www.samajalive.in
Friday, December 12, 2025
16.1 C
Bhubaneswar

କେରଳରେ ଜଣେ ନିପା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ(ପିଟିଆଇ): ୨୩ ବର୍ଷୀୟ ଜଣେ କଲେଜ ଛାତ୍ର ନିପା ଜୀବାଣୁରେ ସଂକ୍ରମିତ ହୋଇଥିବା ଏବଂ ୩୧୧ ଜଣଙ୍କୁ ଡାକ୍ତରୀ ତତ୍ତ୍ବାବଧାନରେ ରଖାଯାଇଥିବା ମଙ୍ଗଳବାର କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେ କେ ଶୈଳଜା କହିଛନ୍ତି। ପୁଣେର ନେସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଏରୋଲୋଜି (ଏନ୍‌ଆଇଭି)ରେ ଛାତ୍ରଟିର ରକ୍ତ ନମୁନା ପରୀକ୍ଷା ପରେ ସେ ନିପାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ ଦୁଇଟି ଜୀବାଣୁ ପରୀକ୍ଷା କେନ୍ଦ୍ର (ଭାଏରୋଲୋଜି)- ମଣିପାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଏରୋଲୋଜି ଓ କେରଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଏରୋଲୋଜି ଏଣ୍ଡ୍ ଇନ୍‌ଫେକ୍ଟିଅସ୍ ଡିଜିଜେସ୍‌ରେ ମଧ୍ୟ ପରୀକ୍ଷା କରାଯାଇଥିଲା ଓ ସେଥିରେ ମଧ୍ୟ ନିପା ଆକ୍ରାନ୍ତ ହୋଇଥିବା ସଙ୍କେତ ଦିଆଯାଇଥିଲା।
ଶୈଳଜା କହିଛନ୍ତି ଯେ ନିପା ଆକ୍ରାନ୍ତ ଛାତ୍ରଟିକୁ ଏକ ଘରୋଇ ଡାକ୍ତରଖାନାରେ ରଖାଯାଇଛି ଓ ତାଙ୍କୁ ବର୍ତ୍ତମାନ ସୁଦ୍ଧା ଭେଣ୍ଟିଲେଟର୍‌ ଦରକାର ପଡ଼ିନାହିଁ। ତାଙ୍କୁ ଜ୍ବର ହେଉଛି, କିନ୍ତୁ ଆମେ ଭଲ ପରିଣାମ ଆଶା କରୁଛୁ ବୋଲି ସେ ପ୍ରକାଶ କରିଛନ୍ତି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଛାତ୍ରଟିର ସଂସ୍ପର୍ଶରେ ଆସିଥିବା ପ୍ରାୟ ୩୧୧ ଜଣଙ୍କୁ ଚିହ୍ନଟ କରାଯାଇ ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯାଇଛି। ଏମାନଙ୍କ ଭିତରୁ ଦୁଇଜଣ ଜ୍ବରରେ ପୀଡ଼ିତ ଥିବାବେଳେ ଜଣକୁ କଲାମାସେରି ମେଡିକାଲ୍ କଲେଜ ହାସପାତାଳକୁ ସ୍ଥାନାନ୍ତର କରାଯାଇଛି। ଆରମ୍ଭରୁ ରୋଗୀର ଦେଖାଶୁଣା କରିଥିବା ଦୁଇ ଜଣ ସେବିକା ଗଳା ସଂକ୍ରମଣ ଓ ଜ୍ବର ହେଉଥିବା କହିବା ପରେ ସେମାନଙ୍କୁ ମଧ୍ୟ ଡାକ୍ତରୀ ତତ୍ତ୍ବାବଧାନରେ ରଖାଯାଇଛି।
ଆତଙ୍କିତ ନହୋଇ ରୋଗ ଯେଭଳି ନ ବ୍ୟାପିବ, ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଗତବର୍ଷ କୋଝିକୋଡ଼ରେ ଆମେ ଦୃଢ଼ତା ଓ ସଫଳତାର ସହ ଏହି ରୋଗର ସାମ୍ନା କରିଥିଲୁ; ଏବେ ବି କରିବୁ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହେବାଭଳି କୌଣସି କଥା ନଲେଖିବାକୁ ସେ ନିବେଦନ କରିବା ସହ ଯେଉଁମାନେ ସେପରି କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଷ୍ଟ୍ରେଲିଆରେ ପ୍ରସ୍ତୁତ ନିପାନିରୋଧୀ (ଆଣ୍ଟି-ଏନ୍‌ଆଇଭି) ଔଷଧ ରାଜ୍ୟକୁ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ‘ଟରୋପୋଡିଡାଏ’ ପ୍ରଜାତିର ବାଦୁଡ଼ି ନିପା ଜୀବାଣୁର ପ୍ରାକୃତିକ ସ୍ରଷ୍ଟା। ଏହି ଜୀବାଣୁ ବାଦୁଡ଼ି ବା ଘୁଷୁରିଠାରୁ ମଣିଷ ଏବଂ ମଣିଷଠାରୁ ମଣିଷ ନିକଟକୁ ମଧ୍ୟ ସିଧାସଳଖ ସଂକ୍ରମିତ ହୋଇପାରେ। କୋଝିକୋଡ଼ରୁ ଡାକ୍ତର ଓ ବିଶେଷଜ୍ଞମାନେ କୋଚିରେ ପହଞ୍ଚିସାରିଛନ୍ତି ଓ ସେମାନଙ୍କ ପାଖରେ ଔଷଧ ତଥା ଯଥେଷ୍ଟ ପରିମାଣର ଡାକ୍ତରୀ ସରଞ୍ଜାମ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଏର୍ଣ୍ଣାକୁଲମ ଜିଲା ମୁଖ୍ୟାଳୟରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ନିପା ଆକ୍ରାନ୍ତ ଛାତ୍ରଟି ଏର୍ଣ୍ଣାକୁଲମ ଜିଲାର ହୋଇଥିବାବେଳେ ସେ ଇଦୁକି ଜିଲାର ଥୋଡୁପୁଜାଠାରେ ପଢ଼ୁଥିଲା।
ସୂଚନାଯୋଗ୍ୟ, ୧୯ ମେ ୨୦୧୮ରେ ମାଲାପ୍ପୁରମ୍ ଜିଲାର କୋଝିକୋଡ଼ରେ ପ୍ରଥମେ ନିପା ଜୀବାଣୁଜନିତ ରୋଗ (ଏନ୍‌ଆଇଭି) ସଂକ୍ରମଣ ଜଣାପଡ଼ିଥିଲା। ସେତେବେଳେ ଏଥିଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାର ସ୍ବୀକାର କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories