କେବେ ସୁଧୁରିବ ବାଉଁଶଦଣ୍ଡା ଛକ ଅବସ୍ଥା ?

ଆଠଗଡ : ଆଠଗଡ-ମୁଣ୍ଡଳି ରାସ୍ତାର ବାଉଁଶଦଣ୍ଡା ଛକରେ ସାମାନ୍ୟ ବର୍ଷାରେ ଜଳ ନିଷ୍କାସନ ହୋଇନପାରି ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବାରୁ ପଦଚାରୀଙ୍କର ଓ ଗାଡିମଟର ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । ଦୀର୍ଘ ୧୫ ବର୍ଷର ଏହି ସମସ୍ୟାର ସ୍ଥାୟୀ ସମସ୍ୟାର ସମାଧାନ ଦିଗରେ ପୂର୍ତ୍ତ ବିଭାଗ ଆଦୌ ଆନ୍ତରିକତା ପ୍ରଦର୍ଶନ କରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ବାଉଁଶଦଣ୍ଡା ଛକଟି ମୁଣ୍ଡଳି ସେତୁଠାରୁ ମାତ୍ର ଏକ କିମି ମଧ୍ୟରେ ରହିଛି। ଏହି ମୁଣ୍ଡଳି ସେତୁକୁ ସଂଯୋଗ କରୁଥିବା ଛକରୁ ଗୋଟିଏ ରାସ୍ତା ଆଠଗଡ ସହର ବାଟ ଦେଇ ଅନୁଗୁଳ ଓ ସମ୍ବଲପୁର ଆଡକୁ ଯାଇଥିବା ବେଳେ ଅନ୍ୟ ଏକ ରାସ୍ତା ଅନନ୍ତପୁର ଦେଇ କଖଡି ପର୍ଯ୍ୟନ୍ତ ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ସଂଯୋଗ କରୁଛି। ପ୍ରତିଦିନ ଏହି ରାସ୍ତା ଓ ଛକ ଦେଇ ଅତିକମରେ ୨୦୦୦ରୁ ଉର୍ଦ୍ଧ୍ବ ଛୋଟବଡ ଓ ଭାରିଯାନ ଚଳାଚଳ କରିଥାଏ। ରାସ୍ତାରେ ପାଣି ଜମି ସୃଷ୍ଟି ହୋଇଥିବା ଖାଲଖମା ଯୋଗୁଁ ସେଠାରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ବର୍ଷା ଋତୁରେ ପ୍ରାୟ ତିନିମାସ ଧରି ବାଉଁଶଦଣ୍ଡା ଛକ ରାସ୍ତାର ୫୦-୬୦ ଫୁଟ ଅଞ୍ଚଳରେ ଆଣ୍ଠୁଏରୁ ଉଚ୍ଚ ପାଣି ଜମା ହୋଇ ରହିବା ଫଳରେ ବଡବଡ ଖାଲ ସୃଷ୍ଟି ହୋଇଯାଉଛି। ପ୍ରତିବର୍ଷ ବର୍ଷାଋତୁ ପରେ ସେଠାରେ ମରାମତି କରାଯାଉଥିଲେ ମଧ୍ୟ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଉନି।

ସକାଳର ଏହି ଲକ୍ଷଣ ଦିଏ ଉଚ୍ଚ ରକ୍ତଚାପର ସଙ୍କେତ..


ପୂର୍ତ୍ତ ବିଭାଗ ପକ୍ଷରୁ ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ମୁଣ୍ଡଳି ଠାରୁ ଆଠଗଡ ପର୍ଯ୍ୟନ୍ତ ପ୍ରାୟ ୧୬ କିମି ରାସ୍ତାର ସୁଦୃଢୀକରଣ ଓ ପ୍ରଶସ୍ତିକରଣ କାମ କାଳିକା ଷ୍ଟୋନ ୱାର୍କସ୍ ନାମକ ଠିକାସଂସ୍ଥା ଦ୍ବାରା କରାଯାଉଛି। ଏଇ କାମ ଶେଷ ହେବାର ଅବଧି ଆସନ୍ତା ୨୦୨୪ ଡିସେମ୍ବର ମାସରେ ଶେଷ ହେଉଥିବାବେଳେ ଯେଉଁ ଗତିରେ କାମ ଚାଲିଛି ତାହା ଅବଧି ମଧ୍ୟରେ ଶେଷ ହୋଇପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଉଛି। ରାସ୍ତା ପ୍ରଶସ୍ତିକରଣରେ ଘରୋଇ ଜମି ଅଧିଗ୍ରହଣ ଏବଂ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦରେ ସମସ୍ୟା ରହିଛି ବୋଲି ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ବାଉଁଶଦଣ୍ଡା ଛକରେ ଏବେ ଘରୋଇ ଜମିକୁ ନେଇ ସମସ୍ୟା ଉପୁଜିଥିବାରୁ ସେଠାରେ ରାସ୍ତା ଉନ୍ନତିକରଣ କାର୍ଯ୍ୟ କରାଯାଇ ପାରୁନି। ବାଉଁଶଦଣ୍ଡା ଛକ ଓ ତିନୋଟିଯାକ ସଂଯୋଗୀ ରାସ୍ତା ପ୍ରାୟ ଏକ ଫୁଟ ଉଚ୍ଚା କରାଯିବାର ଯୋଜନା ରହିଛି । ଫଳରେ ରାସ୍ତା ଉପରେ ଆଉ ବର୍ଷାଜଳ ଜମିବ ନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ କହୁଛନ୍ତି । ତେବେ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ସେଠାରେ କାମ ଅଧପନ୍ତରିଆ ହୋଇ ରହିଛି । ପୂର୍ତ୍ତ ବିଭାଗ ଓ ରାଜସ୍ବ ପ୍ରଶାସନ ମଧ୍ୟରେ କିପରି ସମନ୍ୱୟ ରକ୍ଷା କରାଯାଇ ଜମି ମାପଚୁପ ଓ ଅଧିଗ୍ରହଣ ସମସ୍ୟାର ସମାଧାନ ହେବ ଓ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ସେ ଦିଗରେ ଆଠଗଡ ଉପଜିଲ୍ଲାପାଳ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

Comments are closed.