www.samajalive.in
Sunday, December 14, 2025
26.1 C
Bhubaneswar

ରାହାଣେଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ

ମୁମ୍ବଇ : ଜୁନ ୧୪ରୁ ବେଙ୍ଗାଲୁରୁରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ  ରାହାଣେ ଭାରତୀୟ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ ବିରାଟ କୋହଲି ଏହି ସମୟରେ ଇଂଲଣ୍ଡରେ କାଉଣ୍ଟି ଖେଳିବାର କାର୍ଯ୍ୟକ୍ରମ ଥିବାରୁ ସେ ଏହି ଟେଷ୍ଟ ଖେଳିବେନି।  ମଙ୍ଗଳବାର ଜାତୀୟ ମନୋନୟନ କମିଟି ବେଙ୍ଗାଲୁରୁରେ ଏକ ବୈଠକରେ ମିଳିତ ହୋଇ ଆଫଗାନିସ୍ତାନ ବିପକ୍ଷ ଏହି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରିବେ। ଏଥିସହିତ ଭାରତୀୟ ‘ଏ’ ଦଳର ଇଂଲଣ୍ଡ ଗସ୍ତ, ତ୍ରିରାଷ୍ଟ୍ରୀୟ ସିରିଜ (ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ଭାରତ) ପାଇଁ ‘ଏ’ ଦଳ, ଆୟରଲାଣ୍ଡ ଗସ୍ତ ନିମନ୍ତେ ଟ୍ୱେଣ୍ଟି୨୦ ଦଳ, ଇଂଲଣ୍ଡ ଗସ୍ତ ପାଇଁ ଟ୍ୱେଣ୍ଟି୨୦ ଓ ଦିନିକିଆ ଦଳ ମଧ୍ୟ ସେଦିନ ଘୋଷଣା କରାଯିବ ବୋଲି ଜଣାପଡିଛି। ଜୁନ ମାସରେ କୋହଲି ସରେ କାଉଣ୍ଟି ପାଇଁ ବ୍ୟସ୍ତ ରହୁଥିବାରୁ ଆୟରଲାଣ୍ଡ ବିପକ୍ଷ ଟ୍ୱେଣ୍ଟି୨୦ ସିରିଜ ଖେଳିପାରିବେ ନାହିଁ। ଅବଶ୍ୟ ଆୟରଲାଣ୍ଡ ଗସ୍ତ ପରେ କୋହଲି ଇଂଲଣ୍ଡରେ ଭାରତୀୟ ଦଳ ସହ ଯୋଗଦେବେ। ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ପାଇଁ ରାହାଣେ ଅଧିନାୟକ ଦୌଡରେ ସର୍ବାଗ୍ରେ ଥିବାବେଳେ ଆୟରଲାଣ୍ଡ ବିପକ୍ଷ ଟ୍ୱେଣ୍ଟି୨୦ ସିରିଜରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି।
ଆୟରଲାଣ୍ଡ ସିରିଜଠାରୁ ଭାରତୀୟ ଦଳର ଗସ୍ତ କାର୍ଯ୍ୟକ୍ରମ ବ୍ୟସ୍ତବହୁଳ ହେବ। ଆୟରଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଦୁଇଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳିବାପରେ ଇଂଲଣ୍ଡ ମାଟିରେ ୩ଟି ଟ୍ୱେଣ୍ଟି୨୦, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ଖେଳିବ। ଭାରତର ନିର୍ଭରଯୋଗ୍ୟ ଟେଷ୍ଟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଓ ଫାଷ୍ଟ ବୋଲର ଈଶାନ୍ତ ଶର୍ମା ସଂପ୍ରତି ଇଂଲଣ୍ଡରେ କାଉଣ୍ଟି ଖେଳୁଥିବାବେଳେ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ଏ ଦୁହେଁ ଖେଳିବେ ବୋଲି ଜଣାପଡିଛି। କୋହଲିଙ୍କ ସ୍ଥାନରେ ମୁମ୍ବଇ ବ୍ୟାଟସମ୍ୟାନ ଶ୍ରେୟସ ଆୟାର ଦଳରେ ସ୍ଥାନ ପାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। କୋହଲି ଆହତ ହୋଇଥିବା କାରଣରୁ ୨୦୧୭ରେ ଅଷ୍ଟ୍ରେଲିଆ ବିପକ୍ଷ ଧର୍ମଶାଳା ଟେଷ୍ଟ ଖେଳିପାରିନଥିଲେ। ସେତେବେଳେ ମନୋନୟନ କମିଟି ଆୟାରଙ୍କୁ ବଦଳ ଖେଳାଳିଭାବେ ଦଳରେ ସାମିଲ କରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ବାମହାତି ସ୍ପିନର କୁଳଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବା ଫଳରେ ଆୟାର ଏହି ସୁଯୋଗରୁ ବଞ୍ଚିତ ହୋଇଥିଲେ। ଆୟାର ଏପର୍ଯ୍ୟନ୍ତ ୪୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୫୩.୯୦ ହାରରେ ୩୯୮୯ ରନ ସ୍କୋର କରିସାରିଥିବାରୁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ଆୟାର ଦଳରେ ସାମିଲ ହେବାର ଯଥାର୍ଥତା ରହିଛି ବୋଲି ମନୋନୟନ କମିଟି ହୃଦୟଙ୍ଗମ କରୁଛି। ଏହି ଟେଷ୍ଟରେ ମୁରଲୀ ବିଜୟ, ଶିଖର ଧାୱନ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନ ନିଶ୍ଚିତ ଜଣାପଡୁଥିବାବେଳେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବାକୁ ରୋହିତ ଶର୍ମା ଓ ଆୟାରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ ବୋଲି ଆକଳନ କରାଯାଉଛି। ଟେଷ୍ଟ ଫର୍ମାଟରେ ରୋହିତଙ୍କ ରେକର୍ଡ ଏତେଟା ଉତ୍ସାହଜନକ ହୋଇନଥିବାରୁ ଆୟାର ଚୂଡାନ୍ତ ଏକାଦଶରେ ସାମିଲ ହେବାର ସମ୍ଭାବନା ଅଧିକ ଜଣାପଡୁଛି।
ଅପରପକ୍ଷରେ ଓପନର ଲୋକେଶ ରାହୁଲ, ମୁରଲୀ ବିଜୟ, ଅଫ୍‍ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ୱିକେଟରକ୍ଷକ-ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ, କୃନାଲ ପାଣ୍ଡ୍ୟା ପ୍ରମୁଖ ଭାରତୀୟ ‘ଏ’ ଦଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏମାନଙ୍କ ବ୍ୟତୀତ ପୃଥ୍ୱୀ ଶ, ସୁବ୍‍ମାନ ଗିଲ୍‍ ଓ ଶିବମ ମାଭିଙ୍କ ଭଳି ଯୁବ କ୍ରିକେଟରଙ୍କୁ ମଧ୍ୟ ଭାରତୀୟ ‘ଏ’ ଦଳରେ ସ୍ଥାନ ମିଳିବାର ସୁଯୋଗ ରହିଛି। ଜୁନ ୨୨ରୁ ଭାରତୀୟ ‘ଏ’ ଦଳ ସେମାନଙ୍କର ତ୍ରିରାଷ୍ଟ୍ରୀୟ ସିରିଜ ଅଭିଯାନ ଆରମ୍ଭ କରିବ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories