିଛି । ତେଣୁ ତଦନ୍ତ ସମୟରେ ବନ ବିଭାଗର ଅଧିକାରୀମାନଙ୍କୁ ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖିନ ହେଉଥିବା ଭଳି ଖବର ଆଲୋଚନା ହେଉଅଛି । ଏହି ମାମଲାରେ ପୂର୍ବରୁ ୪ ଜଣକୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିଥିବାବେଳେ ସଂପୃକ୍ତ ଗ୍ରାମବାସୀମାନେ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିନା ପ୍ରମାଣରେ ନିରିହ ଲୋକମାନଙ୍କୁ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ଗିରଫ କରିଥିବା ନେଇ ଅଭିଯୋଗ କରିଥିଲେ।
ରବିବାର ପୁଣିଥରେ ଏହି ମାମଲାରେ ଆଉ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲେ ମଧ୍ୟ ଗଣମାଧ୍ୟମକୁ ଯେଭଳି ଏହି ସୂଚନା ନଯିବ ସେଥିପାଇଁ ଉପଯୁକ୍ତ ବନ୍ଦୋବସ୍ତ କରିଥିଲେ । ବିଭାଗର ପ୍ରମୁଖ ଅଧିକାରୀମାନେ ଗଣମାଧ୍ୟକୁ କୌଣସି ସୂଚନା ନଦେବାକୁ ତଳିଆ କର୍ମଚାରୀମାନଙ୍କୁ ତାଗିଦ କରିବା ପଛରେ ବନ ବିଭାଗର ଅପାରଗତା ନା ସତ ଲୁଚାଇବା ପ୍ରୟାସ ବୋଲି ସାଧାରଣରେ ଆଲୋଚନା ହେଉଅଛି । ସୂଚନା ମୁତାବକ ଏହି ହାତୀ ମୃତ୍ୟୁ ଘଟଣାରେ ଗଣମାଧ୍ୟମର ଚାପ ପରେ ଜଣେ ରେଞ୍ଜର, ଜଣେ ଫରେଷ୍ଟର ଓ ଦୁଇଜଣ ଫରେଷ୍ଟ ଗାର୍ଡକୁ ବନ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିଲା । ସମ୍ବଲପୁରରେ ଏକ ହୋଟେଲରୁ ଜବତ ଦୁଇଟି ହାତୀଦାନ୍ତ ବୌଦ୍ଧରେ ଶୀକାର ହୋଇଥିବା ହାତୀର ବୋଲି କୁହାଯାଉଥିବାବେଳେ ଏହାକୁ ମଧ୍ୟ ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ତେବେ ହାତୀ ଶୀକାର ମାମଲାରେ ଏଥର ବାହାର ଜିଲାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଦୁଇଜଣ ଅଭିଯୁକ୍ତ ସୁନ୍ଦରଗଡ ଜିଲାର ହୋଇଥିବା ବେଳେ ଜଣେ ସମ୍ବଲପୁର ଜିଲାର ବୋଲି ଜଣାପଡିଛି। ତେବେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣପରେ ମଧ୍ୟ ବନ ବିଭାଗର ଅଧିକାରୀମାନେ ଏ ସଂପର୍କରେ ମୁହଁ ଖୋଲୁନଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ହାତୀ ମୃତ୍ୟୁର କାରଣକୁ ନେଇ ଏପର୍ଯ୍ୟନ୍ତ ସମସ୍ତଙ୍କୁ ଅନ୍ଧାରରେ ରଖାଯାଇଥିବାବେଳେ ବନ ବିଭାଗ ପକ୍ଷରୁ ଆହୁରି ଅନେକ ତଥ୍ୟକୁ ଗୋପନ ରଖାଯାଇଥିବା ସନ୍ଦେହ ସହ ତଦନ୍ତକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।
Comments are closed.