www.samajalive.in
Friday, December 12, 2025
14.1 C
Bhubaneswar

କ୍ରିକେଟ ବିଶ୍ବକପ୍‌ : ସେମିଫାଇନାଲରେ ଅଷ୍ଟ୍ରେଲିଆ

ଲର୍ଡସ : ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ ଚଳିତ ବିଶ୍ବକପ୍‌ରେ ସେମିଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଆୟୋଜକ ଇଂଲଣ୍ଡକୁ ୬୪ ରନ୍‌ରେ ପରାସ୍ତକରି ଅଷ୍ଟ୍ରେଲିଆ ଏହି କୃତିତ୍ବ ହାସଲ କରିଛି। ଅଧିନାୟକ ଆରୋନ୍ ଫିଞ୍ଚ୍‌ଙ୍କ ଶତକ ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୭ ୱିକେଟରେ ୨୮୫ ରନ୍‌ କରିଥିଲା। ପରେ ଜେସନ୍ ବେହେରନଡର୍ଫ ୫ଟି ଓ ମିଚେଲ ଷ୍ଟାର୍କ ୪ଟି ୱିକେଟ ନେବାରୁ ଇଂଲଣ୍ଡ ୪୪.୪ ଓଭରରେ ୨୨୧ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ୭ମ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ ୧୨ ପଏଣ୍ଟ ସହ ଟେବୁଲ ଶୀର୍ଷକୁ ଉଠିବା ସହ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବା ନିଶ୍ଚିତ କରିଛି । ୭ମ ମ୍ୟାଚ୍‌ରେ ୩ୟ ପରାଜୟ ପରେ ୮ ପଏଣ୍ଟ ପାଇଥିବା ଇଂଲଣ୍ଡ ଚିନ୍ତାରେ ପଡ଼ିଯାଇଛି।
ସମ୍ମୁଖରେ ୨୮୬ ରନ୍‌ର ଲକ୍ଷ୍ୟ ଥିବା ବେଳେ ଇଂଲଣ୍ଡ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୧୪ ଓଭରରେ ୫୩ ରନ୍ ସ୍କୋର୍‌ରେ ଇଂଲଣ୍ଡ ୪ଟି ୱିକେଟ ହରାଇଥିଲା। ଜେମ୍‌ସ ଭିନ୍‌ସ ଇନିଂସର ୨ୟ ବଲ୍‌ରେ ବୋଲ୍‌ଡ ହୋଇଥିଲେ। ପରେ ମିଚେଲ ଷ୍ଟାର୍କ ଲାଗଲାଗ ୨ଟି ୱିକେଟ ନେଇ ଯାଇଥିଲେ। ଫର୍ମରେ ଥିବା ଜୋ ରୁଟ୍ ୮ ରନ୍‌ ଓ ଅଧିନାୟକ ଇଓନ୍ ମୋର୍ଗାନ୍ ୪ ରନ୍‌କରି ଷ୍ଟାର୍କଙ୍କ ଶିକାର ହୋଇଥିଲେ। ଅନ୍ୟ ପଟେ ସେଟ୍‌ ହୋଇ ଯାଇଥିବା ଓପ୍‌ନର ଜନି ବେୟାରଷ୍ଟୋ ୩୯ ବଲ୍‌ରୁ ୫ଟି ଚୌକା ସହ ୨୭ ରନ୍‌କରି ଆଉଟ ହୋଇଥିଲେ। ୫୩ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ବେନ୍ ଷ୍ଟୋକ୍‌ସ ଓ ଜୋସ୍‌ ବଟ୍‌ଲର ୫ମ ୱିକେଟ ପାଇଁ ୭୧ ରନ୍ ଯୋଡ଼ିଥିଲେ। ବଟ୍‌ଲର ୨୭ ବଲ୍‌ରୁ ୨ଟି ଚୌକା ସହ ୨୫ ରନ୍‌କରି ବିଦାୟ ନେଇଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ଭଲ ଇନିଂସ ଖେଳିଥିବା ବେନ୍‌ ଷ୍ଟୋକ୍‌ସ ୩୭ତମ ଓଭରରେ ଆଉଟହେବା ସହ ଇଂଲଣ୍ଡର ଶେଷ ଆଶା ମଉଳି ଯାଇଥିଲା। ଷ୍ଟୋକ୍‌ସ ୧୧୫ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୮୯ ରନ୍ କରିଥିଲେ। କ୍ରିସ୍ ୱକ୍‌ସ ୨୬ ଓ ଆଦିଲ ରସିଦ୍ ୨୫ ରନ୍ କରିଥିଲେ। ଜେସନ୍ ବେହେରନ୍‌ଡର୍ଫ ୫ଟି ଓ ମିଚେଲ ଷ୍ଟାର୍କ ୪ଟି ୱିକେଟ ନେଇଥିଲେ। ଫିଞ୍ଚ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Pic. Credit : espncricinfo.com

ଟସ୍ ଜିତି ଘରୋଇ ଇଂଲଣ୍ଡ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ଇନିଂସରେ ୨ଟି ପର୍ଯ୍ୟାୟ ଦେଖିବାକୁ ମିଳିଥିଲା। ଇନିଂସର ପ୍ରଥମ ୨୨ ଓଭରରେ ଅଷ୍ଟ୍ରେଲିଆ କୌଣସି ୱିକେଟ ନ ହରାଇ ୧୨୨ ରନ୍ କରିଥିବା ବେଳେ ଏହାର ୩ ଶହରୁ ଅଧିକ ରନ୍ କରିବ ବୋଲି ଆଶା କରା ଯାଉଥିଲା। ପରେ ଇଂଲଣ୍ଡର ବୋଲର ନିୟମିତ ୱିକେଟ ନେବାରୁ ଶେଷ ୨୮ ଓଭରରେ ଅଷ୍ଟ୍ରେଲିଆ ୧୬୩ ରନ୍ ଯୋଗକରି ୭ଟି ୱିକେଟ ହରାଇଥିଲା। ଅଷ୍ଟ୍ରେଲିଆର ଦୁଇ ଓପ୍‌ନର ଅାରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର ପୁଣି ଏକ ଶତକୀୟ ଓପ୍‌ନିଂ ଭାଗିଦାରୀ କରିଥିଲେ। ୱାର୍ଣ୍ଣର ୬୧ ବଲ୍‌ରୁ ୬ଟି ଚୌକା ସହ ୫୩ ରନ୍‌କରି ଆଉଟ ହୋଇଥିଲେ। ପରେ ଉସ୍‌ମାନ ଖାୱାଜା ୨୯ ବଲ୍‌ରୁ ଗୋଟିଏ ଚୌକା ସହ ୨୩ ରନ୍‌କରି ବିଦାୟ ନେଇଥିଲେ। ଶତକ ପୂରଣ କରିବାର ପରବର୍ତ୍ତୀ ବଲ୍‌ରେ ଫିଞ୍ଚ୍ ଆଉଟ ହୋଇଥିଲେ। ୧୧୬ ବଲ୍‌ରୁ ୨ଟି ଛକା ଓ ୧୧ଟି ଚୌକା ସହ ଫିଞ୍ଚ୍ ୧୦୦ ରନ୍ କରିଥିଲେ। ଷ୍ଟିଭେନ୍ ସ୍ମିଥ୍ ୩୪ ବଲ୍‌ରୁ ୫ଟି ଚୌକା ସହ ୩୮ ରନ୍ କରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ପୁଣି ବିଫଳ ହୋଇ ୮ ବଲ୍‌ରୁ ୧୨ ରନ୍‌କରି ବିଦାୟ ନେଇଥିଲେ। ମାର୍କସ ଷ୍ଟୋଇନିସ୍ ୮ ରନ୍ କରିଥିଲେ। ଆଲେକ୍ସ କ୍ୟାରି ୨୭ ବଲ୍‌ରୁ ୫ଟି ଚୌକା ସହ ୩୮ ରନ୍‌କରି ଅପରାଜିତ ଥିଲେ। କ୍ରିସ୍ ୱକ୍‌ସ ୨ଟି ୱିକେଟ ନେଇଥିଲେ।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories