ବିଦ୍ୟୁତ୍ ଆଘାତରେ ୩ ମୃତ

ବ୍ରହ୍ମପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରବିବାର ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ରହ୍ମପୁର ଅଳକାପୁରୀସ୍ଥିତ ୬ ନମ୍ବର ଲେନରେ ଘର ମାଲିକଙ୍କ ସମେତ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗଦଲପୁରରେ ନିଜ ଘରେ ଫ୍ୟାନ ଲଗାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଅଳକାପୁରୀରେ ନୂଆ ଘର ନିର୍ମାଣ କରୁଥିବା ସାଉଥକୋର ଅକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ବେହେରାଙ୍କ ଛାତ ଉପରୁ ଆଜି ସେଣ୍ଟ୍ରିଂ ଖୋଲାଯାଉଥିଲା । ସେଣ୍ଟ୍ରି ଖୋଲିବା କାମ ନେଇଥିଲେ ସଦାନନ୍ଦବିହାରର ମିସ୍ତ୍ରୀ ଅରୁଣ କୁମାର ସାବତ। ୪ ଜଣ ଶ୍ରମିକଙ୍କ ସହ ଅରୁଣ ଛାତ ଉପରେ ରହି କାମ କରୁଥିଲେ। ଏକ ଲୁହା ରଡ଼ ଧରି ଅରୁଣ କାମ କରୁଥିବା ବେଳେ ଘର ନିକଟ ଦେଇ ଲମ୍ବିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ ଆଘାତ ଲାଗିବ ପରେ ସେ ଛାତ ଉପରେ ପଡ଼ି ଛଟପଟ ହୋଇଥିଲେ। ଉପସ୍ଥିତ ଶ୍ରମିକମାନେ ଅରୁଣଙ୍କୁ ତଳକୁ ଆଣିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏପଟେ ତାରରେ ପଡ଼ିରହିଥିବା ଲୁହା ରଡକୁ ଏକ ଝାଡୁ ସାହାଯ୍ୟରେ କାଢ଼ିବାକୁ ଯାଇ ଘର ମାଲିକ ଶରତ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ୨ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଆଜି ଦିନ ୧୨ଟା ସମୟରେ ଜଗଦଲପୁରର କାଳିଆ ସେଠୀ ନିଜ ଘରେ ଫ୍ୟାନ ସୁଇଚ ଲଗାଇବା ବେଳେ ବିଦ୍ୟୁତ ଆଘାତ ପାଇଥିଲେ। ତାଙ୍କର ମଧ୍ୟ ବଡ଼ ମେଡିକାଲରେ ମୃତ୍ୟୁ ହୋଇଯାଇଛି। ୩ ଜଣକ ମୃତଦେହ ଜବତ କରି ସଦର ଥାନା ପୁଲିସ ବ୍ୟବଛେଦ କରାଇଛି।

Comments are closed.