ଅମରନାଥ ଦର୍ଶନ କଲେ ୮୩ ହଜାରରୁ ଅଧିକ ତୀର୍ଥଯାତ୍ରୀ
ଶ୍ରୀନଗର : ପଣିପାଗରେ ପରିବର୍ତ୍ତନ ଆସିବା ପରେ ଶନିବାରଠାରୁ ବାଲ୍ତାଲ୍ ପଥରେ କଡ଼ା ନିରାପତ୍ତା ମଧ୍ୟରେ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଶନିବାର ୧୦ ହଜାର ୧୦୭ ଜଣ ତୀର୍ଥଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫାରେ ବରଫ ଶିବ ଲିଙ୍ଗ ଦର୍ଶନ କରିଛନ୍ତି। ଫଳରେ ଏପର୍ଯ୍ୟନ୍ତ ୮୩ ହଜାର ୧୩୦ ଜଣ ତୀର୍ଥଯାତ୍ରୀ ଅମରନାଥ ଦର୍ଶନ କରିସାରିଲେଣି।
ତେବେ ବିଚ୍ଛିନ୍ନତାବାଦୀ ମାନଙ୍କଦ୍ୱାରା କାଶ୍ମୀର ଉପତ୍ୟକାରେ ରବିବାର ବନ୍ଦ୍ ଡାକରା ଦିଆଯାଇଥିବାରୁ ପାରମ୍ପରିକ ପହଲ୍ଗାମ୍ ପଥରେ ଅମରନାଥ ଯାତ୍ରା ବନ୍ଦ୍ ରହିଛି। ଆଜି ଜମ୍ମୁରୁ ଯାତ୍ରୀମାନଙ୍କୁ ପହଲ୍ଗାମ୍ ଆଡ଼କୁ ଛଡ଼ାଯାଇ ନାହିଁ। ରାଜ୍ୟପାଳ ଏନ୍.ଏନ୍. ଭୋରା ଶନିବାରି ଏକ ଉଚ୍ଚସ୍ତରୀୟ ବୈଠକରେ ନିରାପତ୍ତା ସ୍ଥିତିର ସମୀକ୍ଷା କରିଛନ୍ତି। ଅମରନାଥ ଯାତ୍ରାକୁ ସୁରୁଖୁରୁରେ ଚଳାଇବାପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାଗୁଡ଼ିକ ସଂକ୍ରାନ୍ତରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।
ଜୁନ୍ ୨୮ ତାରିଖରୁ ଆରମ୍ଭ ହୋଇଥିବା ଅମରନାଥ ତୀର୍ଥଯାତ୍ରା ଶ୍ରାବଣ ପୂର୍ଣ୍ଣିମା ଅର୍ଥାତ୍ ଅଗଷ୍ଟ ୨୬ ତାରିଖ ଦିନ ଶେଷ ହେବ।