www.samajalive.in
Saturday, December 13, 2025
14.1 C
Bhubaneswar

ବିଧେୟକ ଗୃହୀତ ​‌ହେବାରେ ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମ ସଂସଦ ଅଧିବେଶନରେ ଜୁନ୍‌ ୧୭ରୁ ଶୁକ୍ରବାର ସୁଦ୍ଧା ମୋଟ ୩୦ଟି ବିଧେୟକ ଗୃହୀତ ହୋଇଛି। ଅଧିବେଶନର ଅବଧି ଆଉ ତିନି ଦିନ ବାକି ଥିଲାବେଳେ ଆହୁରି କିଛି ବିଧେୟକ ଗୃହୀତ ହେବାର ସମ୍ଭାବନା ରହିଛି। ବିରୋଧୀ ଦଳ ଏହାକୁ ‘ସରକାର କ୍ଷିପ୍ର ଗତିରେ ଆଗକୁ ମାଡ଼ିଚାଲୁଛନ୍ତି’ ବୋଲି ସମାଲୋଚନା କରୁଥିଲାବେଳେ ତୃଣମୂଳ କଂଗ୍ରେସ ସାଂସଦ ଡେରିକ୍‌ ଓ’ବ୍ରିଏନ୍‌ ‘ସଂସଦରେ ପିଜା ବାଣ୍ଟିଲା ଭଳି ବିଧେୟକ ଗୃହୀତ ହେଉଛି’ ବୋଲି କହିଥିଲେ। ଏସବୁ ସତ୍ତ୍ବେ ଗୋଟିଏ କଥା ସତ୍ୟ ଯେ ବିଧେୟକ ଗୃହୀତ କରାଇବାରେ ସରକାର ରେକର୍ଡ ପ୍ରତିଷ୍ଠା କରିଛନ୍ତି। ୧୯୫୨ ପ୍ରଥମ ଲୋକସଭାରେ ୬୪ଦିନ ମଧ୍ୟରେ ମୋଟ ୨୭ଟି ବିଧେୟକ ଗୃହୀତ ହୋଇଥିଲା; ଯାହା ଅଦ୍ୟାବଧି ସର୍ବାଧିକ ଥିଲା। ସେ ଦୃଷ୍ଟିରୁ ଚଳିତ ଲୋକସଭାକୁ ସବୁଠୁ ସଫଳ ବୋଲି କୁହାଯାଉଛି।
ସପ୍ତଦଶ ଲୋକସଭାରେ ବିଜେପିର ଦବ୍‌ଦବା ଥିଲାବେଳେ ରାଜ୍ୟସଭାରେ ସରକାର ଆବଶ୍ୟକ ସମର୍ଥନ ସଂଗ୍ରହରେ ସମର୍ଥ ହୋଇଛନ୍ତି। ଲୋକସଭାରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସଦସ୍ୟଙ୍କ ସଂଖ୍ୟା ୩୫୨ ଥିଲାବେଳେ କଂଗ୍ରେସ ଓ ଏହାର ସହଯୋଗୀ ଦଳଙ୍କ ସଂଖ୍ୟା ୯୧। ଅପରପକ୍ଷରେ ରାଜ୍ୟସଭାରେ ଶାସକ ଦଳର ସଦସ୍ୟ ସଂଖ୍ୟା ୯୯ ରହିଛି; ଯାହା ସଂଖ୍ୟାଗରିଷ୍ଠତାରୁ ଯଥେ​ଷ୍ଟ ପଛରେ। ଏହା ସତ୍ତ୍ବେ ଆରଟିଆଇ ସଂଶୋଧନ, ତିନି ତଲାକ, ୟୁଏପିଏ, ଏନ୍‌ଏମ୍‌ସି ବିଧେୟକ ଭଳି ଗୁରୁତ୍ବପୂର୍ଣ୍ଣ ବିଧେୟକ ଗୃହୀତ ହୋଇଛି। ବିରୋଧୀଙ୍କ ଅଭିଯୋଗ ଅନୁସାରେ ସରକାର ଅତି ତରବରିଆ ଭାବେ ବିଧେୟକଗୁଡ଼ିକୁ ଗୃହୀତ କରାଇ ନେଉଛନ୍ତି। ଗୋଟିଏ ଦିନରେ ତିନିଟି ବିଧେୟକ ଗୃହୀତ ହେବାର ନଜିର ସୃଷ୍ଟି ହୋଇଛି। ଏହା ଉପରେ ଆଲୋଚନା କରିବାକୁ ସମୟ ବା ସୁଯୋଗ ଦେଉ ନାହାନ୍ତି। ବିଧେୟକଗୁଡ଼ିକୁ ସିଲେକ୍ଟ ବା ଷ୍ଟାଣ୍ଡିଂ କମିଟିକୁ ଅଧିକ ତର୍ଜମା ପାଇଁ ପଠାଇବା ଦାବିକୁ ସରକାର ଅଗ୍ରାହ୍ୟ କରିଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ ୧୭ଟି ବିରୋଧୀ ଦଳ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଏଭଳି ତରବରିଆ ଭାବେ ବିଧେୟକଗୁଡ଼ିକୁ ଗୃହୀତ କରାଇବା ନେଇ ସେମାନଙ୍କ ଅସନ୍ତୋଷ ଜାହିର କରିଥିଲେ; କିନ୍ତୁ ସରକାରଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନାହିଁ।
