ଏମ୍ସରୁ ଲାଲୁଙ୍କ ଡିସଚାର୍ଜକୁ ନେଇ ବିବାଦ

0

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରୁ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଡିସଚାର୍ଜକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ଏମ୍ସ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଲାଲୁ ଓ ତାଙ୍କ ପରିବାରଲୋକ ବିରୋଧ କରିଛନ୍ତି । ରାଜନୈତିକ ଚାପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି ବୋଲି ଲାଲୁ ଅଭିଯୋଗ କରିବା ସହ ତାଙ୍କ ଜୀବନକୁ ବିପଦ ରହିଥିବା କହିଛନ୍ତି । ଲାଲୁ ଏମ୍ସ କର୍ତ୍ତୃପକ୍ଷଙ୍କ ପଦକ୍ଷେପକୁ ଅନ୍ୟାୟ ଓ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ତାଙ୍କୁ କୌଣସି ସୁବିଧା ନଥିବା ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ପରେ ଲାଲୁଙ୍କୁ ଡିସଚାର୍ଜ କରାଯାଇଛି ଓ ରାଞ୍ଚିକୁ ଯାତ୍ରା କରିବା ପାଇଁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଯୋଗୁଁ ଲାଲୁଙ୍କୁ ମାର୍ଚ୍ଚ ୨୯ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୬ ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ । ସେହିପରି ଲାଲୁଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଏମ୍ସ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି । ଏହା ପଛରେ ମନ୍ଦ ଉଦ୍ଦେଶ୍ୟ ଅଛି ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଏମ୍ସର ନିଷ୍ପତ୍ତି ବିରୋଧରେ ଲାଲୁ ଏକ ପତ୍ର ଲେଖି ରାଞ୍ଚିକୁ ଫେରିବା ପାଇଁ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ନଥିବା କହିଥିଲେ । ସେ ରାଞ୍ଚି ଡାକ୍ତରଖାନାକୁ ଯିବାକୁ ଚାହୁଁନାହାନ୍ତି ଓ ରାଞ୍ଚି ମେଡିକାଲରେ ସମସ୍ତ ଚିକିତ୍ସା ସୁବିଧା ନଥିବା ସେ ନିଜ ପତ୍ରରେ ଉଲ୍ଲେଖ କରିଥିଲେ । ଲାଲୁଙ୍କ ପରିବାର ଲୋକଙ୍କ ସହ ତାଙ୍କ ସମର୍ଥକମାନେ ଏମ୍ସ ନିଷ୍ପତ୍ତିର ବିରୋଧ କରିଛନ୍ତି । ଲାଲୁର ସମର୍ଥକମାନେ ଏମ୍ସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ମେଡିକାଲରେ ପହଞ୍ଚି ଲାଲୁଙ୍କୁ ଭେଟିବାର କିଛି ଘଣ୍ଟା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ଉଲ୍ଲେଖ ଯେ ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ପ୍ରସାଦ ଯାଦବ ଲାଲୁ ୨୦୧୭ ଡିସେମ୍ବରରୁ ଜେଲ୍‌ ଦଣ୍ଡ ଭୋଗୁଛନ୍ତି । ଗୋ ଖାଦ୍ୟ ଦୁର୍ନୀତି ନେଇ ରୁଜୁ ହୋଇଥିବା ପୃଥକ ପୃଥକ ୪ଟି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଡୁମ୍‌କା ଟ୍ରେଜେରୀରୁ ବେଆଇନ ଭାବେ ଟଙ୍କା ଉଠାଣ ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ଡ ଦେଇଛନ୍ତି ।

Leave A Reply