ଆଳୁ ମିଶନ ଫେଲ୍‍

0
ଆଳୁ ଚାଷ ଅଞ୍ଚଳ କମିଛି,  ବର୍ଷକୁ ଚାହିଦା ୧୨.୫୩ଲକ୍ଷ ଟନ୍‍

ଭୁବନେଶ୍ୱର  : ରାଜ୍ୟରେ ଆଳୁ ଅଭାବ ପୂରଣ ପାଇଁ ସରକାର ୨୦୧୫-୧୬ରେ ତିଆରି କରିଥିଲେ ଆଳୁ ମିଶନ। ହେଲେ ଏ ମିଶନ ଏବେ ଫେଲ୍‍ ମାରିଛି। ମିଶନ ଜରିଆରେ ୨୦୧୬-୧୭ ଓ ୨୦୧୭-୧୮ରେ ରାଜ୍ୟରେ ଆଳୁ ଉତ୍ପାଦନ ଯଥାକ୍ରମେ ୮.୨ ଓ ୧୧.୨ ଲକ୍ଷ ମେଟ୍ରିକ ଟନ୍‍ରେ ପହଞ୍ଚିବ ବୋଲି ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ବିଡ଼ମ୍ବନାର ବିଷୟ ହେଉଛି ଏହି ଦୁଇ ବର୍ଷ ଭିତରେ ଆଳୁ ଚାଷ ଅଞ୍ଚଳ ୨୫,୧୮୫ ହେକ୍ଟରରୁ ୨୫,୧୧୦ ହେକ୍ଟରକୁ କମିବା ସହିତ ଉତ୍ପାଦନ ୩.୦୨ଲକ୍ଷ ମେଟ୍ରିକ ଟନ ଭିତରେ ସୀମିତ ରହିଛି। ହେଲେ ସରକାରଙ୍କ ଆକଳନ ଅନୁସାରେ ରାଜ୍ୟରେ ବର୍ଷକୁ ଆଳୁର ଚାହିଦା ହେଉଛି ୧୨.୫୩ଲକ୍ଷ ମେଟ୍ରିକ ଟନ୍‍।
ଉଲ୍ଲେଖଯୋଗ୍ୟ ଯେ ଆଳୁ ଉତ୍ପାଦନ ବୃଦ୍ଧି, ବଜାର ଓ ଶୀତଳଭଣ୍ଡାର ସୁବିଧା,ଚାଷ ଓ ମହଜୁଦ ପାଇଁ ଋଣ ସହାୟତା, କୃଷକ, ଉତ୍ପାଦନକାରୀ ଗ୍ରୁପ ଗଠନ, ଆନ୍ତଃବିଭାଗୀୟ ସମନ୍ୱୟ, ଆଳୁ କ୍ଷେତ୍ରରେ ଗବେଷଣା ଓ ବିକାଶ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ୨୦୧୫-୧୬ରେ ଗଠନ କରିଥିଲେ ଆଳୁ ମିଶନ। ଆଳୁ ଚାଷ ଅଞ୍ଚଳ ୨୦୧୫-୧୬ରେ ୩୦ହଜାର, ୨୦୧୬-୧୭ରେ ୪୫ହଜାର ଓ ୨୦୧୭-୧୮ରେ ୬୦ହଜାର ହେକ୍ଟରକୁ ସମ୍ପ୍ରସାରିତ କରିବା ଏବଂ ଉତ୍ପାଦନ ୨୦୧୫-୧୬ରେ ୫.୪ଲକ୍ଷ ଟନରୁ ୨୦୧୭-୧୮ ସୁଦ୍ଧା ୧୧.୨ଲକ୍ଷ ଟନରେ ପହଞ୍ଚାଇବା ମିଶନର ଲକ୍ଷ୍ୟ ଥିଲା। ସେହିପରି ଶୀତଳଭଣ୍ଡାର ସଂଖ୍ୟା ୨୦୧୫-୧୬ରେ ୩୫, ୨୦୧୬-୧୭ରେ ୪୫ ଓ ୨୦୧୭-୧୮ରେ ୩୨ଟି ପ୍ରତିଷ୍ଠା ପାଇଁ ଯୋଜନା ଥିଲା।
ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ ହୋଇଥିଲା ଯେଉଁଥିରେ କୃଷି, ସମବାୟ, ଜଳସମ୍ପଦ, ଖାଦ୍ୟ ଯୋଗାଣ, ଶକ୍ତି, ତଫସିଲଭୁକ୍ତ ଜନଜାତି ଓ ଜାତି ବିକାଶ ବିଭାଗ ସଚିବ ସଦସ୍ୟ ଓ ଉଦ୍ୟାନ କୃଷି ନିର୍ଦେଶକ ଆବାହକ ଥିଲେ। ଏଥିପାଇଁ ରାଜ୍ୟସ୍ତରରେ ଉଦ୍ୟାନକୃଷି ନିର୍ଦେଶକ ଓ ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ କମିଟି ବି ଗଠନ ହୋଇଥିଲା।
ଏସବୁ ସତ୍ତ୍ବେ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ିବା ପରିବର୍ତ୍ତେ କମିଛି। ରାଜ୍ୟରେ କେତେ ପରିମାଣରେ ଆଳୁର ଚାହିଦା ଅଛି ଓ ଏହାକୁ ପୂରଣ କରିବା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ନିକଟରେ ବିଧାନସଭାରେ ବିଧାୟକ ଭୁଜବଳ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଆକଳନ ଅନୁସାରେ ବାର୍ଷିକ ୧୨.୫୩ଲକ୍ଷ ଟନ୍‍ ଆଳୁର ଆବଶ୍ୟକତା ରହିଛି। ଆଳୁ ଚାଷକୁ ପ୍ରୋତ୍ସାହନ ଓ ନଷ୍ଟ ଏଡାଇବା ପାଇଁ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଅଦ୍ୟାବଧି ରାଜ୍ୟରେ ୨.୧୨ଲକ୍ଷ ଟନ୍‍ ସଂରକ୍ଷଣ କ୍ଷମତା ଥିବା ଶୀତଳଭଣ୍ଡାର ରହିଛି।
ମନ୍ତ୍ରୀ ଗୃହରେ ରଖିଥିବା ତଥ୍ୟ ଅନୁସାରେ ଆଳୁ ଉତ୍ପାଦନ ୨୦୧୬-୧୭ରେ ୨୫୧୮୫ ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା ଓ ଉତ୍ପାଦନ ହୋଇଥିଲା ୩.୦୨ଲକ୍ଷ ମେଟ୍ରିକ ଟନ୍‍। ସେହିପରି ୨୦୧୭-୧୮ରେ ଆଳୁ ଚାଷ ଅଞ୍ଚଳ ୨୫,୧୧୦ ହେକ୍ଟର ଜମିକୁ ଖସିଆସିଥିଲା ଏବଂ ଅମଳ ୩.୦୨ଲକ୍ଷ ମେଟ୍ରିକ ଟନରେ ସ୍ଥିର ରହିଥିଲା।
ଆଳୁ ସଂରକ୍ଷଣ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି, ଅମଳ ଋତୁରେ ଆଳୁ କିଲୋ ୧୫ଟଙ୍କା ଟପିଯିବାର କାରଣ କ’ଣ , ସରକାର ଏ ଦିଗରେ କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ବିଧାନସଭାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ଆଳୁ ମିଶନ ଗଠନ ହେବା ସମୟରେ ରାଜ୍ୟରେ ଶୀତଳଭଣ୍ଡାର ସଂରକ୍ଷଣ ୧,୩୨,୨୮୦ମେଟ୍ରିକ ଟନ୍‍ ଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶୀତଳଭଣ୍ଡାର କ୍ଷମତା ପ୍ରାୟ ୬୦ପ୍ରତିଶତ ବୃଦ୍ଧି ପାଇ ୨ଲକ୍ଷ ୧୨ହଜାର ମେଟ୍ରିକ ଟନରେ ପହଞ୍ଚିଛି।
ଚଳିତବର୍ଷ ପ୍ରତିକୂଳ ପାଗ ତଥା ଗତବର୍ଷ ଚାଷୀ ଆଳୁର ଉତ୍ପାଦନ ମୂଲ୍ୟ ନପାଇବା ଯୋଗୁଁ ମୁଖ୍ୟ ଆଳୁ ଉତ୍ପାଦନକାରୀ ରାଜ୍ୟ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଆଳୁର ଉତ୍ପାଦନ କମିଛି। ଏହାର ପ୍ରଭାବ ଓଡ଼ିଶା ସମେତ ସମଗ୍ର ଦେଶରେ ପଡ଼ିଛି। ଆଳୁର ମୁଖ୍ୟ ଯୋଗାଣ ପେଣ୍ଠ ପଶ୍ଚିମବଙ୍ଗରେ ସ୍ଥୀରିକୃତ ଦର ଆମ ରାଜ୍ୟରେ ପ୍ରତିଫଳିତ ହେଉଛି।
ମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ଆଳୁର ଦର ବୃଦ୍ଧି ଏକ ସର୍ବଭାରତୀୟ ଘଟଣାକ୍ରମ ଅଟେ। ରାଜ୍ୟରେ ଆଳୁର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବଜାର ଅନୁପ୍ରବେଶ ନିମନ୍ତେ ଦର ନିୟନ୍ତ୍ରଣ ପାଣ୍ଠିକୁ ବିନିଯୋଗ କରି ମାର୍କଫେଡ଼ କିମ୍ବା ନାଫେଡ଼ ମାଧ୍ୟମରେ ଆଳୁ କ୍ରୟ କରି ବଫର ଷ୍ଟକ ମାଧ୍ୟମରେ ରାଜ୍ୟର ନିଅଣ୍ଟିଆ/ତିରୋଟ ସମୟରେ ବିକ୍ରି ପାଇଁ ବିଚାର କରୁଛନ୍ତି।

ଦର ଉପରେ ଲଗାମ ନାହିଁ , ମନ୍ତ୍ରୀ କହିଲେ ଅନ୍ୟ ରାଜ୍ୟରେ ବି ବଢ଼ିଛି

ରାଜ୍ୟରେ ଆଳୁ ଦର ବଢ଼ିଚାଲିଥିବାବେଳେ ସରକାର ହାତ ଟେକିଦେଲେଣି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ କେବଳ ଓଡ଼ିଶା ନୁହେଁ ଦେଶର ଅଧିକାଂଶ ରାଜ୍ୟରେ ଆଳୁ ଦର ଉଚ୍ଚା ରହିଛି। ଆଳୁ ଉତ୍ପାଦନ ଚଳିତବର୍ଷ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଓଡ଼ିଶାରେ ମଧ୍ୟ କମିଛି। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ୭୦ ଭାଗ ଆଳୁ ଆସେ। ଓଡ଼ିଶାରେ ୧୨ଲକ୍ଷ ମେଟ୍ରିକ୍‍ ଟନ୍‍ରୁ ଅଧିକ ଆଳୁର ଚାହିଦା ଥିବାବେଳେ ମାତ୍ର ୩ଲକ୍ଷ ମେଟ୍ରିକ୍‍ ଟନ୍‍ ଉତ୍ପାଦନ ହେଉଛି। ଆଳୁ ସଙ୍କଟକୁ ଏଡାଇବା ପାଇଁ ସରକାର ଆଳୁ ମିଶନ ହାତକୁ ନେଇଥିଲେ। ଏଥିରେ ୧୭ଟି ଶୀତଳଭଣ୍ଡାର ପିପିପି ମୋଡରେ ନିର୍ମାଣ କରାଯାଇଛି। ଏବେ ଶୀତଳଭଣ୍ଡାରଗୁଡିକରେ ଆଳୁ ମହଜୁଦ୍‍ ରହିଛି। ହେଲେ ସେସବୁ ଆଳୁ ଚାଷୀଙ୍କର ନା ବ୍ୟବସାୟୀଙ୍କର ତାହା ଜଣାନାହିଁ। ଆଳୁ ଦାମ ବଢ଼ିଲେ ସେମାନେ ବିକ୍ରି କରିବାକୁ ଯୋଜନା ରଖିଥାଇପାରନ୍ତି। ତେବେ ବର୍ଦ୍ଧିତ ଦାମ ଉପରେ ରୋକ ଲଗାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଏବେ ବଜାର ଗୁଇନ୍ଦା ଜରିଆରେ ପରିସ୍ଥିତି ଉପରେ ନଜର ରଖାଯାଇଛି।
ଅମଳ ଋତୁରେ ଆଳୁ ଦାମ ୧୦ରୁ ୧୨ଟଙ୍କା ଥିଲା। ଏବେ ପ୍ରାୟ ୨୦ଟଙ୍କାରେ ପହଞ୍ଚିଲାଣି। ଆଗକୁ ଆଳୁ ଉପରେ ସରକାରଙ୍କ ନିୟନ୍ତ୍ରଣ ନରହିଲେ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି। ତେବେ ଏ ସମ୍ପର୍କରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ ରାଜ୍ୟରେ ୧୨.୩୫ଲକ୍ଷ ଟନ୍‍ ଚାହିଦା ଥିବାବେଳେ ଉତ୍ପାଦନ ହେଉଛି ୩ଲକ୍ଷ ଟନ୍‍। ଏ ବର୍ଷ ଚାଷ କମ୍‍ ହୋଇଛି, ଉତ୍ପାଦନ ବି କମିଛି। ତଥାପି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଚାଲିଛି।

Leave A Reply