ଜାମ୍ମୁ-କାଶ୍ମୀର: ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଅନନ୍ତନାଗରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ମାନେ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଖବର ପାଇବା ପରେ ସୁରକ୍ଷାକର୍ମୀ ମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।
ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲେ । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ସୁରକ୍ଷାକର୍ମୀ ମାନେ ସେମାନଙ୍କ ଉପରେ ଗୁଳି ଚାଳନା କରିଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଘଟଣାସ୍ଥଳରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀ ନିକଟରୁ ଗୋଟିଏ ଏକେ ୪୭ ବନ୍ଧୁକ ଜବତ ହୋଇଛି । ଅନ୍ୟପଟେ ଆତଙ୍କବାଦୀଙ୍କ ଗୁଳିରେ ୩ଜଣ ଯବାନ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ଘଟଣାସ୍ଥଳରେ ଏବେ ବି ଯବାନ ମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।



