ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଚୌଦ୍ୱାର : ଚୌଦ୍ୱାର ଥାନା ମହିସାଲଣ୍ଡା ପଞ୍ଚାୟତ ବନ୍ତୋ ଗ୍ରାମରେ ବିଦ୍ୟୁତ୍ ଆଘାତରେ ପରମାନନ୍ଦ ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ମହିସାଲଣ୍ଡା ପଞ୍ଚାୟତର ଲୋକ ମାନେ ବୁଧବାର ଅପରାହ୍ଣ ୨ଟା ସମୟରେ ଚୌଦ୍ୱାରସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ଶବ ରଖି କଟକ-ଚୌଦ୍ୱାର ବ୍ୟାରେଜ ରାସ୍ତାକୁ ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତି ପୂରଣ ବାବଦ ୨୦ଲକ୍ଷ ଟଙ୍କା ଓ ଜଣକୁ ଚାକିରୀ ପାଇଁ ସେମାନେ ଦାବି କରିଥିଲେ । ଫଳରେ ଏହି ରାସ୍ତାରେ ଯାନ ବାହନ ଚଳାଚଳ ବ୍ୟହତ ହୋଇଥିଲା । ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାଶୁଝା କରି ସେମାନଙ୍କୁ ରାସ୍ତାରୋକୋରୁ ହଟାଇବା ସହିତ ଟାଟା ପାୱାର ଅଧିକାରୀ ମାନଙ୍କ ସହିତ ଆଲୋଚନାର ବ୍ୟବସ୍ଥା କରିଥିଲେ । ଟିପିଡିଓଏସ୍ଏଲର ଏସଡିଓ ସମୀର ପଡ଼ିହାରୀ, ଥାନା ଭାରପ୍ରାପ୍ତ ଅଧିକାରୀ ସସ୍ମିତା ଖିଲାର, ଆଠଗଡ଼ ବିଧାୟକ ପ୍ରତିନିଧି ସେକ୍ ସାହାଜାନ୍, ଜିଲା ପରିଷଦ ସଦସ୍ୟ ବିଶ୍ୱଜିତ ପ୍ରଧାନ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମଧୁସ୍ମିତା ସେଠୀ, ଶଙ୍କରପୁର ସରପଞ୍ଚ ପ୍ରମୁଖ ଆଲୋଚନା କରି ଟାଟା ପାୱାର ତରଫରୁ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ପ୍ରଦାନ କରିବାର ପ୍ରତିଶ୍ରୁତି ଦେବା ପରେ ଘଟଣା ସମାଧାନ ହୋଇଥିଲା । ପରିବାରର ଜଣକୁ ଚାକିରୀ ପ୍ରଦାନ ଦାବି ସମ୍ପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଏସ୍ଡିଓ ଶ୍ରୀ ପଡ଼ିହାରୀ ସୂଚନା ଦେଇଥିଲେ । ସୂଚନାଯେଗ୍ୟଯେ ପରମାନନ୍ଦ ମଙ୍ଗଳବାର ସକାଳେ ଗ୍ରାମପାଖ ଜମିରେ ଚାଷ କରିବାକୁ ଯାଇଥିବାବେଳେ ଚାଷ ଜମିରେ ଛିଡ଼ି ପଡ଼ିଥିବା ୧୧କେଭି ଜୀବନ୍ତ ବିଦ୍ୟୁତ ତାର ଲାଗି ମୃତ୍ୟୁ ବରଣ କରିଥିଲେ ।

Comments are closed.