ମୁମ୍ବଇ: ଇସଲାମାବାଦରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଇଫତାର ପାର୍ଟିରେ ଭାରତୀୟ କୁଟନୀତିଜ୍ଞ ଏବଂ ଦୂତାବାସ ଅଧିକାରୀଙ୍କୁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇ ଅଧିକାରୀଙ୍କ ପକ୍ଷରୁ ନିର୍ଯାତନା ଦିଆଯାଇଥିଲା। ଏହି ଘଟଣାରେ ବିଜେପି ସହଯୋଗୀ ଶିବସେନା ପାକିସ୍ତାନ ସରକାରକୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛି। ପାକିସ୍ତାନ ସରକାର ଏକ ମଦ୍ୟପ ମାଙ୍କଡ଼ ବୋଲି ଶିବସେନା ପକ୍ଷରୁ କୁହାଯାଇଛି। ଇଫତାର ପାର୍ଟିରେ ପାକିସ୍ତାନୀ ମଦ୍ୟପ ମାଙ୍କଡ଼ଙ୍କ ଦ୍ବାରା କରାଯାଇଥିବା ହଙ୍ଗାମାକୁ ଭାରତ ଭୁଲିଯିବା ଉଚିତ ନୁହେଁ ବୋଲି ଶିବ ସେନା ଏହାର ମୁଖପତ୍ର ‘ସାମନା’ରେ ପ୍ରକାଶିତ ସମ୍ପାଦକୀୟରେ ଦର୍ଶାଇଛି। ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଇଫତାର ପାର୍ଟିରେ ଯୋଗଦେବାକୁ ଆସିଥିବା ଅତିଥିମାନଙ୍କୁ ଆଇଏସଆଇ ଅଧିକାରୀମାନେ ଯେପରି ବ୍ୟବହାର କରିଥିଲେ ତାହା ନିନ୍ଦନୀୟ ବୋଲି ସାମନାରେ କୁହାଯାଇଛି। ଅନ୍ୟପଟେ ଭାରତୀୟ ଦୂତାବାସ ପକ୍ଷରୁ କଠୋର ଶବ୍ଦରେ ଏହି ଘଟଣାକୁ ନିନ୍ଦା କରାଯାଇ ପାକ୍ ସରକାରଙ୍କୁ ଚିଠି ପଠାଯାଇଛି।
ସାମନାରେ ଲେଖାଯାଇଛି ଯେ, ପାକିସ୍ତାନ ଏକ ମଦ୍ୟପ ମାଙ୍କଡ଼ ପରି। ଇଫତାର ପାର୍ଟିରେ ଏହି ମାଙ୍କଡ଼ମାନଙ୍କ ଦ୍ବାରା କରାଯାଇଥିବା ହଙ୍ଗାମା ଅସହନୀୟ। ଭାରତ ପକ୍ଷରୁ ବାଲାକୋଟରେ ଆକ୍ରମଣ କରାଯିବା ପରେ ପାକିସ୍ତାନ ମୁଣ୍ଡ କାମ କରୁନି। ସେହିପରି ମାସୁଦ ଆଝାରକୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରାଯିବା ଲାଗି ଭାରତ ପକ୍ଷଣଉ ନିଆଯାଇଥିବା ପଦକ୍ଷେପ ପାକିସ୍ତାନକୁ କୁଟନୈତିକ ସ୍ତରରେ ଅଡୁଆରେ ପକାଇଛି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକସଭା ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ଏବଂ ଦୁଇ ଦେଶ ଏକାଠି ହୋଇ ଶାନ୍ତି ଓ ବିକାଶ ଲାଗି କାର୍ଯ୍ୟ କରିବେ ବୋଲି ଆଶା କରୁଥିବା କହିଲେ। କିନ୍ତୁ ଠିକ୍ ଏହା ପରେ ଇସଲାମାବାଦରେ ଏପରି ଘଟଣା ଘଟିଥିଲା। ଏହା କ’ଣ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ପଦକ୍ଷେପ କି ବୋଲି ସାମନାରେ ପ୍ରକାଶିତ ସମ୍ପାଦକୀୟରେ ପ୍ରଶ୍ନ କରାଯାଇଛି।



