ନୂଆଦିଲ୍ଲୀ: ଜଣେ ଯୁବକଙ୍କୁ ହନିଟ୍ରାପରେ ଫସାଇ ଲୁଟ୍ କରିବା ପରେ ହତ୍ୟା କରାଯାଇଛି। ନୂଆଦିଲ୍ଲୀର ରାଜୌରୀ ଗାର୍ଡେନ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ପୁଲିସ ହତ୍ୟାକାରୀ ଯୁବତୀ ଓ ୨ ଯୁବକଙ୍କୁ ଗିରଫ କରିଛି। ଏଥିସହ ହତ୍ୟାର ଶିକାର ଯୁବକଙ୍କ ମୃତଦେହକୁ ପୁଲିସ ଏକ କାରରୁ ଜବତ କରିଛି।
ଡିସିପି ମୋନିକା ଭରଦ୍ବାଜଙ୍କ ସୂଚନା ମୁତାବକ, ରବିବାର ହାବିଲଦାର ମନ୍ଜୀତ, କନଷ୍ଟେବଳ ଅମିତ ଏବଂ ହୋମଗାର୍ଡ ବିଜେନ୍ଦ୍ର ପାଟ୍ରୋଲିଂ କରୁଥିବାବେଳେ ରଘୁବୀର ନଗରର ଡ୍ରେନ ନିକଟରେ ଏକ କାର ସନ୍ଦେହଜନକ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ। ସେଥିରେ ୨ ଜଣ ଯୁବକ ଏବଂ ଜଣେ ଯୁବତୀ ଥିଲେ। ପୁଲିସକୁ ଦେଖି ଯୁବକମାନେ କାର ଷ୍ଟାର୍ଟ କରି ଫେରାର ହେବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ପାଖାପାଖି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ପିଛା କରି ଅଟକାଇଥିଲେ। ପରେ ପୁଲିସ ଗାଡ଼ିରୁ ଟାଗୋର ଗାର୍ଡେନ ନିବାସୀ ହିମାଂଶୁ, ରଘୁବୀର ନଗର ନିବାସୀ ଦୀପକ ଏବଂ ଅନ୍ୟ ଜଣେ ଯୁବତୀଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଘଟଣା ପଦାକୁ ଆସିଥିଲା।
ପୁଲିସ ସୂଚନା ମୁତାବକ, ଶନିବାର ରାତିରେ ଉକ୍ତ ଯୁବତୀ ଏକ କାର୍ରେ ଥିବା ଜଣେ ଯୁବକଙ୍କୁ ହନିଟ୍ରାପରେ ଫସାଇ ଶିବାଜୀ ଏନକ୍ଲେଭର ଗ୍ୟାସ ଗୋଦାମ ନିକଟକୁ ନେଇଯାଇଥିଲେ। ପରେ ଯୁବତୀ ଜଣକ ହିମାଂଶୁ ଏବଂ ଦୀପକଙ୍କ ସହ ମିଶି ସେଠାରେ ତାଙ୍କୁ ଲୁଟ୍ପାଟ କରିଥିଲେ। ଯୁବକ ଜଣକ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ପଚରାଉଚରା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରି ଉକ୍ତ ଗ୍ୟାସ ଗୋଦାମ ନିକଟକୁ ଯାଇଥିଲା। ସେଠାରୁ ଏକ କାର ଭିତରୁ ଯୁବକଙ୍କ ମୃତଦେହ ଜବତ କରିଥିଲା। ମୃତକ ଜଣକ ପଶ୍ଚିମ ବିହାର ନିବାସୀ ଭୂପେନ୍ଦ୍ର ବିରଦୀ ବୋଲି ଜଣାପଡ଼ିଛି।



