www.samajalive.in
Thursday, December 11, 2025
16.1 C
Bhubaneswar

ଦୁର୍ଗମ ଅଞ୍ଚଳର ଆଶାଲୋକ ସେବତୀ : ଷାଠିଏରେ ସକ୍ରିୟ

ବୌଦ୍ଧ : କଥାରେ ଅଛି ଇଚ୍ଛା ଥିଲେ ସଫଳତା ଆପେଆପେ ଆସେ । ଏମିତି କିଛି କରି ଦେଖାଇଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଲଣ୍ଡ୍ରେଜୋର ଗ୍ରାମର ସେବତୀ ବେହେରା (୬୦)। ବୟସ ସତେ ଯେପରି ତାଙ୍କ ନିକଟରେ ହାର ମାନିଛି। ଏବେ ବି ସେ ସକ୍ରିୟ ଓ ଚଳଚଞ୍ଚଳ। ଜଣେ ଉଦ୍ୟୋଗୀ ମିତ୍ର ଭାବରେ କାର୍ଯ୍ୟକରି ୩୫ଟି ପରିବାରକୁ ସ୍ବାବଲମ୍ବୀ କରିବାରେ ସକ୍ଷମ ହେବା ସହ ଦୁର୍ଗମ ଅଞ୍ଚଳରେ ଆଶାର କିରଣ ପାଲଟିଛନ୍ତି ସେବତୀ। ବୌଦ୍ଧ ଜିଲାର ଏକ ଦୁର୍ଗମ ଓ ଆଦିବାସୀ ବହୁଳ ଅଞ୍ଚଳ ଭାବରେ ପରିଚିତ ହରଭଙ୍ଗା ବ୍ଲକ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ପ୍ରଭୃତି ସବୁକ୍ଷେତ୍ରରେ ଏହି ଅଞ୍ଚଳ ଅବହେଳିତ ା ପରିସ୍ଥିତିରେ ପଡ଼ି
ସେବତୀ ଦଶମରୁ ପାଠ ପଢ଼ା ଛାଡିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ଚାଷବାସ ସମ୍ପର୍କରେ ଶିକ୍ଷା ଓ ତାଲିମ ଗ୍ରହଣକରି ନିଜ ପରିବାରକୁ ଆର୍ଥିକ ସ୍ୱାବଲମ୍ବୀ କରାଇ ପାରିଛନ୍ତି ା ତା’ ସହିତ ଉଦ୍ୟୋଗୀ ମିତ୍ର ଭାବରେ ହରଭଙ୍ଗା ବ୍ଲକ ଭଳି ଦୁର୍ଗମ ଅଞ୍ଚଳରେ ୩୫ ଟି ପରିବାରର ମହିଳାଙ୍କୁ ମହୁ, ଛତୁ, ପରିବା ଚାଷ ଓ ବ୍ୟବସାୟ କ୍ଷେତ୍ରରେ ତାଲିମ ଦେଇ ରୋଜଗାରକ୍ଷମ କରାଇବାରେ ସଫଳ ହୋଇପାରିଛନ୍ତି।
ବୌଦ୍ଧ ଜିଲା ବାଣୀଭୂଷଣପୁର ପଞ୍ଚାୟତର ଲଣ୍ଡ୍ରେଜୋର ଗ୍ରାମର ସେବତୀ ପିଲାବେଳୁ ମାମୁଁ ଘରେ ରହି ପାଠ ପଢ଼ୁଥିଲେ ା ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଅଧାରୁ ପାଠ ଛାଡି ଘରକୁ ଚାଲିଆସିଥିଲେ । ଘରର ଆର୍ଥିକ ଅବସ୍ଥା ସୁଧାରିବାକୁ ନିଜେ ଉଦ୍ୟମ କରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ ଓରମାସ ଅଧୀନରେ ଉତ୍ପାଦକ ଗୋଷ୍ଠୀ ଗଠନ କରି ବିଭିନ୍ନ ଗ୍ରାମର ମହିଳାମାନଙ୍କୁ ସେଥିରେ ଯୋଡିବାରେ ସଫଳ ହୋଇଥିଲେ। ହରଭଙ୍ଗା ବ୍ଲକର ଭଉଁରୀପଥର, ଲଣ୍ଡ୍ରେଜୋର, ଭୀମଖୋଲ, ଗାଡିମୁଣ୍ଡା, ଝାଡରାଜିଙ୍ଗ, ସିଙ୍ଘାଣିବିଡା, ବାଣୀଭୂଷଣପୁର ମାଧପୁର ଓ କହଁରସାହି ଆଦି ଗ୍ରାମର ୩୫ ଜଣ ମହିଳାଙ୍କୁ ଏକାଠିକରି ଆଦିଶକ୍ତି ଉତ୍ପାଦକ ଗୋଷ୍ଠୀ ଗଠନ କଲେ। ପରେ ସରକାରୀ ସହାୟତା ବାବଦରେ ପ୍ରଥମେ ୩ଲକ୍ଷ ଓ ପରେ ୧ଲକ୍ଷ ୬୦ହଜାର ଟଙ୍କା ଗୋଷ୍ଠୀକୁ ମିଳିଥିଲା। ଏହି ଅର୍ଥରେ ଛତୁଚାଷ, ପରିବା ଚାଷ, ଢିଙ୍କିକୁଟା ହଳଦୀ, ଝୁଣା, ଲାଖ, ପାଳୁଅ ଓ ମହୁଚାଷ ଆଦି ବ୍ୟବସାୟ ଆରମ୍ଭ କଲେ। ତଦ୍ବାରା ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ସ୍ବାବଲମ୍ବୀ ହୋଇ ପାରିଲେ। ବର୍ତ୍ତମାନ ସେମାନେ ଜଣ ପିଛା ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି । ସେବତୀଙ୍କ ତତ୍ୱାବଧାନରେ ଏହି ମହିଳାମାନେ ୯୦ଟି ବାକ୍ସରେ ମହୁଚାଷ କରି ବାର୍ଷିକ ୨ଥର ୧୦୦ କିଲୋ ପର୍ଯ୍ୟନ୍ତ ମହୁ ସଂଗ୍ରହ କରି ବିକ୍ରି କରୁଛନ୍ତି। ବିଗତ ଦିନରେ କୋଭିଡ ଭଳି ମହାମାରୀ ସମୟରେ ଲୋକ କାମଧନ୍ଦା ନପାଇ ଚିନ୍ତାରେ ରହିଥିବା ବେଳେ ସେବତୀଙ୍କ ପ୍ରେରଣାରେ ଏହି ମହିଳାମାନେ ହତାଶ ନହୋଇ ଘରେ ବସି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ପରିବାରର ବୋଝ ଉଠାଇବାରେ ସଫଳ ହୋଇଛନ୍ତି। କୋଭିଡ ସହାୟତା ଭାବରେ ଜିଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୨ଲକ୍ଷ ଟଙ୍କାର ଗୋଟିଏ କୁକୁଡା ପାଳନ ଘର ପାଇଁ ସହାୟତା ଯୋଗାଇ ଦିଆଯାଇଛି। ଏଥିସହିତ ମାଗଣାରେ ୨୦୦ ଅଣ୍ଡାଦିଆ କୁକୁଡା, ଦାନା, ଔଷଧ ମଧ୍ୟ ଯୋଗାଇ ଦିଆଯାଇଛି।
ପ୍ରତିଦିନ ସକାଳୁ ଉଠି ସେବତୀ ନିଜ ଘରେ କରିଥିବା ଛତୁ, ମହୁ ଚାଷ କଥା ବୁଝିବାପରେ ନିଜର ପାରିବାରିକ ଜଞ୍ଜାଳ ସାରି ହାତରେ ଖଣ୍ଡିଏ ଛତା ଓ କାନ୍ଧରେ ଝୁଲା ବ୍ୟାଗ ଧରି ସେ ବାହାରି ପଡନ୍ତି ା ବିଭିନ୍ନ ଗ୍ରାମର ମହିଳାମାନଙ୍କ ଘର ଘର ବୁଲି ସୁବିଧା ଅସୁବିଧା ବୁଝିବା ସହିତ ପରିଶ୍ରମ କରି ନିଜ ଗୋଡରେ ନିଜେ ଠିଆ ହେବାକୁ ପରାମର୍ଶ ଦେଇଥାନ୍ତି ା ବିଭିନ୍ନ ଚାଷ ସମ୍ପର୍କରେ ସେ ତାଲିମ ପାଇଥିବାରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ତାଙ୍କୁ ଉଦ୍ୟୋଗୀ ମିତ୍ର ଭାବରେ ନିଯୁକ୍ତି ଦିଆଯାଇଛି ା ସଂସ୍ଥାର ନିର୍ଦ୍ଦେଶକ୍ରମେ ସେ ବିଭିନ୍ନ ଗ୍ରାମକୁ ଯାଇ ଅନ୍ୟ ଉତ୍ପାଦକ ଗୋଷ୍ଠୀମାନଙ୍କୁ ମଧ୍ୟ ତାଲିମ ପ୍ରଦାନ କରିଥାନ୍ତି ା ତାଙ୍କର ଗୋଟିଏ ସ୍ୱପ୍ନ ମହିଳାମାନେ କାହା ଉପରେ ବୋଝ ନହୋଇ ନିଜେ ରୋଜଗାରକ୍ଷମ ହୁଅନ୍ତୁ । ଅଳ୍ପଦିନ ତଳେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ବ୍ୟକ୍ତିଗତ ଭାବରେ ଲଣ୍ଡ୍ରେଜୋର ଗ୍ରାମକୁ ଯାଇ ସଫଳ ଉଦ୍ୟୋଗ ମିତ୍ର ସେବତୀଙ୍କ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଲୋକଙ୍କ ପାଇଁ ଏହି ସେବା ଜାରି ରଖିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories