www.samajalive.in
Monday, December 15, 2025
26.1 C
Bhubaneswar

ଆସିଲା ମୌସୁମୀ ; ମୁକୁଳା ପଡିଛି ନଦୀବନ୍ଧ

-ବୈତରଣୀ ଓ ସାଳନ୍ଦୀ ନଦୀର ୬ଟି ସ୍ଥାନରେ ସୁରକ୍ଷାବନ୍ଧ ଦୁର୍ବଳ, -ମରାମତି ପାଇଁ ଜଳସେଚନ ବିଭାଗକୁ ପ୍ରଶାସନର ପରାମର୍ଶ
-ଦୁର୍ବଳ ନଦୀବନ୍ଧକୁ ନେଇ ନଈକୂଳିଆବାସୀ ଆତଙ୍କିତ,-କୋଟିକୋଟି ଟଙ୍କାର ମରାମତି କାର୍ଯ୍ୟ ଅଧପନ୍ତରିଆ ଅଭିଯୋଗ

 

ଆରଡି : ମୌସୁମି ପ୍ରଭାବରେ ଗତ କିଛିଦିନ ହେବ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ତେବେ ମୌସୁମି ଆସିବା ପୂର୍ବରୁ ଦୁର୍ବଳ ନଦୀବନ୍ଧର ମରାମତି ହୋଇ ନଥିବାରୁ ନଈକୂଳିଆବାସୀ ଏବେ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳରେ। ଏହି ବ୍ଲକର ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀର ବହୁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବା ବେଳେ ପ୍ରାୟ ୫/୬ଟି ସ୍ଥାନରେ ନଦୀବନ୍ଧ ଅତି
ଦୁର୍ବଳ ଅବସ୍ଥାରେ ରହିଛି। ଆଗାମୀ ଦିନରେ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ଉକ୍ତ ସ୍ଥାନରେ ଘାଇ ହେବାର ଆଶଙ୍କା ରହିଛି ବୋଲି ନଈକୂଳିଆବାସୀ ପ୍ରକାଶ କରିଛନ୍ତି। ସେହିପରି ଶୀତଳପୁର ଓ ପାଲଟପୁ ଠାରେ ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ ଗତ କିଛିବର୍ଷ ହେବ ନଦୀରେ ଲିନ୍ନ ହୋଇ ଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମରାମତି ହୋଇ ନଥିବାରୁ ଉକ୍ତ ସ୍ଥାନରେ ବର୍ଷବର୍ଷ ଧରି ନଦୀବନ୍ଧ ମୁକୁଳା ପଡିଛି। ଏପରିକି ଅମାବାସ୍ୟା ଓ ପୂର୍ଣ୍ଣିମାରେ ସମୁଦ୍ରରୁ ସାମନ୍ୟ ଜୁଆର ପାଣି ଆସିଲେ ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି। ଗତ କିଛିଦିନ ତଳେ ଜିଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପ୍ରାକ ପ୍ରସ୍ତୁତି କରିବା ସହ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ କରାଯାଇଥିଲା। ତାହାସହ ନଈକୁଳିଆ ଅଞ୍ଚଳରେ ଦୁର୍ବଳ ନଦୀବନ୍ଧର ତୁରନ୍ତ ମରାମତି ସହିତ ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ଆବଶ୍ୟକତା ଅନୁଯାୟୀ ବାଲି ବସ୍ତା ଓ ବହ୍ଲା ବ୍ୟବସ୍ଥା କରିବାକୁ ଜଳସେଚନ ବିଭାଗକୁ ପରାମର୍ଶ ଦିଆଯାଇଥିବା ଚାନ୍ଦବାଲି ତହସିଲିଦାର ସତ୍ୟଜିତ ରାଉତ ପ୍ରକାଶ କରିଛନ୍ତି। ବୈତରଣୀ ନଦୀର ଦୋହରାପାଟଣା, ସୁନ୍ଦରପୁର, ଅମୃତମଣି, ଓଳଗ, ଷାଠିବାଙ୍କୁଡା, ବୋଡ଼କ, ମୁଆଁ ଆଦି ଦେଇ ତିନିତର ପର୍ଯ୍ୟନ୍ତ ଜଳସେଚନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟ ବରାଦ କରାଯାଇ ସୃଦୁଢ ନଦୀବନ୍ଧ ନିର୍ମାଣ କରାଯାଉଛି। ତେବେ ବିଭାଗ ପକ୍ଷରୁ ଠିକ ଭାବେ କାର୍ଯ୍ୟ ହେଉ ନଥିବା ବୋଡ଼କ, ଷାଠିବାଙ୍କୁଡା ଓ ଦୋହରାପାଟଣା ଗାଁର ନଈକୂଳିଆ ଲୋକ ଅଭିଯୋଗ ଆଣିଛନ୍ତି। ଫଳରେ ଷାଠିବାଙ୍କୁଡା ଠାରେ ନଦୀବନ୍ଧ ଅତି ଦୁର୍ବଳ ରହିଥିବା ବେଳେ ବୋଡ଼କ ନିକଟରେ ଆଖଣ୍ଡଳମଣି-ଯାଜପୁର ମୁଖ୍ୟ ରାସ୍ତା ପାର୍ଶ୍ବ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧ ବାରମ୍ବାର ନଦୀ ମଧ୍ୟକୁ ଧସିବାରେ ଲାଗିଛି।
ସୂଚନା ଅନୁଯାୟୀ; ଉକ୍ତ ସ୍ଥାନରେ ବିଗତ ୧୦ବର୍ଷ ମଧ୍ୟରେ ନଦୀ ତାର ଗତିପଥ ବଦଳାଇ ଜୁଆର ଓ ବନ୍ୟାପାଣିରେ ସୁରକ୍ଷାବନ୍ଧକୁ ଗ୍ରାସ କରିବା ସହ ଆଖଣ୍ଡଳମଣି-ଯାଜପୁର ଜାତୀୟ ରାଜପଥକୁ ଗ୍ରାସ କରିବା ଫଳରେ ମାସମାସ ଧରି ଯୋଗାଯୋଗ ବିଛିନ୍ନ ହୋଇ ପଡିଥିଲା। ବିଭାଗ ପକ୍ଷରୁ ଏହି ନଦୀବନ୍ଧର ସ୍ଥାୟୀ ମରାମତି ହେଉ ନଥିବାରୁ ବର୍ଷାଋତୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥାଏ। ସେହିପରି ମୁଆଁ ଠାରେ ନଦୀବନ୍ଧର ମରାମତି ନାଁରେ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ସାମନ୍ୟ ବର୍ଷା ହେଲେ ନାନା ଦୁର୍ଦଶା ଭୋଗୁଛନ୍ତି ନଈକୂଳିଆବାସୀ। ଏ ସମ୍ପର୍କରେ ଜଳସେଚନ ବିଭାଗର ଏସଡିଓ ଭୁବନାନନ୍ଦ ମହାନ୍ତି କୁହନ୍ତି; ନଦୀବନ୍ଧର ମରାମତି କାର୍ଯ୍ୟ କରାଯିବା ସହ କ୍ଷେତ୍ର ପରିଦର୍ଶନ କରାଯାଇଛି। ଯଦି କୌଣସି ସମସ୍ୟା ଦେଖାଦିଏ ତାହାଲେ ବିଭାଗ ପ୍ରସ୍ତୁତ ରହିଥିବା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories