ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇଛନ୍ତି। ହାଇଦ୍ରାବାଦ ସନ୍ଧ୍ୟା ହଲ୍ରେ ‘ପୁଷ୍ପା-୨’ ଚଳଚ୍ଚିତ୍ର ପ୍ରଦର୍ଶନ ସମୟରେ ଦଳାଚକଟା ମାମଲାରେ ଶୁକ୍ରବାର ଅଭିନେତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଡିସେମ୍ବର ୪ରେ ହୋଇଥିବା ଏହି ଦଳାଚକଟାରେ ଜଣେ ୩୫ ବର୍ଷିୟ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ। ଏବେ ଏହି ମାମଲାରେ ଗିରଫ ହୋଇଛନ୍ତି ଅଭିନେତା।
ପୁଲିସ ଅଭିଯୋଗ କରିଥିଲା ଯେ, ଅଭିନେତା ପୁଲିସକୁ ସୂଚନା ନ ଦେଇ ଫିଲ୍ମର ପ୍ରିମିୟର ଶୋ’ରେ ପହଞ୍ଚିଥିଲେ, ଯେଉଁ କାରଣରୁ ବିଶୃଙ୍ଖଳା ହୋଇଥିଲା। ଅତିରିକ୍ତ ସୁରକ୍ଷା ଏବଂ ଭିଡ଼ ପରିଚାଳନା ବ୍ୟବସ୍ଥା କରାଯାଇ ନ ଥିବାରୁ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ ହୋଇଥିଲା।



