www.samajalive.in
Sunday, December 14, 2025
19.1 C
Bhubaneswar

୩ ସହରକୁ ବନ୍ଦ ହେଲା ଏୟାର ଏସିଆ ଉଡ଼ାଣ

ଭୁବନେଶ୍ୱର : ଗୋଟିଏ ପଟେ ଭୁବନେଶ୍ବର ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ବିମାନବନ୍ଦରରେ ଭିତ୍ତିଭୂମି ସୁଦୃଢ଼ ହେଉଥିବାରୁ ଅଧିକ ବିମାନ କମ୍ପାନୀ ଏଠାରୁ ଉଡ଼ାଣ ଆରମ୍ଭ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ଏପରି ଅବସ୍ଥାରେ ଭୁବନେଶ୍ବରରେ ଭଲ ବ୍ୟବସାୟ କରୁଥିବା ଏୟାର ଏସିଆ ଗୋଟିଏ ପରେ ଗୋଟିଏ ଘରୋଇ ବିମାନ ସେବାକୁ ପ୍ରତ୍ୟାହାର ଆରମ୍ଭ କରିଛି।
ପ୍ରଥମ ବିମାନ ଚଳାଚଳ ସଂସ୍ଥା ଭାବେ ଏୟାର ଏସିଆ ୨୦୧୭ରେ ଭୁବନେଶ୍ବରରୁ କୁଆଲାଲୁମ୍ପୁରକୁ ସିଧାସଳଖ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲା। ଏହା ପରେ କମ୍ପାନୀ ଭୁବନେଶ୍ବରରୁ ଘରୋଇ ବିମାନ ସେବା ଆରମ୍ଭ ଉପରେ ଗୁରୁତ୍ବାରୋପ କରିଥିଲା। ଏୟାର ଏସିଆ କ୍ରମଶଃ ଭୁବନେଶ୍ବରରୁ ବେଙ୍ଗାଲୁରୁ, ଚେନ୍ନାଇ, କଲକାତା, ହାଇଦ୍ରାବାଦ ଓ ରାଞ୍ଚିକୁ ବିମାନ ଚଳାଚଳ ଆରମ୍ଭ କରିଥିଲା। ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣରେ ସଫଳତା ଦେଖି କମ୍ପାନୀ ଦ୍ବିତୀୟ ଅନ୍ତର୍ଜାତୀୟ ଦେଶ ଭାବେ ଭୁବନେଶ୍ବରରୁ ବ୍ୟାଙ୍ଗକକ୍‌କୁ ବିମାନ ଚଳାଇଛି। ତେବେ କମ୍ପାନୀ କିଛିଦିନ ଭିତରେ ଗୋଟିଏ ପରେ ଗୋଟିଏ ଘରୋଇ ବିମାନକୁ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ଇତିମଧ୍ୟରେ ଭୁବନେଶ୍ବରରୁ ଚେନ୍ନାଇ, ରାଞ୍ଚି, ହାଇଦ୍ରାବାଦକୁ ବିମାନ ଚଳାଚଳ ବନ୍ଦ କରି ଦେଇଛି। ଏୟାର ଏସିଆ ବିମାନ ଏବେ ଏଠାରୁ କେବଳ ବେଙ୍ଗାଲୁରୁ ଓ କଲକାତାକୁ ଯାତ୍ରା କରୁଛି। ସେହିପରି ଅନ୍ତର୍ଜାତୀୟ ସହର ଭାବେ କୁଆଲାଲୁମ୍ପୁର ଓ ବ୍ୟାଙ୍ଗକକ୍‌କୁ ନିୟମିତ ଉଡ଼ାଣ ଭରୁଛି। ଜାନୁଆରୀ ମାସ ସୁଦ୍ଧା ଚେନ୍ନାଇ ଓ ରାଞ୍ଚିକୁ ଯାଉଥିବା ବିମାନ ପ୍ରତ୍ୟାହାର କରାଯାଇଛି। ସେହିପରି ଚଳିତ ମାସ ଭୁବନେଶ୍ବର-ହାଇଦ୍ରାବାଦ ବିମାନ ଚଳାଚଳ ବନ୍ଦ କରାଯାଇଛି। ଅପରପକ୍ଷେ ଆସନ୍ତା ମାସ ସୁଦ୍ଧା ଏଠାରୁ ବେଙ୍ଗାଲୁରୁ ଓ କଲକାତାକୁ ବିମାନ ଚଳାଚଳ ଅବଧି କମାଇବା ପାଇଁ କମ୍ପାନୀ ଯୋଜନା କରିଥିବା ଜଣାପଡିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ଲଗାତାର ଅଭିବୃଦ୍ଧି ହେଉଛି। ଏହି ବିମାନବନ୍ଦରର ବାର୍ଷିକ ଯାତ୍ରୀଧାରଣ କ୍ଷମତା ୩୫ ଲକ୍ଷ ହୋଇଥିବା ବେଳେ ଚଳିତ ବର୍ଷ ସୁଦ୍ଧା ଏହି ପରିମାଣ ୩୦ ଲକ୍ଷ ଅତିକ୍ରମ କରିଛି। ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧିକୁ ଦେଖି ଏଏଆଇ ଏହି ବିମାନବନ୍ଦରରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏପରିସ୍ଥଳେ ଏୟାର ଏସିଆର ଘରୋଇ ବିମାନ ସଂଖ୍ୟାରେ ହ୍ରାସ କରିବା ରାଜ୍ୟବାସୀଙ୍କ ପାଇଁ ଉତ୍ସାହଜନକ ନୁହେଁ। ଏ ନେଇ ଏୟାର ଏସିଆର ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନ ପରିଚାଳନା ପ୍ରକ୍ରିୟାରେ ଆବଶ୍ୟକତା ଦୃଷ୍ଟିରୁ ବିମାନ ପ୍ରତ୍ୟାହାର କରାଯାଏ କିମ୍ବା ଉଡ଼ାଣ ଅବଧି ହ୍ରାସ କରାଯାଏ। ଏ ଦୃଷ୍ଟିରୁ ଚେନ୍ନାଇ, ହାଇଦ୍ରାବାଦ ଓ ରାଞ୍ଚିକୁ ବିମାନ ସେବା ବନ୍ଦ କରାଯାଇଛି। ଏହି ସ୍ଥାନକୁ ବିମାନ ସେବା ଆରମ୍ଭ ହେଲେ ଆମର ୱେବ୍ ସାଇଟ୍‌ରେ ଏନେଇ ଯାତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଏ ବୋଲି ସେ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories