ରଥରେ ଲାଗିହେଲା ଅଧରପଣା

0

ପୁରୀ: ରଥ ଉପରେ ମଙ୍ଗଳବାର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧରପଣା ଭୋଗ କରାଯାଇଛି। ମଧ୍ୟାହ୍ନଧୂପ ପରେ ଶ୍ରୀଜୀଉଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ତିନୋଟି ଲେଖାଏଁ ମାଟିହାଣ୍ଡି ତିନିରଥରେ ରଖାଯାଇଥିଲା। ମହାସୁଆର ସେବକ ସେଥିରେ କ୍ଷୀର, ସର, ଛାଚି, କଦଳୀ, ଛେନା, ଗୋଲମରିଚଗୁଣ୍ଡ, କର୍ପୂର ଏବଂ ଜାଇଫଳ ପକାଇଥିଲେ। ପାଣିଆ ଆପଟଙ୍କ ଦ୍ୱାରା ଛାଉଣିମଠ କୂଅରୁ ଗରାରେ ପାଣି ଅଣାଯାଇ ଅଧରହାଣ୍ଡିରେ ଯୋଗାଯାଇଥିଲା। ମହାସୁଆର ଅଧରପଣା ପ୍ରସ୍ତୁତ କରିଥିଲେ। ପତ୍ରିବଡୁ,
ସୁଆରବଡୁ ଓ ଗରାବଡୁ ପୂଜା ପାଠ କରିଥିଲେ। ପୂଜାପଣ୍ଡା ସେବକଙ୍କ ଦ୍ୱାରା ପଞ୍ଚୋପଚାରରେ ମହାପ୍ରଭୁଙ୍କୁ ପଣାଭୋଗ କରାଯାଇଥିଲା। ରଥ ଚତୁଃପାର୍ଶ୍ବ ଦେବଦେବୀଙ୍କ ସମେତ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରହାଣ୍ଡି ଭଙ୍ଗା ଯାଇଥିଲା। ଅଧରପଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡଓଡ଼ିଆ ମଠ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ। ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ରଥଉପର ପରିଷ୍କାର କରାଯାଇଥିଲା। ମହାପ୍ରଭୁ ମହାସ୍ନାନ ହୋଇଥିଲେ। ପୁଣିଥରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥିଲା। ଏହାପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇଥିଲା। ଗରୁଡଶୟନ ନୀତି ପରେ ମହାପ୍ରଭୁଙ୍କୁ ରାତ୍ରପହୁଡ କରାଯାଇଛି। ରଥଉପରେ ଅଧରପଣା ଭୋଗ ନୀତି ପ୍ରାୟ ୫୦୦ବର୍ଷର ପୁରୁଣା ବୋଲି ଗବେଷକ ମତ ଦିଅନ୍ତି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ବାହୁଡା ଦଶମୀ ଦିନ ସିଂହଦ୍ୱାର ସମ୍ମୁଖରେ ତିନିରଥ ପହଞ୍ଚିବା ପରେ ପ୍ରଭୁଙ୍କୁ ଅଧରପଣା ଭୋଗ କରାଯିବା କଥା। ପୂର୍ବରୁ ଏହି ନୀତି କିଛିବର୍ଷ ଏକାଦଶୀ ତିଥିରେ ହୋଇଥିବା ଜଣାପଡେ। ବାହୁଡାଯାତ୍ରା ଦିନ ସମୟ ଅଭାବରୁ ଦ୍ୱାଦଶୀରେ ପ୍ରଭୁଙ୍କୁ ଅଧରପଣା ଅର୍ପଣ କରାଯାଉଛି। କୁମ୍ଭାରପଡାର ପାରମ୍ପରିକ କୁମ୍ଭକାରମାନେ ଅଧରହାଣ୍ଡି ପ୍ରସ୍ତୁତ କରନ୍ତି।
ଘୋଷଯାତ୍ରା ଶେଷକରି ବୁଧବାର ନୀଳାଦ୍ରି ବିଜେ କରିବେ ଦାରୁବ୍ରହ୍ମ। ରଥଉପରୁ ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିବେ। ସନ୍ଧ୍ୟା ୬ଟା ୩୦ରେ ପହଣ୍ଡି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗର ତାଳରେ ତାଳ ମିଳାଇ ଝୁଲି ଝୁଲି ନୀଳକନ୍ଦରକୁ ଯିବେ ନୀଳାଦ୍ରିନାଥ। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରାଇବେ। ଋକ୍ମିଣୀ ବିବାହ ସମୟର ଗଇଁଠାଳ ଫିଟାଯିବ। ପରମ୍ପରା ଅନୁଯାୟୀ ବିଭିନ୍ନ ମଠ ଏବଂ ସେବକ ନିଯୋଗ ପକ୍ଷରୁ ପ୍ରଭୁଙ୍କୁ ପଂକ୍ତିଭୋଗ କରାଯିବ। ଗୁରୁବାରଠାରୁ ଶ୍ରୀମନ୍ଦିରରେ ଅନ୍ନମହାପ୍ରସାଦ ଉପଲବ୍ଧ ହେବ। ଏହାକୁ ନୀଳାଚଳ ଅବଢା କୁହାଯାଏ।

Leave A Reply