www.samajalive.in
Wednesday, December 10, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ରକ୍ତପାତ

ପ୍ରତିହିଂସା ଓ ଘୃଣାର ସଂସ୍କୃତି ସହଜରେ ଦୂର ହୁଏନା; ସାମାନ୍ୟ ସୁଯୋଗ ମିଳିଲେ ଏହା ମୁଣ୍ଡ ଟେକେ ଓ ତାହାର ଭୟାବହତା ଦେଖାଏ। ପଶ୍ଚିମବଙ୍ଗରେ ଏବେ ଯେଉଁ ହିଂସାକାଣ୍ଡ ଓ ରକ୍ତପାତର ଅଧ୍ୟାୟ ଚାଲିଛି ତାହା ନିର୍ବାଚନ ପରବର୍ତ୍ତୀ ପ୍ରତିହିଂସା ଓ ରାଜ୍ୟର ହିଂସ୍ର ନିର୍ବାଚନ ସଂସ୍କୃତିର ଏକ ପରିପ୍ରକାଶ। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗ ଏକମାତ୍ର ରାଜ୍ୟ ଯେଉଁଠି ସର୍ବାଧିକ ରାଜନୈତିକ ହିଂସାକାଣ୍ଡ ଓ ରକ୍ତପାତ ଘଟିଥିଲା। ଫଳ ପ୍ରକାଶନ ପରେ କେନ୍ଦ୍ରରେ ସରକାର ଗଠନ ହୋଇ ପରିବେଶ ଥଣ୍ଡା ପଡ଼ିବା ସତ୍ତ୍ବେ ପଶ୍ଚିମ ବଙ୍ଗରେ କିନ୍ତୁ ଉତ୍ତେଜନା ଓ ହିଂସା ଏଯାଏ ଥମିନାହିଁ। ରାଜ୍ୟର ଉତ୍ତର ୨୪ ପ୍ରଗଣା ଜିଲା ଅନ୍ତର୍ଗତ ସନ୍ଦେଶଖାଲିରେ ଶାସକ ଟିଏମସି ଓ ବିରୋଧୀ ବିଜେପି କର୍ମୀଙ୍କ ମଧ୍ୟରେ ସାନି ହିଂସାକାଣ୍ଡ ଘଟି ଉଭୟ ପକ୍ଷରୁ ଆଠଜଣ ନିହତ ହୋଇଥିବାବେଳେ ୧୮ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାରେ କିଛି ଲୋକ ନିଖୋଜଥିବା କୁହାଯାଉଛି। ପଶ୍ଚିମବଙ୍ଗରେ ଯାହା ଘଟୁଛି ତାହା ନିନ୍ଦନୀୟ ଏବଂ ଏହାକୁ ନିୟନ୍ତ୍ରଣ କରି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସ୍ବାଭାବିକ କରିବା ରାଜ୍ୟ ସରକାରଙ୍କ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏ କ୍ଷେତ୍ରରେ ଯେଉଁ ଦାୟିତ୍ବ ରହିଛି ତାହା ସେ ଉଚିତ ଭାବେ ନିର୍ବାହ କରୁ ନଥିବା ମନେହୁଏ।
ଏହି ହିଂସାକାଣ୍ଡ ପାଇଁ ଉଭୟ ତୃଣମୂଳ କଂଗ୍ରେସ ଓ ବିଜେପି ପରସ୍ପରକୁ ଦାୟୀ କରୁଛନ୍ତି। ହେଲେ ୟା ପଛର ସତକଥାଟି ହେଲା ନିର୍ବାଚନ ଫଳାଫଳଜନିତ ରାଗଶୁଝା। ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଓ ଜିଲାପାଳମାନେ ଯେ ବିଫଳ ହୋଇଛନ୍ତି କିମ୍ବା ରାଜନୈତିକ ଚାପର ବଶବର୍ତ୍ତୀ ହୋଇ କାମ କରୁଛନ୍ତି, ଏ ସନ୍ଦେହ ଘନୀଭୂତ ହେଉଛି। ମମତା ବାନାର୍ଜୀ ସ୍ବଭାବତଃ ମୁକାବିଲା ପ୍ରିୟ। ତେଣୁ ନିଜ ଗଡ଼ରେ ବିଜେପିର ଶକ୍ତିବୃଦ୍ଧିକୁୁ ସେ ସହଜରେ ମାନିନେବାକୁ ପ୍ରସ୍ତୁୁତ ନୁହନ୍ତି। ସେଥିପାଇଁ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାକୁ ସେ ନିଜ ଦଳର କର୍ମୀମାନଙ୍କୁ ସିଧାସଳଖ ଆହ୍ବାନ ଦେଇଛନ୍ତି। ଅପରପକ୍ଷରେ କେନ୍ଦ୍ରୀୟ ସମର୍ଥନରେ ଶକ୍ତିଶାଳୀ ବିଜେପି ରାଜ୍ୟରେ ସରକାର ଗଢ଼ିବା ଲକ୍ଷ୍ୟ ରଖି ପୂୂରାଦମରେ ଲଢ଼େଇ ଜାରି ରଖିଛି। ଶୀର୍ଷ ସ୍ତରର ନେତାଙ୍କ ସମର୍ଥନ ଓ ନିର୍ଦେଶ ନ’ରହିଲେ ରାଜନୈତିକ ସଂଘର୍ଷ ବା ଗଣ୍ଡଗୋଳ ବେଶୀଦିନ ଚାଲେ ନାହିଁ। ପଶ୍ଚିମବଙ୍ଗରେ ଚାଲିଥିବା ହିଂସାକାଣ୍ଡ ସନ୍ଦେଶ ଦେଉଛି ଯେ ବିଜେପି ଓ ତୃଣମୂଳ କଂଗ୍ରେସର ତୁଙ୍ଗନେତା ଏହା ପଛରେ ପ୍ରତ୍ୟକ୍ଷଭାବେ ଅଛନ୍ତି। ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅବିଳମ୍ବେ ଏହି ହିଂସାକାଣ୍ଡକୁ ରୋକାଯାଉ ଓ ରକ୍ତପାତ ବନ୍ଦହେଉ।
ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବା ପରେ ତୁରନ୍ତ ଏ କ୍ଷେତ୍ରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମମତା ସରକାରଙ୍କୁ କଡ଼ା ପରାମର୍ଶ ଦେଇଛନ୍ତି। ଏଭଳି କ୍ଷେତ୍ରରେ କେନ୍ଦ୍ର ସାଧାରଣତଃ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥାଏ ଯାହା ଏକ ମାର୍ଗଦର୍ଶିକା ସଦୃଶ; କିନ୍ତୁ ପରାମର୍ଶ କ୍ବଚିତ କଠୋର ହୋଇଥାଏ। ଏଥିର କିନ୍ତୁୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶ କଠୋର ରହିଛି। ଏହାର ଅର୍ଥ ଏହି ପରାମର୍ଶରେ କିଛି ଚେତାବନୀର ସନ୍ଦେଶ ନିହିତ। ଅଦମନୀୟ ମମତାଙ୍କୁୁ କ୍ଷମତାଚ୍ୟୁତ କରିବାକୁ ବିଜେପି ଯେଉଁ ଆଳ ବା ବାହାନା ଖୋଜୁୁଛି, ରାଜ୍ୟର ବିଗିଡ଼ା ଆଇନଶୃଙ୍ଖଳା ପରିସ୍ଥିତି ତାହାକୁ ଇନ୍ଧନ ଯୋଗାଇପାରେ। ଇତିମଧ୍ୟରେ ବିଜେପି ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ପଶ୍ଚିମବଙ୍ଗ ପରିସ୍ଥିତି ସମ୍ପର୍କରେ ଅବଗତ କରିବାର ଅର୍ଥ ମମତାଙ୍କୁ ବରଖାସ୍ତ କରିବାର କ୍ଷେତ୍ର ପ୍ରସ୍ତୁତି ଚାଲିଛି ବୋଲି ଧାରଣା ସୃଷ୍ଟି ହେବା ସ୍ବାଭାବିକ। ଏଇ କାମଟି ଏତେ ସହଜ ନ’ହେଲେ ମଧ୍ୟ ମୋଦୀ-ଶାହା ଯୋଡ଼ିଙ୍କ ରଣନୀତି ଓ ଗୋଟିଚାଳନା ମମତାଙ୍କ ପାଇଁ ନିକଟ ଭବିଷ୍ୟତରେ ଜଟିଳ ସମସ୍ୟା ସୃଷ୍ଟି କରିପାରେ। ସେଥିପାଇଁ ଦିଦି ପ୍ରସ୍ତୁୁତ ଅଛନ୍ତି ତ?

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories