www.samajalive.in
Friday, December 12, 2025
16.1 C
Bhubaneswar

ରୁଟ୍, ବଟ୍‌ଲରଙ୍କ ଶତକ ସତ୍ତ୍ବେ ପାକିସ୍ତାନ ବିଜୟୀ

ଟ୍ରେଣ୍ଟ୍ ବ୍ରିଜ୍‌ : ଚଳିତ ବିଶ୍ବକପ୍‌ରେ ପ୍ରଥମ ମ୍ୟାଚ୍‌ରେ ଦୟନୀୟ ପ୍ରଦର୍ଶନ ପରେ ୨ୟ ମ୍ୟାଚ୍‌ରେ ପାକିସ୍ତାନର ବ୍ୟାଟ୍‌ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଫଳରେ ସୋମବାର ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ତଥା ଆୟୋଜକ ଇଂଲଣ୍ଡକୁ ୧୪ ରନ୍‌ରେ ପାକିସ୍ତାନ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୮ ୱିକେଟରେ ୩୪୮ ରନ୍‌ ପ୍ରଭାବଶାଳୀ ସ୍କୋର୍ କରିଥିଲା। ପାକିସ୍ତାନର ଦୁଇ ଓପ୍‌ନର ଚମତ୍କାର ବ୍ୟାଟିଂକରିବା ପରେ ମହମ୍ମଦ ହଫିଜ୍, ବାବର ଆଜମ୍ ଓ ଅଧିନାୟକ ସର୍ଫରାଜ ଅହମ୍ମଦ ଅର୍ଦ୍ଧଶତକ ହାସଲ କରିଥିଲେ। ଇଂଲଣ୍ଡ ୧୧୮ ରନ୍‌ରେ ୪ଟି ୱିକେଟ ହରାଇବା ପରେ ଜୋ ରୁଟ୍ ଓ ଜୋସ୍ ବଟ୍‌ଲର ଶତକ ମାରିଥିଲେ ହେଁ ଇଂଲଣ୍ଡ ୯ ୱିକେଟରେ ୩୩୪ ରନ୍ କରି ପାରିଥିଲା। ୩୪୮ ରନ୍‌ ପାକିସ୍ତାନର ୨ୟ ସର୍ବାଧିକ ବିଶ୍ବକପ୍ ସ୍କୋର୍। ପ୍ରଥମ ମ୍ୟାଚ୍‌ରେ ବଡ଼ ପରାଜୟ ପରେ ୨ୟ ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରି ପାକିସ୍ତାନ ଜିତିପାରିଛି। ସେହିପରି ପ୍ରଥମ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବା ପରେ ୨ୟ ମ୍ୟାଚ୍‌ରେ ପରାଜୟ ବରଣ କରିଛି ଇଂଲଣ୍ଡ।
୩୪୯ ରନ୍ ଲକ୍ଷ୍ୟରେ ଇଂଲଣ୍ଡ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ଫର୍ମରେ ଥିବା ଜେସନ୍ ରୟ ୮ ରନ୍‌କରି ଆଉଟ ହୋଇ ଯାଇଥିଲେ। ତେବେ ଅନ୍ୟ ଓପ୍‌ନର ଜନି ବେୟାରଷ୍ଟୋ ଓ ଜୋ ରୁଟ୍ ୨ୟ ୱିକେଟ ପାଇଁ ଦ୍ରୁତ ୪୮ ରନ୍‌ର ଭାଗିଦାରୀ କରିଥିଲେ। ବେୟାରଷ୍ଟୋ ୩୧ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୨ ରନ୍‌କରି ବିଦାୟ ନେଇଥିଲେ। ପରେ ଇଂଲଣ୍ଡ ଆଉ ୨ଟି ୱିକେଟ ହରାଇଥିଲା। ଅଧିନାୟକ ଇଓନ୍ ମୋର୍ଗାନ୍ ୯ ରନ୍‌କରି ଓ ବେନ୍ ଷ୍ଟୋକ୍‌ସ ୧୩ ରନ୍‌କରି ଆଉଟ ହୋଇ ଯାଇଥିଲେ। ୧୧୮ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ଜୋ ରୁଟ୍ ଓ ଜୋସ୍ ବଟ୍‌ଲର ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ନିୟମିତ ଷ୍ଟ୍ରୋକ୍‌ ଖେଳି ବିଜୟଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ଶତକ ପୂରଣ ପରେ ଜୋ ରୁଟ୍ ଆଉଟ ହୋଇ ଯାଇଥିଲେ। ରୁଟ୍ ୧୦୪ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୧୦୭ ରନ୍ କରିଥିଲେ। ଏହିପରି ରୁଟ୍ ଚଳିତ ବିଶ୍ବକପ୍‌ରେ ପ୍ରଥମ ଶତକ ହାସଲ କରିବାର କୃତିତ୍ବ ହାସଲ କରିଥିଲେ। ପରେ ବଟ୍‌ଲର ଆକ୍ରମଣ ଆରମ୍ଭ କରିଥିଲେ ଏବଂ ଶତକ ପୂରଣ କରିଥିଲେ। ତେବେ ଜିତିବାକୁ ଆଉ ୬୧ ରନ୍ ଆବଶ୍ୟକ ଥିବା ବେଳେ ବଟ୍‌ଲର ଆଉଟ ହୋଇ ଯାଇଥିଲେ। ବଟ୍‌ଲର ୭୬ ବଲ୍‌ରୁ ୨ଟି ଛକା ଓ ୯ଟି ଚୌକା ସହ ୧୦୩ ରନ୍‌ କରିଥିଲେ। ବଟ୍‌ଲରଙ୍କ ଆଉଟ ହେବା ସହ ଇଂଲଣ୍ଡର ବିଜୟ ଆଶା ମଉଳି ଯାଇଥିଲା। କ୍ରିସ୍ ୱକ୍‌ସ ଦ୍ରୁତ ୨୧ ରନ୍ କରିଥିଲେ। ୱହାବ୍ ରିଆଜ୍ ୩ଟି ଏବଂ ସଦ୍ଦାବ ଖାଁ ଓ ମହମ୍ମଦ ଆମିର ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଏହି ବ୍ୟାଟିଂ ସହାୟକ ପିଚ୍‌ରେ ଇଂଲଣ୍ଡ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେବା ଅନେକଙ୍କୁ ଚକିତ କରିଥିଲା। ସକାଳ ବାତାବରଣରୁ ଏହାର ପେସ୍ ବୋଲର ଫାଇଦା ପାଇବେ ବୋଲି ଇଂଲଣ୍ଡ ଆଶା ରଖିଥିଲା। ତେବେ ପାକିସ୍ତାନର ଓପ୍‌ନର ଆରମ୍ଭରୁ ଆକ୍ରମଣ କରି ଇଂଲଣ୍ଡ ବୋଲରଙ୍କୁ ଚାପରେ ପକାଇଥିଲେ। ବିଶେଷକରି ବାମହାତି ଫଖର ଜମାନ୍ କିଛି ଦର୍ଶନୀୟ ସଟ୍‌ ଖେଳିଥିବା ବେଳେ ଇମାମ୍ ଉଲ୍‌ ହକ୍ ପରେ ଏଥିରେ ସାମିଲ ହୋଇଥିଲେ। ପାକିସ୍ତାନର ଓପ୍‌ନିଂ ଯୋଡ଼ି ୧୪ ଓଭରରେ ୮୨ ରନ୍ ସ୍କୋର୍‌କରି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ଅଫ୍‌ସ୍ପିନର ମୋଇନ୍ ଅଲୀ ଏହି ଯୋଡ଼ି ଭାଙ୍ଗିଥିଲେ। ଷ୍ଟମ୍ପ୍‌ଡ ହେବା ପୂର୍ବରୁ ଫଖର ଜମାନ୍ ୪୦ ବଲ୍‌ରୁ ୬ଟି ଚୌକା ସହ ୩୬ ରନ୍ କରିଥିଲେ। ଠିକ୍ ୬ ଓଭର ପରେ ଅନ୍ୟ ଓପ୍‌ନର ଇମାମ୍ ଉଲ୍‌ ହକ୍ ଆଉଟ ହୋଇଥିଲେ। ଇମାମ୍ ୫୮ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୪ ରନ୍ କରିଥିଲେ। ବାବର ଆଜମ୍ ଓ ମହମ୍ମଦ ହଫିଜ୍‌ଙ୍କ ମଧ୍ୟରେ ୩ୟ ୱିକେଟ ଭାଗିଦାରୀ ମଧ୍ୟ ଫଳପ୍ରସୂ ଥିଲା। ଦୁହେଁ ୮୮ ରନ୍ ଯୋଡ଼ିଥିଲେ। ଗତ କିଛିବର୍ଷ ହେଲା ପାକିସ୍ତାନର ସଫଳତମ ବ୍ୟାଟ୍‌ସମ୍ୟାନ୍ ବାବର ଆଜମ୍ କଳାତ୍ମକ ବ୍ୟାଟିଂ କରିଥିବା ବେଳେ ଅଭିଜ୍ଞ ହଫିଜ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୧୪ ରନ୍ କରିଥିବା ବେଳେ ହଫିଜ୍‌ଙ୍କ ସହଜ କ୍ୟାଚ୍ ଛାଡ଼ିଥିଲେ ଜେସନ୍ ରୟ। ଏହାର ଫାଇଦା ଉଠାଇ ହଫିଜ୍ ଦଳ ପାଇଁ ସର୍ବାଧିକ ୮୪ ରନ୍ କରିଥିଲେ। ବାବର ଆଜମ୍ ୬୬ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୬୩ ରନ୍ କରିଥିଲେ। ହଫିଜ୍ ୬୨ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୮୪ ରନ୍ କରିଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୪୪ ବଲ୍‌ରୁ ୫ଟି ଚୌକା ସହ ଦ୍ରୁତ ୫୫ ରନ୍ କରିଥିଲେ। ଆସିଫ୍ ଅଲୀ ୧୪ ରନ୍ କରିଥିବା ବେଳେ ହାସନ୍ ଅଲୀ ଓ ସଦ୍ଦାବ ଖାଁ ୧୦ ରନ୍‌ ଲେଖାଏଁ କରି ଅପରାଜିତ ରହିଥିଲେ। କ୍ରିସ୍ ୱକ୍‌ସ ଓ ମୋଇନ୍ ଅଲୀ ୩ଟି ଲେଖାଏଁ ଏବଂ ମାର୍କ ଉଡ୍‌ ୨ଟି ୱିକେଟ ନେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories