ସମାଜ ବ୍ୟୁରୋ: ବିପଦପୂର୍ଣ୍ଣ ଗାଡ଼ି ଚାଳନା ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ରିଲ୍ସ ବା ଭିଡିଓ କରିବା ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର । ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏଭଳି ଗାଡ଼ି ଚାଳକଙ୍କ ଉପରେ ନିୟନ୍ତ୍ରଣ ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ଆରଟିଓଙ୍କୁ ଏ ସଂପର୍କରେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।
– ଗାଡ଼ି ଜବତ, ପଞ୍ଜିକରଣ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ ଓ ଜରିମାନା ପାଇଁ ପଦକ୍ଷେପନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ
– ରିଲ୍ସ ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନଓ ମଦ୍ୟପାନ କରି ଗାଡ଼ି ଚାଳନା ଉପରେ ରଖାଯିବ ବିଶେଷ ନଜର
– କୋରାପୁଟ, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀରେ ହେଲା ଗାଡ଼ି ଜବତ
ତ୍ୱରିତ ପଦକ୍ଷେପ ସ୍ୱରୂପ, କୋରାପୁଟ ଜିଲ୍ଲା ଜୟପୁର ଉପକଣ୍ଠ ବାରିଣିପୁଟଠାରେ ଜାତୀୟ ରାଜପଥରେ ମାଲବାହୀ ଟ୍ରକ୍ ଭାରସମ୍ୟ ହରାଇ ରାସ୍ତା ପାର୍ଶ୍ୱ ଦୋକାନ ଉପରେ ମାଡ଼ିଯିବା ଏବଂ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୋଟର ଯାନ ଆଇନ ଓ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚାଳକ ଜଣକ ନିଶା ସେବନ କରି ଗାଡ଼ି ଚଲାଉଥିବା ଜଣାପଡ଼ିଛି । ଗାଡ଼ିକୁ ଜବତ କରାଯାଇଥିବା ବେଳେ ପୋଲିସ ଡ୍ରାଇଭରଙ୍କୁ ଅଟକ ରଖିଛି । ସେହିଭଳି ଗାଡ଼ିର ପଞ୍ଜିକରଣ ସାର୍ଟିଫିକେଟ ଓ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ ପାଇଁ ପଦକ୍ଷେପ ନିଆଯାଇଛି ।
ସେହିଭଳି, ଖୋର୍ଦ୍ଧା ଜିଲ୍ଲା ହଳଦିଆର ଏକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଚଳନ୍ତା ଚାରିଚକିଆ ଗାଡ଼ିରେ ଡ୍ରାଇଭର ଷ୍ଟିଅରିଂ ଛାଡ଼ି ରିଲ୍ସ କରୁଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଖୋର୍ଦ୍ଧା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସ୍ଥାନୀୟ ପୋଲିସ, ଜଗତସିହପୁର ଓ ଭୁବନେଶ୍ୱର-୧ ଆରଟିଓଙ୍କ ସହଯୋଗରେ ଗାଡ଼ିକୁ ଜବତ କରିଛନ୍ତି । ଜରିମାନା ସହ ଡ୍ରାଇଭିଂ ଲାଇସେନ୍ସ ଓ ପଞ୍ଜିକରଣ ସାର୍ଟିଫିକେଟ ନିଲମ୍ବନ ପାଇଁ ପଦକ୍ଷେପ ନେଇଛନ୍ତି ।
ଭୁବନେଶ୍ୱରରେ ଏକ ବାଇକରେ ଯୁବକ-ଯୁବତୀଙ୍କ ବିପଦପୂର୍ଣ୍ଣ ଗାଡ଼ି ଚାଳନାର ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା । ଏହି ଘଟଣାରେ ମଧ୍ୟରେ ଭୁବନେଶ୍ୱର-୨ ଆରଟିଓ ଗାଡ଼ି ଅଟକ ରଖିଥିବା ବେଳେ ଜରିମାନା, ଲାଇସେନ୍ସ ନିଲମ୍ବନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ, ପୁରୀରେ ମଧ୍ୟ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନା ଘଟଣାରେ ଆରଟିଓଙ୍କ ପକ୍ଷରୁ ମୋଟର ଯାନ ଆଇନ ଅନୁଯୀୟ ପଦକ୍ଷେପ ଗ୍ରହଣ କରି ଗାଡ଼ିକୁ ଅଟକ ରଖି ଜରିମାନା କରାଯାଇଛି ।
ରିଲ୍ସ ତଥା ସୋସିଆଲ ମିଡିଆ ଭିୟୁ ପାଇଁ ଯୁବପିଢ଼ି ବିପଦପୂର୍ଣ୍ଣ ଗାଡ଼ି ଚଳାଉଥିବାର ଭିଡିଓ ନିୟମିତ ଭାବରେ ସାମ୍ନାକୁ ଆସୁଛି । ଯାହାପାଇଁ ଅନେକ ସମୟରେ ଦୁର୍ଘଟଣା ବି ଘଟୁଛି । କେବଳ ଉକ୍ତ ଗାଡ଼ି ଚାଳକ ନୁହେଁ, ଏହା ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ବିପଦର କାରଣ ପାଲଟୁଛି । ନିୟମ ଉଲ୍ଲଙ୍ଘନର ଏଭଳି ଦୃଶ୍ୟ ଉପରେ ନିୟନ୍ତ୍ରଣ ପାଇଁ ସଡ଼କରେ ଏନଫୋର୍ସମେଣ୍ଟ ସହ ସୋସିଆଲ ମିଡିଆ ଉପରେ ମଧ୍ୟ ଏଭଳି ଘଟଣା ଉପରେ ଦୃଷ୍ଟି ରଖିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି । ଉଭୟ ମୋଟର ଯାନ ଆଇନ ଓ ଭାରତୀୟ ନ୍ୟାୟ ସଂହିତାରେ ଏଭଳି କାର୍ୟ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାବଧାନ ରହିଛି । ତେଣୁ ଏଭଳି ବିପଦପୂର୍ଣ୍ଣ ଗାଡ଼ି ଚାଳନାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ।