ହସ୍ତଗତ ତଥ୍ୟ ଅନୁସାରେ ୨୦୦୪ରୁ ୨୦୦୯ ମଧ୍ୟରେ ଚତୁର୍ଦଶ ଲୋକସଭାରେ ଆଗତ ବିଧେୟକଗୁଡ଼ିକ ମଧ୍ୟରୁ ୬୦ପ୍ରତିଶତ ଉପରେ ଆବଶ୍ୟକ ତର୍ଜମା କରାଯାଇଥିଲା। ସେହିଭଳି ୨୦୦୯ରୁ ୨୦୧୪ ପଞ୍ଚଦଶ ଲୋକସଭାରେ ମୋଟ ୭୧ପ୍ରତିଶତ ବିଧେୟକ ସିଲେକ୍ଟ ବା ଷ୍ଟାଣ୍ଡିଂ କମିଟିକୁ ତର୍ଜମା ପାଇଁ ଯାଇଥିଲା। ତେବେ ଏହି ଧାରା ପରବର୍ତ୍ତୀ ଲୋକସଭାରେ ଭାଙ୍ଗି ଯାଇଥିଲା। ଷୋଡ଼ଶ ଲୋକସଭା ୨୦୦୪ରୁ ୨୦୧୯ ମଧ୍ୟରେ ମାତ୍ର ୨୬ପ୍ରତିଶତ ବିଧେୟକ ଉପରେ ଅଧିକ ତର୍ଜମା କରାଯାଇଥିଲାବେଳେ ଚଳିତ ଲୋକସଭାର ଅଦ୍ୟାବଧି ଏହି ପରିମାଣ ମାତ୍ର ୫ପ୍ରତିଶତ। ଏହା ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଓ ଲୋକାଭିମୁଖୀ ସରକାରର ପରିପନ୍ଥୀ ଏବଂ ଗଠନମୂଳକ ଚିନ୍ତାଧାରାର ଅବକ୍ଷୟ ବୋଲି ବିରୋଧୀମାନେ କହୁଛନ୍ତି।
ସଂସଦ ଠିକ୍‌ ଭାବେ କାର୍ଯ୍ୟ କରୁଛି ବୋଲି ଲୋକେ ଅନୁଭବ କଲେ ଏହି ଅନୁଷ୍ଠାନ ପ୍ରତି ସେମାନଙ୍କ ଆଶା ଭରସା ବଜାୟ ରହିବ- ଏ କଥା କହିଥିଲେ ଲୋକସଭା ବାଚସ୍ପତି ଓମ୍‌ ବିରଳା। ସଂସଦର ଭାଷା ଲୋକଙ୍କ ପାଇଁ ଯେ ଉଦିଷ୍ଟ, ସେମାନେ ତାହା ଅନୁଭବ କରିବା ଉଚିତ ବୋଲି ସେ କହିଥିଲେ। ସେଥିପାଇଁ ସେ ପ୍ରତ୍ୟହ ସକାଳ ସାଢ଼େ ୯ଟାରୁ ସଂସଦକୁ ଆସୁଛନ୍ତି ଏବଂ ଗୃହ ମୁଲତବୀ ହେବାରୁ ପ୍ରାୟ ଘଣ୍ଟାଏ ପରେ ଫେରୁଛନ୍ତି। ଏହି ସମୟ ମଧ୍ୟରେ ସେ ବିଭିନ୍ନ ବିଧେୟକ ଉପରେ ଅଧିକାରୀ ଓ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରୁଛନ୍ତି। ଏହା ମାଧ୍ୟମରେ ସେ ନିଜର ନିଷ୍ଠା ପ୍ରଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ଦଳର ସାଂସଦମାନଙ୍କୁ ଶୃଙ୍ଖଳିତ ଓ କର୍ତ୍ତବ୍ୟନିଷ୍ଠ ହେବାକୁ ପରାମର୍ଶ ଦେଉଛନ୍ତି। ଲୋକ ଓ ଦେଶର ହିତ ପାଇଁ କାର୍ଯ୍ୟ କରିବାକୁ ସେ ସାଂସଦମାନଙ୍କୁ ପରାମର୍ଶ ଦେଉଛନ୍ତି। ଏହା ସତ୍ତ୍ବେ ବିଧେୟକଗୁଡ଼ିକୁ ବିନା ବିଚାରରେ ଗୃହୀତ କରାଇନେବା ସମୀଚୀନ ହେଉ ନାହିଁ ବୋଲି ମତ ପ୍ରକାଶ ପାଉଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories