www.samajalive.in
Saturday, December 13, 2025
21.1 C
Bhubaneswar

ଭାରତ ୨-୧ରେ ଟି୨୦ ସିରିଜ୍‌ ବିଜୟୀ

କେପ୍‌ଟାଉନ୍‌ : ଦକ୍ଷିଣ ଆଫ୍ରିକା ମାଟିରେ କ୍ରମାଗତ ୨ଟି ସୀମିତ ଓଭର ସିରିଜ୍‌ ଜିତିବାର ବିରଳ କୃତିତ୍ୱ ଭାରତ ହାସଲ କରିଛି। ୫-୧ରେ ଦିନିକିଆ ସିରିଜ୍‌ ଜିତିଥିବା ଭାରତ ୨-୧ରେ ଟ୍ୱେଣ୍ଟି-୨୦ ସିରିଜ୍‌ ଜିତିନେଇଛି। ଶନିବାର ୩ୟ ତଥା ଅନ୍ତିମ ଟ୍ୱେଣ୍ଟି୨୦ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନ୍‌ରେ ଭାରତ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରି ଭାରତ ୭ ୱିକେଟରେ ୧୭୨ ରନ୍‌ କରିଥିଲା। ସୁରେଶ ରୈନା ଓ ଶିଖର ଧାୱନଙ୍କ ଲଢ଼ୁଆ ଇନିଂସ ବଳରେ ଭାରତର ଏହି ସ୍କୋର୍‌ ସମ୍ଭବ ହୋଇଥିଲା। ଅଧିନାୟକ ଜେପି ଡ୍ୟୁମିନିଙ୍କ ଲଢ଼ୁଆ ଅର୍ଦ୍ଧଶତକ ଓ କ୍ରିଷ୍ଟିଆନ୍‌ ଜୋଙ୍କରଙ୍କ ବିସ୍ଫୋରକ ୪୯ ରନ୍‌ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ୧୬୫ ରନ୍‌ କରି ପାରିଥିଲା। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷକରିଛି ଭାରତ।

ଦକ୍ଷିଣ ଆଫି୍ରକା ୧୭୩ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ବେଳେ ରିଜା ହେଣ୍ଡ୍ରିକ୍‌ସ (୭)ଙ୍କୁ ଆଉଟ୍‌କରି ଭୁବନେଶ୍ୱର କୁମାର ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଭାରତୀୟ ବୋଲର ପ୍ରତିପକ୍ଷ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ବାନ୍ଧି ରଖିଥିଲେ। ଫଳରେ ୬ ଓଭରର ପାୱରପ୍ଲେରେ ମାତ୍ର ୨୫ ରନ୍‌ ସ୍କୋର୍‌ ହୋଇଥିଲା। ବଡ଼ ସଟ୍‌ ମାରିବା ପ୍ରୟାସରେ ଡେଭିଡ୍‌ ମିଲର ଆଉଟ ହୋଇଥିଲେ। ମିଲର ୨୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୪ ରନ୍‌ କରିଥିଲେ। ୫୪ ବଲ୍‌ରୁ ୧୧୫ ରନ୍‌ ଆବଶ୍ୟକ ଥିବା ବେଳେ ଅଧିନାୟକ ଡ୍ୟୁମିନି ବଡ଼ ସଟ୍‌ ଖେଳିବା ଆରମ୍ଭ କରିଥିଲେ। ୨ୟ ମ୍ୟାଚ୍‌ର ହିରୋ ହେନ୍‌ରିକ୍‌ କ୍ଲାସେନ୍‌ ମାତ୍ର ୭ ରନ୍‌ କରି ପାରିଥିଲେ। ୨୫ ବଲ୍‌ରୁ ୬୪ ରନ୍‌ ଆବଶ୍ୟକ ଥିବା ବେଳେ ଛକା ମାରିବା ପ୍ରୟାସରେ ଡ୍ୟୁମିନି ଆଉଟ୍‌ହେବା ମ୍ୟାଚ୍‌ର ମଙ୍ଗ ଭାରତ ଆଡ଼କୁ ମୋଡ଼ି ଦେଇଥିଲା। ଡ୍ୟୁମିନି ୪୧ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୫୫ ରନ୍‌ କରିଥିଲେ। କ୍ରିସ୍‌ ମରିସ୍‌ ୪ ରନ୍‌ କରି ପାରିଥିଲେ। ୩ ଓଭରରୁ ୫୩ ରନ୍‌ ଆବଶ୍ୟକ ଥିବା ବେଳେ କ୍ରିଷ୍ଟିଆନ୍‌ ଜୋଙ୍କର ୧୮ତମ ଓଭରରେ ୧୮ ରନ୍‌ ମାରିଥିଲେ। ଶେଷ ଓଭରରେ ୧୯ ରନ୍‌ ଆବଶ୍ୟକ ଥିବା ବେଳେ ୧୧ ରନ୍‌ ହୋଇଥିଲା। ଜୋଙ୍କର ଲଢ଼ୁଆ ପ୍ରୟାସକରି ୨୪ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୯ ରନ୍‌ କରିଥିଲେ। ଭୁବନେଶ୍ୱର କୁମାର ୨ଟି ୱିକେଟ ପାଇଥିଲେ। ସୁରେଶ ରୈନା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ଭୁବେନଶ୍ୱର ପ୍ଲେୟର ଅଫ୍‌ ଦି ସିରିଜ୍‌ ହୋଇଥିଲେ।

- Advertisement -

କ୍ରମାଗତ ୩ୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ଫିଲ୍‌ଡିଂ ନେଇଥିଲା। କ୍ରମାଗତ ୩ୟ ମ୍ୟାଚ୍‌ରେ ରୋହିତ ଶର୍ମା ଫାଷ୍ଟବୋଲର ଜୁନିୟର ଡାଲାଙ୍କ ଶିକାର ହୋଇଥିଲେ। ଅସୁସ୍ଥ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିବା ରୋହିତ ୮ ବଲ୍‌ରୁ ୨ଟି ଚୌକା ସହ ୧୧ ରନ୍‌ କରିଥିଲେ। ସୁରେଶ ରୈନା ପ୍ରଥମ ବଲ୍‌ରେ ଛକା ମାରି ତାଙ୍କ ଇନିଂସ ଆରମ୍ଭ କରିଥିଲେ। ଶିଖର ଧାୱନଙ୍କ ସହ ରୈନା ୨ୟ ୱିକେଟ ପାଇଁ ୪୯ ବଲ୍‌ରୁ ୬୫ ରନ୍‌ ଯୋଡ଼ିଥିଲେ ହେଁ ଏହି ଭାଗିଦାରୀରେ ରୈନା ପ୍ରାଧାନ୍ୟ ବିସ୍ତାର କରିଥିଲେ। ବିସ୍ଫୋରକ ବ୍ୟାଟିଂକରି ରୈନା ଏହି ୬୫ ରନ୍‌ରୁ ଏକା ୪୩ ରନ୍‌ କରିଥିଲେ। ସେ ମାତ୍ର ୨୭ ବଲ୍‌ରୁ ମୁକାବିଲା କରି ଗୋଟିଏ ଛକା ଓ ୫ଟି ଚୌକା ସହ ୪୩ ରନ୍‌ କରିଥିଲେ। ରୈନାଙ୍କ ପ୍ରହାର ଯୋଗୁଁ ୬ ଓଭରର ପାୱରପ୍ଲେରେ ଭାରତ ୫୭ ରନ୍‌ କରିଥିଲା। ମନୀଷ ପାଣ୍ଡେ ୧୦ ବଲ୍‌ରୁ ଗୋଟିଏ ଛକା ସହ ୧୩ ରନ୍‌କରି ବିଦାୟ ନେଇଥିଲେ। ୨ଟି ଜୀବନଦାନ ପାଇଥିବା ଶିଖର ଧାୱନ କ୍ରମାଗତ ୩ୟ ମ୍ୟାଚ୍‌ରେ ଭଲ ସ୍କୋର୍‌ କରିଥିଲେ। ଏହି ବାମହାତି ୪୦ ବଲ୍‌ରୁ ୩ଟି ଚୌକା ସହ ୪୭ ରନ୍‌କରି ରନ୍‌ଆଉଟ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନି ୧୨ ଓ ହାର୍ଦିକ ପାଣ୍ଡ୍ୟା ୨୧ ରନ୍‌ କରି ପାରିଥିଲେ। ଜୁନିୟର ଡାଲା ୩ଟି ଓ କ୍ରିସ୍‌ ମରିସ୍‌ ୨ଟି ୱିକେଟ ପାଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories