ଡିପିସିସି ସଭାପତି ପଦରୁ ମାକେନଙ୍କ ଇସ୍ତଫା, ସ୍ଥାନ ନେବେ ଶୀଲା!

0

ନୂଆଦିଲ୍ଲୀ,୪ା୧: ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି (ଡିପିସିସି) ସଭାପତି ପଦରୁ ଦଳର ବରିଷ୍ଠ ନେତା ଅଜୟ ମାକେନ ଇସ୍ତଫା ଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟି ସେ ନିଜ ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ତାଙ୍କ ଇସ୍ତଫାପତ୍ର ଗୃହୀତ ହୋଇଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଏହି ପଦ​‌େ​‌କ୍ଷପ ଗ୍ରହଣ କରିଥିବା ଶୁକ୍ରବାର ଟ୍ବିଟରରେ ସେ ସୂଚନା ଦେଇଛନ୍ତି। ସେପ୍ଟେମ୍ବରରେ ମାକେନ ଇସ୍ତଫା ପ୍ରଦାନ କରିଥିଲେ ମଧ୍ୟ ପଦ ବଜାୟ ରଖିବା ଲାଗି ରାହୁଲ ତାଙ୍କୁ କହିଥିବା ଏଆଇସିସି ଦିଲ୍ଲୀ ପ୍ରଭାରୀ ପି.ସି. ଚାକୋ କହିଛନ୍ତି। କିନ୍ତୁ ଏହି ପଦକ୍ଷେପ ପଛରେ ଆଗାମୀ ଲୋକସଭା ନିର୍ବାଚନ ସମ୍ବନ୍ଧୀୟ ରଣନୀତି ନିହିତ ବୋଲି ଆଲୋଚନା ହେଉଛି। ସୂଚନା ଅନୁସାରେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଆମ ଆଦମୀ ପାର୍ଟି (ଆପ) ମଧ୍ୟରେ ମେଣ୍ଟ ସମ୍ଭାବନା ନେଇ ଆଲୋଚନା ହେଉଥିବା ବେଳେ ମାକେନ ଏହାକୁ ବିରୋଧ କରୁଥିଲେ। ଉଲ୍ଲେଖ ଯେ, କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷୀତଙ୍କ ନେତୃତ୍ବରେ କଂଗ୍ରେସ ଦୀର୍ଘ ୧୫ ବର୍ଷ ଦିଲ୍ଲୀରେ କ୍ଷମତାରେ ଥିଲା। ୨୦୧୩ ବିଧାନସଭା ନିର୍ବାଚନ ପରେ ଝୁଲା ବିଧାନସଭା ହେବାରୁ କଂଗ୍ରେସ କ୍ଷମତା ହରାଇଥିଲା। ୨୦୧୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ବିପୁଳ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ମଧ୍ୟ ଜିତି ପାରି ନ ଥିଲା। ସେହିବର୍ଷ ମାର୍ଚ୍ଚରେ ମାକେନ ଡିପିସିସି ସଭାପତି ନିଯୁକ୍ତ ହୋଇଥିଲେ।
ସମ୍ପ୍ରତି ମାକେନଙ୍କ ଇସ୍ତଫା ପରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଭାବେ ଏଯାବତ୍‌ କାହାରି ନାମ ଚୂଡାନ୍ତ ହୋଇପାରି ନାହିଁ। ଏହି ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ନାମ ସର୍ବାଗ୍ରେ ରହିଛି। ଡିପିସିସି ସଭାପତି ଭାବେ ଶୀଲା ଦିଲ୍ଲୀରେ ଆଗାମୀ ଲୋକସଭା ଏବଂ ୨୦୨୦ ବିଧାନସଭା ନିର୍ବାଚନର ନେତୃତ୍ବ ନେବେ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ଯେଉଁ ନେତା ଆଗାମୀ ଲୋକସଭା ନିର୍ବାଚନରେ ଦିଲ୍ଲୀ ସମେତ ପଞ୍ଜାବ ଏବଂ ହରିୟାଣାରେ ଆପ-କଂଗ୍ରେସ ମେଣ୍ଟ ପାଇଁ ପ୍ରସ୍ତୁତ ଥିବେ ତାଙ୍କୁ ଡିପିସିସି ସଭାପତି ପଦ ପାଇଁ ପ୍ରାଥମିକତା ଦିଆଯିବ ବୋଲି କୁହାଯାଉଛି। ଅନ୍ୟ ଏକ ଘଟଣାକ୍ରମେ କଂଗ୍ରେସର ସମାଲୋଚକ ତଥା ୧୯୮୪ ଦଙ୍ଗା ମାମଲାର ଅନ୍ୟତମ ଆବେଦନକାରୀ ଏବଂ ପଞ୍ଜାବରେ ଆପର ବରିଷ୍ଠ ନେତା ଏଚ୍‌. ଏସ୍‌. ଫୁଲକା ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ହରିୟାଣାରେ ଦଳର ଦାୟିତ୍ବ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

Leave A Reply