ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ସାଙ୍ଗନେରୀ ଗେଟ ମହିଳା ଡାକ୍ତରଖାନା ହଷ୍ଟେଲରେ ଜଣେ ରେସିଡେଣ୍ଟ ଡାକ୍ତରାଣୀ ସାକ୍ଷୀ ଗୁପ୍ତା ଆତ୍ମହତ୍ୟା କରିଥିବା ଜଣାପଡିଛି। ଦୁଇ ମାସ ପୂର୍ବରୁ ସେହି ଡାକ୍ତରଖାନାରେ ଯୋଗ ଦେଇଥିବା ସାକ୍ଷୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
ଘଟଣାସ୍ଥଳରେ ପୁଲିସକୁ କୌଣସି ସୁଇସାଇଡ଼ ନୋଟ ମିଳିନାହିଁ କିନ୍ତୁ ପରିବାରବର୍ଗ ଅଭିଯୋଗ କରିଛନ୍ତି, ସେଠାରେ କାର୍ଯ୍ୟ କରୁଥିବା ବରିଷ୍ଠ ଡାକ୍ତରମାନେ ସାକ୍ଷୀଙ୍କୁ ଅପମାନଜନକ ବ୍ୟବହାର କରୁଥିଲେ। ପରିବାର ଲୋକେ କହିଛନ୍ତି ଯେ ତାଙ୍କ ଝିଅ ସାକ୍ଷୀ ସବୁଦିନ ଘରକୁ ଫୋନ କରି ପାଞ୍ଚ ଜଣ ସିନିଅର ଡାକ୍ତରଙ୍କ ନାଁ କହୁଥିଲେ ଯେଉଁମାନେ ତାଙ୍କୁ ପ୍ରତାରିତ କରୁଥିଲେ। ଡାକ୍ତର ଲୀଳା, ଡାକ୍ତର ଅଦିତି, ଡାକ୍ତର ବର୍ଷା, ଡାକ୍ତର ଦୀପାଳି ଏବଂ ଡାକ୍ତର କବିତା ତାଙ୍କୁ ହଇରାଣ କରୁଥିବା ସେ ତାଙ୍କ ପିତା ମାତାଙ୍କୁ ଜଣେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ପରିବାର ଲୋକଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଆଇପିସି ଧାରା ୩୦୬ ଅଧୀନରେ ମାମଲା ରୁଜ୍ଜୁ କରାଯାଇଛି।
ପୁଲିସ ଘଟଣାର ଯାଞ୍ଚ କରୁଥିବା ବେଳେ, ମେଡିକାଲ କର୍ତୃପକ୍ଷ ସାକ୍ଷୀଙ୍କୁ ୬ଘଣ୍ଟା ପରିବର୍ତ୍ତେ ୧୨ଘଣ୍ଟା ଖଟେଇବା ଓ ରୋଗୀ ଦେଖିବା ବେଳେ ସିନିଅର ଡାକ୍ତରମାନେ ତାଙ୍କୁ କିଛି ଆସୁନି କହି ଅପମାନ ଦେଉଥିବା ତାଙ୍କ ବାପା ସୁମେଶ କହିଛନ୍ତି।



