ମାଥିଲି ଗୁଳିକାଣ୍ତ ଦିବସ ପାଳିତ

ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଥାନା ପରିସରରେ ଥିବା ଶହୀଦ ସ୍ତମ୍ଭରେ ମାଥିଲ ଗୁଳିକାଣ୍ତ ଦିବସ ପାଳିତ ହୋଇଯାଇଛି। ଭାରତ ଛାଡ ଆନ୍ଦୋଳନରେ ବ୍ରିଟିଶ୍ ବିରୋଧରେ ଲଢିବାକୁ ଯାଇ ଶହୀଦ ହୋଇଥିଲେ ଏହି ଆଦିବାସୀ ଅଞ୍ଚଳର ସଂଗ୍ରାମୀ। ସେମାନଙ୍କ ବୀରତ୍ୱର ଗାଥା ଏବଂ ସଂଗ୍ରାମର ସ୍ମୃତି ଏବେ ମଧ୍ୟ ଅଭୁଲା ହୋଇ ରହିଛି କିନ୍ତୁ ସେହି ମାଥିଲ ଗୁଳିକାଣ୍ଡକୁ ସରକାରୀ ମାନ୍ୟତା ମିଳି ପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁଦିନରୁ ଦାବି କରିଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।ଗୁଳିକାଣ୍ତ ଦିବସକୁ ସରକାରୀ ମାନ୍ୟତା ଦେଇ ପ୍ରଶାସନିକ ଭାବେ ପାଳନ ନ ହେବା ପର୍ୟ୍ୟନ୍ତ ଜାତି , ବର୍ଣ୍ଣ , ଦଳ ନିର୍ବିଶେଷରେ ଶହୀଦଙ୍କୁ ସମ୍ମାନ ମିଳିପାରିବା କଷ୍ଟକର ବୋଲି ଅଞ୍ଚଳବାସୀ ମତ ରଖିଛନ୍ତି । ଯେଉଁ ଦିନ ସରକାରୀ ଭାବେ ମାଥିଲ ଗୁଳିକାଣ୍ଡ ଦିବସ ପାଳନ କରାଯିବ ସେହି ଦିନ ଶହୀଦଙ୍କୁ ପ୍ରକୃତ ସମ୍ମାନ ମିଳିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି। ବୁଧବାର ମାଥିଲ ଗୁଳିକାଣ୍ଡ ଦିବସ ପାଳନ ଅବସରରେ ବିଭିନ୍ନ ରାଜନୈତିକ ଦଳ , ସମାଜ ଏବଂ ସଂଘ ତରଫରୁ ଶହୀଦ ଦିବସକୁ ପାଳନ କରାଯାଇଥିଲା ।

ଭିନ୍ନ ଭିନ୍ନ ତରିକାରେ ସମସ୍ତ ଦଳୀୟ କର୍ମକର୍ତ୍ତା ଏବଂ ବିଭିନ୍ନ ସମାଜର ସଦସ୍ୟମାନେ ଯୋଗ ଦେଇ ସର୍ବଦଳୀୟ ଭାବେ ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଥାନା ପରିସରରେ ଥିବା ଶହୀଦ ସ୍ତମ୍ଭରେ ଗୁଳିକାଣ୍ତ ଦିବସ ପାଳନ କରିଥିଲେ । ସମସ୍ତ ଗୋଷ୍ଠୀ ମାଥିଲି ସଦର ପରିକ୍ରମା କରିଥିଲେ । ଶୋଭାଯାତ୍ରାରେ ମାଥିଲି ଥାନା ନିକଟରେ ପହଞ୍ଚିବା ପରେ ମାଥିଲି ପୋଲିସ ସ୍ବତନ୍ତ୍ର ଭାବେ ଏକତ୍ର ପାଳନ କରିବାକୁ ପ୍ରୟାସ କରିଥିଲା । ମାଥିଲି ଥାନା ଆଇଆଇସି ଜନ୍ ଖୁଜୁରଙ୍କ ପ୍ରୟାସରେ ସମସ୍ତଙ୍କୁ ଥାନା ପରିସରରେ ଥିବା ଶହୀଦ ସ୍ତମ୍ଭରେ ପାଛୋଟି ନିଆଯାଇଥିଲା । ପରେ ଶହୀଦ ସ୍ତମ୍ଭରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ନାମରେ ସ୍ଲୋଗାନ୍ ଦିଆଯାଇଥିଲା । ଏହି ଅବସରରେ ବିଏସ୍ଏଫ୍ ଯବାନମାନଙ୍କ ତରଫରୁ ଶହୀଦମାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଯୋଗ ଦେଇଥିବା ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ , ନବରଙ୍ଗପୁର ସାଂସଦ ରମେଶ ମାଝି , ଚିତ୍ରକୋଣ୍ତା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା , ଜିଲା ଆଦିବାସୀ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ , ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ , ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି , ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମିପ୍ରୀୟା ନାୟକ , ବିଡିଓ ଆଶିଷ କୁମାର ଭୋଈ , ତହସିଲଦାର ମଘବାନ ବାଗ , ନେତା ସ୍ମୃତି ରଞ୍ଜନ , କୁନାଲ ମିଶ୍ର , ଜିଲା ପରିଷଦ ସଭ୍ୟ ବାଲରାଜୁ କପେ , କୁଶ ତାତି , ଶାନ୍ତିଲତା ମାଝି , ଆଦିବସୀ ସମାଜ ମହାସଂଘର ଘନଶ୍ୟାମ ମାଡକାମୀ , ସନୁ ଅନୁଙ୍ଗୁଙ୍କ ସମେତ ସମସ୍ତ ଲୋକପ୍ରତିନିଧିମାନେ ଶହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

Comments are closed.