ନୂଆଦିଲ୍ଲୀ: ସଂଯୁକ୍ତ ସ୍ନାତକ ସ୍ତର(ସିଜିଏଲ) ୨୦୧୭ ପାଇଁ ଷ୍ଟାଫ ସିଲେକ୍ସନ କମିଶନ(ଏସଏସସି) ପକ୍ଷରୁ ୯୨୮୪ ଖାଲି ପଦବୀ ଜାରି କରାଯାଇଛି। ଏ ନେଇ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୁପ-ଏ, ଗ୍ରୁପ-ବି, ଗ୍ରୁପ-ସି ଏବଂ ଗ୍ରୁପ-ଡି ଆଦି ସମସ୍ତ ବର୍ଗରେ ଖାଲିପଡ଼ିଥିବା ୯୨୮୪ ପଦବୀ ପୂରଣ ଲାଗି ଏହି ବିଜ୍ଞପ୍ତି ଜାରି ହୋଇଛି। ଏସଏସସି ସିଜିଏଲ ୨୦୧୭ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଏସଏସସିର ୱେବସାଇଟ୍ ssc.nic.inକୁ ଯାଇ କେଉଁ ବର୍ଗରେ କେତେ ପଦବୀ ଖାଲି ପଡ଼ିଛି ତାହା ଯାଞ୍ଚ କରିପାରିବେ ବୋଲି କମିଶନ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂସ୍ଥାଗୁଡ଼ିକରେ କର୍ମଚାରୀ ନିଯୁକ୍ତି ପାଇଁ ଏସଏସସି ପକ୍ଷରୁ ଆୟୋଜନ କରାଯାଉଥିବା ପରୀକ୍ଷାଗୁଡ଼ିକ ମଧ୍ୟରୁ ସିଜିଏଲ ପରୀକ୍ଷା ସବୁଠାରୁ ଲୋକପ୍ରିୟ ପରୀକ୍ଷା। ଅଡିଟ୍ ଅଫିସର ଗ୍ରୁପ-ବି, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଆସିଷ୍ଟାଣ୍ଟ, ଇନ୍ସପେକ୍ଟର ଅଫ ଇନକମ ଟ୍ୟାକ୍ସ ୧, ଜୁନିୟର ଷ୍ଟାଟିଷ୍ଟିକାଲ ଅଫିସର, ଅଡିଟର, ଅପର ଡିଭିଜନ କ୍ଲର୍କ, ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ଲାଗି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହି ପଦବୀଗୁଡ଼ିକ ଲାଗି ଆବେଦନକାରୀମାନେ ବୟସ ସୀମା ଏବଂ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଉଚିତ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ ଜୁଲାଇ ୮ରେ ଦେଶର ବିଭିନ୍ନ କେନ୍ଦ୍ରରେ ଏସଏସସି ସିଜିଏଲ ଟାୟାର-୩ ପରୀକ୍ଷା ୨୦୧୭ ଅନୁଷ୍ଠିତ ହୋଇଥିଲା ଏବଂ ୨୦୧୯ ମେ ୯ରେ ଏହାର ଫଳାଫଳ ପ୍ରକାଶ ପାଇଥିଲା।



