ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସାମାଜିକ ଗଣମାଧ୍ୟମ ଫେସବୁକ ଏବଂ ଟ୍ୱିଟର ମାଧ୍ୟମରେ ଦେଶର ୨୨ଟି ବିରୋଧୀ ଦଳକୁ ୬ଟି ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି, ଇଭିଏମ୍ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ଆପ୍, ତେଲୁଗୁ ଦେଶମ ପାର୍ଟି, ବାମ ଦଳ, ରାଷ୍ଟ୍ରୀୟ ଜନତା ଦଳ ପ୍ରଭୃତି ଇଭିଏମ୍ ଦ୍ୱାରା ହୋଇଥିବା ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ପୂର୍ବ ନିର୍ବାଚନରେ ଦିଲ୍ଲୀରେ ଆମ ଅ।ଦମୀ ପାର୍ଟି ୭୦ରୁ ୬୭ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୪ଟି ରାଜ୍ୟରେ ସରକାର କରିଥିବା ସମୟରେ ବିଜେପି କେବେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇ ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି। ଯଦି ଇଭିଏମ୍ ଉପରେ ବିଶ୍ୱାସ ନାହିଁ ତେବେ ସେହି ଦଳଗୁଡିକ ର୍ନିବାଚନ ଜିତିବା ପରେ କାହିଁକି ଶାସନ କରୁଛନ୍ତି ବୋଲି ଶାହା ପ୍ରଶ୍ନ କରିଛନ୍ତି।
ସୁପ୍ରିମକୋର୍ଟ ସମସ୍ତ ବିଧାନସଭା କ୍ଷେତ୍ରରେ ୫ଟି ଭିଭିପାଟ୍କୁ ଗଣିବା ପାଇଁ ଆଦେଶ ଦେଇଛନ୍ତି। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଉପରେ ଏହା କଣ ସନ୍ଦେହ ବୋଲି ଶାହା ପ୍ରଶ୍ନ କରିଛନ୍ତି। ଭୋଟ ଗଣତିର ୨ ଦିନ ପୂର୍ବରୁ ୨୨ଟି ବିରୋଧୀ ଦଳ ପୁଣିଥରେ ନିର୍ବାଚନ ପ୍ରକ୍ରିୟା ପରିବର୍ତନ କରିବା ଦାବି ଅସାମ୍ୱିଧାନିକ ବୋଲି ଶାହା କହିଛନ୍ତି। ଏକଜିଟ ପୋଲ ଇଭିଏମ୍ ଦ୍ୱାରା ନୁହେଁ ବରଂ ଭୋଟ ଦେଇ ଫେରିଥିବା ମତଦାତାଙ୍କ ମତ ଉପରେ ନିର୍ଭର କରେ ତେଣୁ ଏକଜିଟ ପୋଲ ଫଳାଫଳ ଆଧାରରେ କିଭଳି ଇଭିଏମ୍ ଉପରେ ପ୍ରଶ୍ନ ଉଠାଯାଇ ପାରିବ ବୋଲି ଶାହା ପ୍ରଶ୍ନ କରିଛନ୍ତି।
ଭିଭିପାଟ୍ ଦ୍ୱାରା ମତାଦାତା କେଉଁ ଚିହ୍ନରେ ଭୋଟ ଦେଉଛି ତାହା ସ୍ପଷ୍ଟ ହେବ ପରେ ଇଭିଏମ୍ର ଗ୍ରହଣୀୟତା ଉପରେ ପ୍ରଶ୍ନ କରିବା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଯେ ଭାରତ ଇତିହାସରେ ୧୯୭୭ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସମସ୍ତ ସାଧାରଣ ର୍ନିବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଯାହାଦ୍ୱାରା ଦେଶର ଗଣତନ୍ତ୍ର ଉପରେ ସାରା ବିଶ୍ୱ ବିଶ୍ୱାସଭାଜନ ହୋଇଛି।



