ଦଳିଦେଲା ଦନ୍ତା, ଜଣେ ମୃତ
ବାରମ୍ବାର ଜନବସତି ମୁହାଁ ହେଉଛନ୍ତି ଗଜରାଜ
ଦ୍ୱାରଶୁଣି : ମୟୂରଭଞ୍ଜ ଜିଲାରେ ଲୋକମାନେ ବାରମ୍ବାର ହାତୀ ଆକ୍ରମଣର ଶିକାର ହେଉଛନ୍ତି। ବୁଧବାର ବାଙ୍ଗିରିପୋଷି ରେଞ୍ଜରେ ହାତୀ ପ୍ରାଦୁର୍ଭାବ ଦେଖିବାକୁ ମିଳିଥିବା ବେଳେ ଗୁରୁବାର ଭୁର୍ଲୁବଣି ଗାଁରେ ଜଣଙ୍କୁ ପାଦରେ ଦଳି ଦେଇଥିବା କଥା ସାମ୍ନାକୁ ଆସିଛି। ନିଜର ଚାଷ ଜମିକୁ ହାତୀପଲଙ୍କ ଦାଉରୁ ରକ୍ଷା କରିବା ପାଇଁ ଘଉଡାଇବାକୁ ଯାଇ ସାରସକଣା ବ୍ଲକ ଅଧିନସ୍ଥ ଭୁର୍ଲୁବଣି ଗାଁର ଡ଼ଗଡୁ ମୁର୍ମୁ ହାତୀପଲଙ୍କ ରୋଷର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ ହିଁ ଡଗଡୁଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ରେଞ୍ଜର ତପନ କୁମାର ଦାସ ଏବଂ ଝାରପୋଖରିଆ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ସହାୟତା ରାଶିର ଏକ ଚେକ୍ ପ୍ରଦାନ କରିଛନ୍ତି। ଜିଲାରେ ରାସଗୋବିନ୍ଦପୁର, କରଞ୍ଜିଆ, ବାଙ୍ଗିରିପୋଷି, ପିଠାବଟା, କପ୍ତିପଦା ରେଞ୍ଜମାନଙ୍କରେ ବାରମ୍ବାର ହାତୀପଲଙ୍କ ଆକ୍ରମଣରେ ସାଧାରଣ ମଣିଷ ମୃତ୍ୟୁବରଣ କରୁଥିବାବେଳେ ବନବିଭାଗ କର୍ମଚାରୀଙ୍କର ଖାମଖିଆଲି ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି।
Comments are closed.